Breaking PLUS

ମହାମାରୀ କରୋନାର ନୂଆ ରୁପ ‘ମୁ’

ମହାମାରୀ କରୋନା ବାରମ୍ବାର ନିଜ ରୂପ ବଦଳାଇବାରେ ଲାଗିଛି ।  ଏହାରି ଭିତରେ କରୋନାର ଆଉ ଏକ ଭ୍ୟାରିଏଣ୍ଟ ‘ମୁ’ ସାମ୍ନାକୁ ଆସିଛି । ଏହାର ବିଜ୍ଞାନ ଭିତ୍ତିକ ନାଁ ହେଉଛି B.1.621 । କୁହାଯାଉଛି ଏହି ନୂଆ ଭ୍ୟାରିଏଣ୍ଟ ‘ମୁ’ କରୋନା ଟିକାକୁ ମଧ୍ୟ ମାତ୍ ଦେବାର କ୍ଷମତା ରଖିଛି । ଯେଉଁଥିପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ହୁ) ଚିନ୍ତା ପ୍ରକଟ କରିଛି ।  ତେଣୁ ହୁ’ ପକ୍ଷରୁ ଏହାକୁ ଭ୍ୟାରିଏଣ୍ଟ ଅଫ ଇଣ୍ଟରେଷ୍ଟ ତାଲିକାରେ ରଖାଯାଇଛି । ଏହାର ଅର୍ଥ କରୋନା ଟିକାକୁ ଏହା କେତେ ପରିମାଣର ମାତ୍‌ ଦେବାକୁ ସକ୍ଷମ ଓ ସଂକ୍ରମଣ ହାର କେମିତି ରହୁଛି, ତା’ ଉପରେ ଗବେଷଣା କରାଯାଉଛି । ହୁ’ ପକ୍ଷରୁ ଜାରି ବୁଲେଟିନରେ ‘ମୁ’ ଭ୍ୟାରିଏଣ୍ଟ ସମ୍ପର୍କରେ ସୂଚନା ମିଳିବା ପରେ ସମସ୍ତଙ୍କ ମନରେ ଛନକା ପଶିଛି ।

ଆସନ୍ତୁ ଜାଣିବା ଏହି ‘ମୁ’ ଭ୍ୟାରିଆଣ୍ଟ ସଂପର୍କିତ କିଛି ତଥ୍ୟ

‘ମୁ’ ଭ୍ୟାରିଏଣ୍ଟ ପ୍ରଥମେ ୨୦୨୧ ମସିହା ଜାନୁଆରୀ ମାସରେ କଲୋମ୍ବିଆରେ ଚିହ୍ନଟ ହୋଇଥିଲା । ହୁ’ ପକ୍ଷରୁ ଏହାକୁ ଅଗଷ୍ଟ ୩୦ ତାରିଖରେ ଭ୍ୟାରିଏଣ୍ଟ ଅଫ ଇଣ୍ଟରେଷ୍ଟ ଭାବେ ନାମିତ କରାଯାଇଛି । ଦକ୍ଷିଣ ଆଫ୍ରିକା ଓ ୟୁରୋପରେ ଏହି ଭ୍ୟାରିଏଣ୍ଟରେ ଲୋକମାନେ ସଂକ୍ରମିତ ହୋଇଛନ୍ତି ।  ଟିକା ଦ୍ୱାରା କିମ୍ବା କରୋନାରୁ ସୁସ୍ଥ ହେବା ପରେ ସୃଷ୍ଟି ହେଉଥିବା ରୋଗ ପ୍ରତିରୋଧକ ଶକ୍ତିକୁ ‘ମୁ’ ଭ୍ୟାରିଏଣ୍ଟ ମାତ୍ ଦେଇ ପାରୁଛି କି ନାହିଁ, ତା’ର ଗବେଷଣା ବୈଜ୍ଞାନିକମାନେ କରୁଛନ୍ତି । ହୁ’ ତା’ର ଶେଷ ରିପୋର୍ଟରେ କହିଥିଲା ଯେ ‘ମୁ’ ନିୟମିତ ଭାବେ ମ୍ୟୁଟେସନ ହେଉଛି । ତେଣୁ ଏହା ରୋଗ ପ୍ରତିରୋଧକ ଶକ୍ତିକୁ ମାତ ଦେବାର ଆଶଙ୍କା ରହିଛି । ‘ମୁ’ ଭ୍ୟାରିଏଣ୍ଟର ପ୍ରଭାବ ବିଷୟରେ ନିର୍ଦ୍ଦିଷ୍ଟ ତଥ୍ୟ ହାସଲ ପାଇଁ ଅଧିକ ଗବେଷଣାର ଆବଶ୍ୟକ ରହିଥିବା ହୁ’ କହିଛି । ବର୍ତ୍ତମାନ ସୁଦ୍ଧା ବିଶ୍ୱରେ ଚିହ୍ନଟ ହୋଇଥିବା ମୋଟ ସଂକ୍ରମିତଙ୍କ ମଧ୍ୟରୁ ମାତ୍ର ୦.୧% ଲୋକ ‘ମୁ’ ଭ୍ୟାରିଏଣ୍ଟରେ ଆକ୍ରାନ୍ତ ହୋଇଛନ୍ତି । ପ୍ରଥମ ଚିହ୍ନଟ ହେବା ପରେ ‘ମୁ’ ଭ୍ୟାରିଏଣ୍ଟ ଜନିତ ସଂକ୍ରମଣ ସାରା ବିଶ୍ୱରେ ହ୍ରାସ ପାଇଥିଲା । ତେବେ କଲୋମ୍ବିଆରେ ୩୯% ଓ ଇକ୍ୱିଡରରେ ୧୩% ଲୋକ ଏହି ଭ୍ୟାରିଏଣ୍ଟରେ ସଂକ୍ରମିତ ହୋଇଛନ୍ତି । ଏବେ ସେଠାରେ ପୁଣି ଏହି ଭ୍ୟାରିଏଣ୍ଟ ଦବଦବା ଦେଖାଇବା ଆରମ୍ଭ କରିଛି । କରୋନାର ୫ ଭ୍ୟାରିଏଣ୍ଟ ଭାବେ ହୁ’ ପକ୍ଷରୁ ‘ମୁ’ କୁ ଭ୍ୟାରିଏଣ୍ଟ ଅଫ ଇଣ୍ଟରେଷ୍ଟ ଭାବେ ବିବେଚନା କରାଯାଇଛି । ଏହା ପୂର୍ବରୁ ଇଟା, ଲୋଟା, କାପ୍ପା ଓ ଲାମ୍ବଡା ଭାରିଏଣ୍ଟକୁ ଏପରି ମାନ୍ୟତା ମିଳିଥିଲା ।

Show More

Related Articles

Back to top button