Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ ପ୍ରତିଷ୍ଠା ହେବ ୩୪ଟି ଶିଶୁ ଅନୁକୂଳ ପୋଲିସ ଷ୍ଟେସନ

ରାଜ୍ୟରେ ପ୍ରତିଷ୍ଠା ହେବ ୩୪ଟି ଶିଶୁ ଅନୁକୂଳ ପୋଲିସ ଷ୍ଟେସନ । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟରେ ସମୁଦାୟ ୩୪ଟି ପୋଲିସ ଜିଲ୍ଲାରେ ଗୋଟିଏ ଲେଖାଏଁ ଶିଶୁ ଅନୁକୂଳ ପୋଲିସ ଷ୍ଟେସନ ପ୍ରତିଷ୍ଠା କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ବିଭିନ୍ନ ସମୟରେ ବିଭିନ୍ନ କାରଣରୁ ଆଇନର ପରିସରକୁ ଆସୁଥିବା ଅନେକ ପିଲା ତଥା ସହାୟତା ଆବଶ୍ୟକତା କରୁଥିବା ପିଲାମାନଙ୍କ ପାଇଁ ଥାନା ଭିତରେ ସ୍ୱତନ୍ତ୍ର ଅନୁକୂଳ ପରିବେଶର ଆବଶ୍ୟକତାକୁ ଅନୁଭବ କରି ମୁଖ୍ୟମନ୍ତ୍ରୀ ଏଭଳି ନିଷ୍ପତ୍ତି ନେଇଛନ୍ତି ।

ଏହିସବୁ ପୋଲିସ ଷ୍ଟେସନରେ ଶିଶୁମାନଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା କରାଯିବ । ଏହି ସବୁ ଥାନାରେ ସ୍ୱତନ୍ତ୍ର ଲୋଗୋ ଓ ଫଳକ ରହିବା ସହିତ ପିଲାଙ୍କ ପାଇଁ ଛୋଟ ପୁସ୍ତକାଗାର ମଧ୍ୟ କରାଯିବ । ଏଥିରେ ବିଭିନ୍ନ ରୁଚି ସମ୍ପନ୍ନ ପୁସ୍ତକ, ପତ୍ରପତ୍ରିକା ଓ ସମ୍ବାଦପତ୍ର ରଖାଯିବ । ପିଲାମାନଙ୍କ ସୁବିଧା ପାଇଁ ବିଛଣା, ଚଉକି ଓ ଟେବୁଲ ମଧ୍ୟ ରଖାଯିବ । ଏହାସହିତ ଶିଶୁମାନଙ୍କ ଅଧିକାର ସମ୍ପର୍କିତ ଫଳକ ଏବଂ ପୋଲିସ ‘କଣ କରିବେ ବା ନ କରିବେ’ ସେ ସମ୍ପର୍କରେ ମଧ୍ୟ ସୂଚନା ଫଳକ ରହିବ । ଶିଶୁକଲ୍ୟାଣ ଅଧିକାରୀଙ୍କୁ ଯୋଗାଯୋଗ କରିବା ପାଇଁ ତାଙ୍କ ନାମ ଓ ଅନ୍ୟାନ୍ୟ ସୂଚନା ସମ୍ପର୍କରେ ଏକ ସ୍ୱତନ୍ତ୍ର ଫଳକ ରହିବ । ଏହାସହିତ ପିଲାଙ୍କ ପାଇଁ ଖେଳନା, ଫାଷ୍ଟଏଡ୍ କିଟ୍ ମଧ୍ୟ ରଖାଯିବ । ଥାନା ପରିସର ମଧ୍ୟରେ ଏକ ଶିଶୁ ଅନୁକୂଳ ପରିବେଶ ସୃଷ୍ଟି କରିବା ପାଇଁ କାନ୍ଥ ଗୁଡ଼ିକରେ ସୁନ୍ଦର ଚିତ୍ର ରହିବା ସହିତ ବିଭିନ୍ନ ଶିକ୍ଷଣୀୟ ବିଷୟ ସ୍ଥାନିତ ହେବ ।

ସାଧାରଣ ଥାନା ଗୁଡ଼ିକ ଠାରୁ ଏହାର ପରିବେଶକୁ ସମ୍ପୂର୍ଣ୍ଣ ଭିନ୍ନ ଭାବରେ ଗଢ଼ା ଯିବା ଦ୍ୱାରା ଥାନାକୁ ଯାଉଥିବା ଶିଶୁ ମାନଙ୍କ ମାନସିକ ଚାପ ହ୍ରାସ କରିବାରେ ସହାୟକ ହେବ ବୋଲି ଆଶା କରାଯାଏ ।

Show More

Related Articles

Back to top button