ଅପରାଧଆଇନ କାନୁନଓଡ଼ିଶାଦେଶମୁଖ୍ୟ ଖବର

ଏଣିକି ଓଡିଶା ବାହାରୁ ମେଡିସିନ କିଣା ଉପରେ ଲାଗିବ ରୋକ

କଟକ : କଟକରେ ଏକାଧିକ ଅଞ୍ଚଳରୁ ଟେଲମା ୪୦ ନକଲି ମେଡିସିନ୍ ମିଳିବା ପରେ ସମଗ୍ର ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା। ଏହି ଘଟଣା ପରେ  କଠୋର ହୋଇଛି ଓଡିଶା କେମିଷ୍ଟ ଆଣ୍ଡ ଡ୍ରଗ୍ସ ଆସୋସିଏସନ୍ । ଏଣିକି ଓଡ଼ିଶା ବାହାରୁ ମେଡିସିନ କିଣା ଉପରେ ଲାଗିବ ରୋକ  । ସି ଆଣ୍ଡ ଏଫ ଏବଂ ସୁପର ଷ୍ଟକିଷ୍ଟ ବିନା ବାହାର ରାଜ୍ୟରୁ ଯେ କୌଣସି ଫାର୍ମରୁ ଯେକେହି ଔଷଧ କିଣିଲେ, ସେମାନଙ୍କୁ ସଂଘ ପକ୍ଷରୁ ବହିଷ୍କାର କରିବାକୁ ନିଷ୍ପତ୍ତି ନିଆଯାଇଛି । ଔଷଧ କାରବାର ଉପରେ ସ୍ୱଚ୍ଛତା ଆଣିବାକୁ ସଂଘ ଏହି ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି । ଏନେଇ ଉତ୍କଳ କେମିଷ୍ଟ ଆସୋସିଏସନର ଜେନେରାଲ ସେକ୍ରେଟାରୀ ପ୍ରଶାନ୍ତ ମହାପାତ୍ର କହିଛନ୍ତି, ରାଜ୍ୟ ବାହାରୁ ମାଲ୍‌ ଆଣିବୁନି କି ବିକିବୁ ନାହିଁ। କେବଳ ଅନୁମୋଦନପ୍ରାପ୍ତ ଷ୍ଟକିଷ୍ଟ ଓ ସି ଆଣ୍ଡ ଏଫ ଦ୍ୱାରା କାରବାର ହେବ । ସେଥିରେ ପ୍ରାୟ ୯୫% ନକଲି ମେଡିସିନ ଚାଲାଣକୁ ରୋକା ଯାଇପାରିବ। ଏଥିସହ ସେ କହିଛନ୍ତି, ରାଜ୍ୟ ବାହାରୁ ଭଲ ମେଡିସିନ ସାଙ୍ଗକୁ ନକଲି ବି ଆସୁଛି। ଏପରି କ୍ଷେତ୍ରରେ ଉତ୍ପାଦନକାରୀ-ସି ଆଣ୍ଡ ଏଫ -ଷ୍ଟକିଷ୍ଟ ଚ୍ୟାନେଲରେ ଆସୁଥିବା ମେଡିସିନ ଶତ ପ୍ରତିଶତ ଠିକ୍‌ । ତେଣୁ କେବଳ ଏହି ଚ୍ୟାନେଲରେ ଓଡ଼ିଶାରେ ମେଡିସିନ ବିକ୍ରି ହେବ ବୋଲି ନିଷ୍ପତ୍ତି ନିଆଯାଇଛି। ଯେଉଁମାନେ ଏଥିରେ ରାଜି ନ ହେବେ ଏନେଇ ଡ୍ରଗ୍‌ କଣ୍ଟ୍ରୋଲରଙ୍କୁ ଅବଗତ କରିବୁ । ସେମାନଙ୍କଠାରୁ କିଛି ବି ମାଲ୍‌ କିଣାବିକା ହେବନି। ସୂଚନା ଅନୁସାରେ, କିଛିଦିନ ତଳେ କଟକର ଏକାଧିକ ଅଞ୍ଚଳରୁ ଟେଲମା ୪୦ ନକଲି ମେଡିସିନ୍ ଜବତ ହୋଇଥିଲା। ପ୍ରତିଷ୍ଠିତ ଔଷଧ ଉତ୍ପାଦନ କମ୍ପାନୀ ଗ୍ଲେନମାର୍କର ଟେଲମା 40, ଟେଲମା ଏ.ଏମ ଓ ଟେଲମା ଏଚ. ଭଳି ତିନିଟି  ଔଷଧକୁ ନକଲି କରି ବିକ୍ରି କରୁଥିବା ଜଣା ପଡ଼ିଥିଲା। ଏନେଇ ଦୁଇ ଅଭିଯୁକ୍ତଙ୍କୁ ଗିରଫ  କରିଥିଲା ପୁଲିସ। ଏହି ଘଟଣାରେ ଦୁଇ ଡିଷ୍ଟ୍ରିବ୍ୟୁଟର କଟକ ଜାଉଁଳିଆପଟିର ପୂଜା ଏଣ୍ଟରପ୍ରାଇଜର୍ସ ଓ ଭି. ଆର ଏଜେନ୍ସିର ସମ୍ପୃକ୍ତି ପଦାକୁ ଆସିଥିଲା। ଏହି ଦୁଇ ସଂସ୍ଥା ରାଜ୍ୟ ବାହାରୁ ନକଲି ଔଷଧ ଆଣି ଶହେରୁ ଅଧିକ ଦୋକାନ ଜରିଆରେ କାରବାର କରିଆସୁଥିବା ତଦନ୍ତରୁ ସୂଚନାମିଳିଥିଲା।

 

Show More

Related Articles

Back to top button