Breaking PLUSଖେଳମୁଖ୍ୟ ଖବର

ଟି-ଟ୍ୱେଣ୍ଟି ବିଶ୍ୱକପ: ନେଦରଲ୍ୟାଣ୍ଡସ ଠାରୁ ହାରି ବିଶ୍ୱକପ୍‌ରୁ ବିଦାୟ ନେଇଛି ଦକ୍ଷିଣ ଆଫ୍ରିକା

ଆଡିଲେଡ୍‌: ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଘଟିଛି ଏକ ବଡ଼ ବିପର୍ଯ୍ୟୟ। ଆଶ୍ଚର୍ଯ୍ୟଜନକ ଭାବେ ନେଦରଲ୍ୟାଣ୍ଡସ୍ ଟିମ୍ ଠାରୁ ହାରି ବିଶ୍ୱକପ୍‌ରୁ ବିଦାୟ ନେଇଛି ଦକ୍ଷିଣ ଆଫ୍ରିକା। ଦକ୍ଷିଣ ଆଫ୍ରିକା ବିଦା ହେବା ପରେ ଭାରତ ସେମି ଫାଇନାଲ୍‌ରେ ପ୍ରବେଶ କରିଛି। ଯଦିଓ ଆଜି ଦଳ ତା’ର ଶେଷ ଗ୍ରୁପ୍ ମ୍ୟାଚ୍‌ରେ ଜିମ୍ବାୱେକୁ ଭେଟିବ।ଗ୍ରୁପ୍‌-୧ରୁ ନ୍ୟୁଜିଲ୍ୟାଣ୍ଡ ଓ ଇଂଲଣ୍ଡ ସେମି ଫାଇନାଲରେ ପହଞ୍ଚି ସାରିଛନ୍ତି। ଗ୍ରୁପ୍‌-୨ରୁ ଭାରତ ସେମି ଫାଇନାଲ୍‌ରେ ସ୍ଥାନ ପକ୍କା କରି ସାରିଥିବା ବେଳେ ଏହି ଗ୍ରୁପ୍‌ରୁ ଆଉ କେଉଁ ଦଳ ସେମି ଫାଇନାଲକୁ ଯିବ, ତାହା ବାଂଲାଦେଶ ଓ ପାକିସ୍ତାନ ମଧ୍ୟସ୍ଥ ମ୍ୟାଚ୍ ପରେ ନିଶ୍ଚିତ ହୋଇଯିବ। କାରଣ ଗ୍ରୁପ୍‌-୨ରେ ଥିବା ବାଂଲାଦେଶ ଓ ପାକିସ୍ତାନ ୪ ପଏଣ୍ଟ ଲେଖାଏଁ ପାଇ ସମାନ ସ୍ତରରେ ରହିଛନ୍ତି। ଏହି ଦୁଇ ଟିମ୍ ଭିତରୁ ଯିଏ ଜିତିବ ସେ ସେମି ଫାଇନାଲକୁ ଯିବ। ଭାରତୀୟ ସମୟ ଅନୁସାରେ ରବିବାର ସକାଳ ସାଢ଼େ ୫ଟାରେ ଦକ୍ଷିଣ ଆଫ୍ରିକା ଓ ନେଦରଲ୍ୟାଣ୍ଡସ୍ ମଧ୍ୟସ୍ଥ ମ୍ୟାଚ୍ ହୋଇଥିଲା। ଟସ୍ ଜିତି ଦକ୍ଷିଣ ଆଫ୍ରିକା ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରିଥିବା ନେଦରଲ୍ୟାଣ୍ଡସ୍ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ୍ ହରାଇ ୧୫୮ ରନ୍ କରିଥିଲା। ଅନ୍ୟପକ୍ଷରେ ଅପେକ୍ଷାକୃତ କମ୍ ଅନୁଭୂତି ଥିବା ନେଦରଲ୍ୟାଣ୍ଡସର ବୋଲରଙ୍କୁ ସମ୍ମୁଖୀନ ହୋଇପାରି ନଥିଲେ ଦକ୍ଷିଣ ଆଫ୍ରିକାର ବ୍ୟାଟ୍ସମ୍ୟାନ୍‌ ମାନେ। ଦଳ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୧୪୫ ରନ୍ କରିବାକୁ ସମର୍ଥ ହୋଇଥିଲା। ଏହା ସହିତ ୧୩ ରନ୍‌ରେ ନେଦରଲ୍ୟାଣ୍ଡସ ଠାରୁ ହାରିଯାଇଥିଲା ଦକ୍ଷିଣ ଆଫ୍ରିକା।

Show More

Related Articles

Back to top button