ଓଡ଼ିଶାବିଧାନସଭାମୁଖ୍ୟ ଖବର

ବିଧାନସଭାରେ ପାରିତ ହେଲା ପାଇକ ବିଦ୍ରୋହ ସଂକଳ୍ପ

ପାଇକ ବିଦ୍ରୋହକୁ ପ୍ରଥମ ଜାତୀୟ ସ୍ୱାଧୀନତା ସଂଗ୍ରାମ ଘୋଷଣା ଦାବି ପୁଣି ଜୋର ଧରିଛି । ଓଡ଼ିଆ ସ୍ୱାଭିମାନ ଓ ଅସ୍ମିତା ପାଇଁ ଗତକାଲି ବିଧାନସଭାରେ ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ଆନ୍ଦୋଳନ ମାନ୍ୟତା ଦେବା ନେଇ ସଂକଳ୍ପ ପାରିତ ହୋଇଛି । ଅପରାହ୍ନରେ ବିରୋଧୀ ଦଳଙ୍କ ହଟ୍ଟଗୋଳ ମଧ୍ୟରେ ରାଜ୍ୟ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଏହି ସଂକଳ୍ପକୁ ବିଧାନସଭାର ଅନୁମୋଦନ ପାଇଁ ଆଗତ କରିଥିଲେ ।

