Breaking PLUSଖେଳ

ଆରମ୍ଭ ହେବ କ୍ରିକେଟର ନୂଆ ଯୁଗ

ନୂଆ କୋଚ ଓ ନୂଆ ଅଧିନାୟକଙ୍କ ନେତୃତ୍ୱରେ ପଡ଼ିଆକୁ ଓଲ୍ହାଇବେ ଭାରତୀୟ ଦଳ

ଆରମ୍ଭ ହେବାକୁ ଯାଉଛି କ୍ରିକେଟର ନୂଆ ଯୁଗ । ଆଜିଠୁ ନୂଆ କୋଚ ଓ ନୂଆ ଅଧିନାୟକଙ୍କ ନେତୃତ୍ୱରେ ପଡ଼ିଆକୁ ଓଲ୍ହାଇବେ ଭାରତୀୟ ଦଳ । ଆଉ ଏଥିରେ ବିନ୍ଧାଣି ସାଜିବେ ଟି-୨୦ ଦଳର ଅଧିନାୟକ ରୋହିତ ଶର୍ମା ଓ ନୂତନ କୋଚ ରାହୁଲ ଦ୍ରାବିଡ । ଆଇସିସି ଟି-୨୦ ବିଶ୍ୱକପରେ ପରାଜୟର ଦୁଃଖ ସହିବା ପରେ ରୋହିତଙ୍କ ନେତୃତ୍ୱ ଓ ମୁଖ୍ୟ କୋଚ ଦ୍ରାବିଡଙ୍କ ମାର୍ଗଦର୍ଶନରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ତିନିମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବ ଭାରତୀୟ ଦଳ ।

ଦ୍ରାବିଡ ଓ ରୋହିତଙ୍କ ଯୋଡ଼ିଙ୍କ ପାଖରେ ଆଗାମୀ ଟି-୨୦ ବିଶ୍ୱକପ ପୂର୍ବରୁ ଏକ ମଜଭୁତ ଟିମ ପ୍ରସ୍ତୁତ କରିବା ପାଇଁ ମାତ୍ର ୧୧ ମାସର ସମୟ ରହିବ । ଏହାରି ଭିତରେ ଟିମରେ ଆବଶ୍ୟକ ପରିବର୍ତ୍ତନ ଓ ସୁଧାର କରିବାକୁ ପଡ଼ିବ । ଏଥିପାଇଁ ରୋହିତ ବାହିନୀ ପ୍ରସ୍ତୁତ ରହିଛି । କୋଚ ଦ୍ରାବିଡଙ୍କ ତତ୍ଵାବଧାନରେ ମଙ୍ଗଳବାର ଝାଳବୁହା ଅଭ୍ୟାସ କରିଥିଲେ ଯୁବ କ୍ରିକେଟର ।

ୟୁଏଇରେ ଆୟୋଜିତ ଟି-୨୦ ବିଶ୍ୱକପରେ ନିରାଶ କରିବା ପରେ ଭାରତୀୟ ପେସ ବୋଲିଂ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବାଦ ଦେଇଛି । ଆହତ କାରଣରୁ ପାଣ୍ଡ୍ୟା ନିଜର ଅଲରାଉଣ୍ଡର ଦକ୍ଷତା ଦେଖାଇବାରେ ବିଫଳ ହୋଇଛନ୍ତି । ଆଇପିଏଲରେ ଦମଦାର ପ୍ରଦର୍ଶନ କରିଥିବା ଭେଙ୍କଟେଶ ଆୟରଙ୍କୁ ଏବେ ହାର୍ଦ୍ଦିକଙ୍କ ବିକଳ୍ପ ଭାବେ ଦେଖା ଯାଉଛି ।

ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ତିନିମ୍ୟାଚ ବିଶିଷ୍ଟ ଟି-୨୦ ସିରିଜରୁ ଜଣାପଡ଼ିବ ଯେ ଆୟର ପେସ ବୋଲିଂ ଅଲରାଉଣ୍ଡର ପାଇଁ ଫିଟ ନା ନାହିଁ । ଭାରତ ତା’ର ବ୍ୟାଟିଂ ବିଭାଗରେ ଅଧିକ ପାୱାର ହିଟର୍ ରଖିପାରେ । ଆଇପିଏଲରେ କେକେଆର ପକ୍ଷରୁ ଖେଳିଥିବା ଆୟୀ ଲମ୍ବା ଓ ବଡ଼ ଶଟ୍ ଖେଳିବାର କ୍ଷମତା ରଖିଛନ୍ତି । ଆଇପିଏଲରେ ଭଲ ପ୍ରଦର୍ଶନ କରିଥିବା ଯେଉଁ ଅନ୍ୟ ଖେଳାଳିଙ୍କୁ ଚୟନ କରାଯାଇଛି, ସେଥିମଧ୍ୟରୁ ଋତୁରାଜ ଗାଏକ୍ୱାଡ୍, ହର୍ଷଲ୍ ପଟେଲ, ଆଭେଶ ଖାନ ଓ ୟୁଜବେନ୍ଦ୍ର ଚହଲ୍ ସାମିଲ ଅଛନ୍ତି ।

