
ବିତିଲାଣି ୬୦ ଘଣ୍ଟାରୁ ଅଧିକ ସମୟ । କିନ୍ତୁ ଏବେବି ଫସି ରହିଛି ମଧ୍ୟପ୍ରଦେଶର ବୈତୂଲ ଅଞ୍ଚଳରେ ୪୦୦ ଫୁଟ ଗଭୀର ବୋର୍ୱେଲ୍ରେ ଖସି ପଡ଼ିଥିବା ୮ ବର୍ଷିୟ ତନ୍ମୟ ସାହୁ । ୪ ଦିନ ହେଲାଣି ଜାରି ରହିଛି ଉଦ୍ଧାର କାର୍ଯ୍ୟ । ତନ୍ମୟକୁ ଉଦ୍ଧାର ପାଇଁ ସବୁ ପ୍ରକାର କସରତ ଚାଲିଛି। ଏହି ଅପରେସନରେ ସାମିଲ ଅଛନ୍ତି ଏନଡିଆରଏଫ ଓ ଏସଡିଆରଏଫ ଟିମ୍ । ବୋରୱେଲରେ ଫସି ରହିଥିବା ବାଳକ ନିକଟକୁ ପାଇପ୍ ଯୋଗେ ଅମ୍ଲଜାନ ପଠାଯାଉଛି । ତେବେ ମାଟି ଭିତରେ ପଥର ଥିବାରୁ ଖନନରେ ବାଧା ଉପୁଜୁଥିବାରୁ ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ ହୋଇ ପାରୁନଥିବା ସୂଚନା ମିଳୁଛି ।
ସୂଚନାଯୋଗ୍ୟ, ଡିସେମ୍ବର ୬ ତାରିଖ ସନ୍ଧ୍ୟା ସମୟରେ ଫାର୍ମରେ ଖେଳୁଥିବା ତନ୍ମୟ ଗୋଟାଏ ୪୦୦ ଫୁଟ୍ ଗଭୀର ଖୋଲା ବୋର୍ୱେଲ୍ ଭିତରକୁ ଖସି ପଡ଼ି ୫୫ ଫୁଟ୍ ଅଭ୍ୟନ୍ତରରେ ଲାଖି ରହିଛନ୍ତି।ତାଙ୍କୁ ଗର୍ତ୍ତରୁ ବାହାର କରିବା ଲାଗି ବୋର୍ୱେଲ୍ ନିକଟରେ ଆଉ ଗୋଟାଏ ସମାନ୍ତରଳ ସୁଡ଼ଙ୍ଗ ଖୋଳିବା ନିମନ୍ତେ ‘ଆର୍ଥମୁଭିଙ୍ଗ୍’ ମେସିନ୍ ସବୁ ଅଣାଯାଇଛି।ବୋରୱେଲ ଭିତରକୁ ଏକ କ୍ୟାମେରା ଛଡାଯାଇ ପିଲାଟିର ସ୍ଥିତି ଉପରେ ନଜର ରଖାଯାଇଛି।