ସଂକଳ୍ପରେ ଦର୍ଶାଯାଇଛି, ଭାରତୀୟ ସ୍ୱାଧୀନତା ସଂଗ୍ରାମ ଇତିହାସରେ ୧୮୧୭ ମସିହାର ପାଇକ ବିଦ୍ରୋହ ଏକ ଗୌରବମୟ ଅଧ୍ୟାୟ । ଭାରତୀୟ ମୁକ୍ତି ସଂଗ୍ରାମ ଇତିହାସରେ ପାଇକ ବିଦ୍ରୋହର ସ୍ଥାନ ସ୍ୱତନ୍ତ୍ର । ଇଂରେଜମାନଙ୍କ ବିରୋଧରେ ସୁସଂଗଠିତ ଏବଂ ସୁଦୂରପ୍ରସାରୀ ଏହି ବିଦ୍ରୋହ ପରବର୍ତ୍ତୀ ସମୟରେ ମୁକ୍ତି ସଂଗ୍ରାମକୁ ତ୍ୱରାନ୍ୱିତ କରିବାରେ ସହାୟକ ହୋଇଛି । ୧୮୧୭ରୁ ଖୋର୍ଦ୍ଧା ପାଇକଙ୍କ ଏ ସଂଗ୍ରାମ ଆରମ୍ଭ ହୋଇ ୧୮୨୫ ଯାଏ ଚାଲିଥିଲା । ଏହି ଲଢ଼େଇରେ ବହୁ ଜମିଦାର, ଦଳେଇ, ଦଳବେହେରା ଓ ବିଭିନ୍ନ ବର୍ଗର ଲୋକ ସାମିଲ ହୋଇଥିଲେ । ଇଂରେଜ ସରକାରଙ୍କ ସ୍ଥିତିକୁ ଏ ସଂଗ୍ରାମ ଦୋହଲାଇ ଦେଇଥିଲା ।
ଓଡ଼ିଶାର ଜନସାଧାରଣଙ୍କ ଭାବାବେଗକୁ ସମ୍ମାନ ଜଣାଇ ୨୦୧୭ରେ ରାଜ୍ୟ କ୍ୟାବିନେଟର ଏକ ସ୍ୱତନ୍ତ୍ର ବୈଠକରେ ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମ ଭାବେ ଘୋଷଣା କରିବାକୁ ପ୍ରସ୍ତାବ ପାରିତ କରାଯାଇଥିଲା । ଏ ସମ୍ପର୍କିତ ପ୍ରସ୍ତାବ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୭ ଜୁଲାଇ ୧୯ରେ ଏନେଇ କେନ୍ଦ୍ରକୁ ଏକ ଚିଠି ଲେଖିଥିଲେ । ହେଲେ ରାଜ୍ୟ ସଭାରେ ବିଜେଡି ଏମ୍‌ପି ପ୍ରଶାନ୍ତ ନନ୍ଦଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଜି. କିଶନ ରେଡ୍ଡୀ ଗୁରୁବାର କହିଥିଲେ ଯେ, ଭାରତୀୟ ଐତିହାସିକ ଅନୁସନ୍ଧାନ ପରିଷଦ (ଆଇସିଏଚ୍‌ଆର) ରିପୋର୍ଟ ଅନୁଯାୟୀ ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଭାବେ ଘୋଷଣା କରାଯାଇପାରିବ ନାହିଁ । ବରଂ ଏହା ଇଂରେଜମାନଙ୍କ ବିରୋଧରେ ହୋଇଥିବା ଜନ ଆନ୍ଦୋଳନର ଏକ ପ୍ରମୁଖ ବିଦ୍ରୋହ ଭାବେ ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକରେ କେସ୍‌ ଷ୍ଟଡି ଭାବେ ଗ୍ରହଣ କରିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ମନ୍ତ୍ରୀ ରେଡ୍ଡୀ କହିଥିଲେ । ଓଡ଼ିଶା ସରକାରଙ୍କ ପ୍ରସ୍ତାବକୁ କେନ୍ଦ୍ର ସରକାର ଏଭଳି ଅଗ୍ରାହ୍ୟ କରିଦେବା ପରେ ମଙ୍ଗଳବାର ବିଧାନସଭାରେ ପୁଣି ଥରେ ସଂକଳ୍ପ ପାରିତ ହୋଇଛି ।
ରାଜ୍ୟ ସରକାର ପାଇକ ବିଦ୍ରୋହ ଉପରେ ରାଜ୍ୟ ସଂଗ୍ରହାଳୟରେ ଏକ ଗ୍ୟାଲେରି ପ୍ରତିଷ୍ଠା କରିବା ସହ ବରୁଣେଇ ପାହାଡ଼ ପାଦଦେଶରେ ୯ ଏକର ୬୮୫ ଡେସିମିଲ ଜମିରେ ପାଇକ ସ୍ମାରକୀ ନିର୍ମାଣ ପାଇଁ ସ୍ଥାନ ଚିହ୍ନଟ କରିଛନ୍ତି । ଜାତୀୟସ୍ତରରେ ଏହାର ଅଧିକ ପ୍ରଚାର ଓ ପ୍ରସାର ପାଇଁ ପାଇକ ବିଦ୍ରୋହ ଉପରେ ଆଲୋଚନାଚକ୍ର, କର୍ମଶାଳା ଓ କବିତା ପାଠୋତ୍ସବ ଆୟୋଜନ କରାଯାଇଛି ।

ଇଂରେଜ ସରକାରଙ୍କ କବଳରୁ ମାତୃଭୂମିକୁ ମୁକ୍ତ କରିବାକୁ ଯେଉଁ ପାଇକମାନେ ବଳିଦାନ ଦେଇଛନ୍ତି ସେମାନଙ୍କୁ ସମ୍ମାନ ଜଣାଇ କେନ୍ଦ୍ର ସରକାର ତୁରନ୍ତ ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦିଅନ୍ତୁ । ଏ ସଂକଳ୍ପ ବିଧାନସଭାର ସଭ୍ୟମାନଙ୍କ ସମର୍ଥନରେ ପାରିତ ହୋଇଛି । କେନ୍ଦ୍ର ସରକାର ଓଡ଼ିଆଙ୍କ ବୀରତ୍ୱ ଓ ବଳିଦାନକୁ ସମ୍ମାନ ଜଣାଇ ତୁରନ୍ତ ଏହି ଘୋଷଣା କରିବାକୁ ରାଜ୍ୟର ବିଭିନ୍ନ ମହଲରୁ ଦାବି ଉଠିଛି ।

Show More

Related Articles

Back to top button