ବିରାଟ କୋହଲିଙ୍କ ଟି-୨୦ ଦଳର ଅଧିନାୟକ ପଦରୁ ଅବ୍ୟାହିତ ପରେ ଆଜି ପ୍ରଥମ ଟି-୨୦ ମ୍ୟାଚ୍ ଖେଳିବ ଭାରତ । ଦଳର ମଙ୍ଗ ସମ୍ଭାଳିବେ ନୂତନ ଅଧିନାୟକ ରୋହିତ ଶର୍ମା । ଉପଅଧିନାୟକ ଦାୟିତ୍ଵରେ ଅଛନ୍ତି କେଏଲ ରାହୁଲ । ଟି-୨୦ ବିଶ୍ଵ କପ୍‌ରେ ନ୍ୟୁଜିଲାଣ୍ଡଠୁ ମିଳିଥିବା ପରାଜୟର ମଧୁର ପ୍ରତିଶୋଧ ନେବାକୁ ଚେଷ୍ଟା କରିବ ଭାରତ । ସିରିଜ୍ ପାଇଁ ଯୁବ ଖେଳାଳିଙ୍କୁ ଦଳରେ ସାମିଲ୍ କରାଯାଇଛି । କୋଚ ରାହୁଲ ଦ୍ରାବିଡଙ୍କ ମାର୍ଗଦର୍ଶନରେ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି ଯୁବ ଖେଳାଳି। ନୂତନ ଚେହେରା ଭାବେ ଭେଙ୍କଟେଶ ଆୟର, ହର୍ଷଲ ପଟେଲ ଓ ଅଭେଶ ଖାନଙ୍କ ପରି ଖେଳାଳିଙ୍କୁ ଦଳରେ ସାମିଲ୍ କରାଯାଇଛି । ପ୍ରାକ୍ଟିସ ସେସନରେ ଯୁବ ଖେଳାଳିଙ୍କୁ ଦ୍ରାବିଡ ଟିପ୍ସ ଦେଉଥିବା ଦେଖିବାକୁ ମିଳିଛି । ଏହାର ଫଟୋ ବିସିସିଆଇ ନିଜର ଟ୍ଵିଟର ହ୍ୟାଣ୍ଡେଲରେ ମଧ୍ୟ ସେୟାର କରିଛି । ରୋହିତ ନିଜର ବ୍ୟାଟିଂ ସହିତ ଖେଳାଳିଙ୍କୁ ଗାଇଡ୍ କରୁଛନ୍ତି । ରାହୁଲ ଦ୍ରାବିଡ ଖୋଦ୍ ଥ୍ରୋ ଡାଉନ କରାଇ ଖେଳାଳିଙ୍କୁ ବ୍ୟାଟିଂ ଅଭ୍ୟାସ୍ କରାଇଛନ୍ତି । ଏହି ସମୟରେ ଟିମ୍ ଇଣ୍ଡିଆର ଖେଳାଳି ଜୋରଦାର ଫିଲ୍ଡିଂ, ବ୍ୟାଟିଂ ଏବଂ ବୋଲିଂ ଅଭ୍ୟାସ୍ କରୁଥିବା ଦେଖିବାକୁ ମିଳିଛି । ଅଧିନାୟକ ରୋହିତ ଶର୍ମାଙ୍କ ସହିତ ଋଷଭ ପନ୍ତ, ଅଭେଶ ଖାନ, ଭେଙ୍କଟେଶ ଆୟର, ୟୁଜବେନ୍ଦ୍ର ଚହଲ ସମେତ ଅନେକ ଖେଳାଳି ନଜର ଆସିଛନ୍ତି । ଭାରତ ଗସ୍ତରେ ଆସିଥିବା ନ୍ୟୁଜିଲାଣ୍ଡ ଏବଂ ଭାରତ ମଧ୍ୟରେ ପ୍ରଥମ ଟି-୨୦ ନଭେମ୍ବର ୧୭ରେ ଜୟପୁରର ସଓ୍ଵାଇ ମାନସିଂହ ଷ୍ଟାଡିୟମରେ ଖେଳାଯିବ । ଦ୍ଵିତୀୟ ଟି-୨୦ ନଭେମ୍ବର ୧୯ରେ ରାଞ୍ଚିରେ ଏବଂ ତୃତୀୟ ଟି-୨୦ ନଭେମ୍ବର ୨୧ରେ କୋଲକାତାର ଇଡେନ ଗାର୍ଡେନ୍ସରେ ଖେଳାଯିବ । ଏହା ପରେ ନଭେମ୍ବର ୨୫ରେ କାନପୁରରେ ପ୍ରଥମ ଟେଷ୍ଟ ଆରମ୍ଭ ହେବ । ଦ୍ଵିତୀୟ ଟେଷ୍ଟ ଡିସେମ୍ବର ୩ ତାରିଖରୁ ମୁମ୍ବାଇର ଓ୍ଵାଙ୍ଖେଡା ଷ୍ଟାଡିୟମରେ ଖେଳାଯିବ । ଦେଖିବାକୁ ବାକି ରହିଲା ନୂଆ କୋଚ୍ ରାହୁଲ ଦ୍ରାବିଡଙ୍କ ମାର୍ଗଦର୍ଶନ ଏବଂ ନୂଆ ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ଵରେ ଭାରତୀୟ ଦଳ ଟି-୨୦ ସିରିଜ୍‌ରେ କେମିତି ପ୍ରଦର୍ଶନ କରୁଛି ।

Show More

Related Articles

Back to top button