Breaking PLUSଓଡ଼ିଶାମୁଖ୍ୟ ଖବର

୭ଦିନ ଏକାଠି ରହିବେ ସୁମିତ-ତପସ୍ୱିନୀ

ଶ୍ୱଶୁର ଘର ସାମ୍ନାରେ ନବବଧୂ ତପସ୍ୱିନୀଙ୍କ ଧାରଣା ଦେବା ମାମଲାରେ SDJM କୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ଉଭୟ ସୁମିତ ଓ ତପସ୍ୱିନୀଙ୍କୁ ୭ ଦିନ ଏକାଠି ରହିବାକୁ SDJM ନିର୍ଦ୍ଦେଶ ଦେଇଛନ୍ତି ।

ଆସିକାରେ ଏକ ଭଡ଼ା ଘରେ ଏକାଠି ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଭଡ଼ା ଘର ଠିକ କରି ସୁରକ୍ଷା ଦାୟିତ୍ୱରେ ରହିବେ ଆସକା ଥାନା ଆଇଆଇସି । ୭ ଦିନ ମଧ୍ୟରେ ଉଭୟଙ୍କୁ କାହା ସହ ଦେଖା ସାକ୍ଷାତ କରିବାକୁ ଅନୁମତି ଦିଆଯିବ ନାହିଁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ନିଜକୁ ବୋହୂ ବୋଲି ଦାବି କରି ଡିମ୍ପଲ ଦାଶ ଓରଫ ତପସ୍ୱିନୀ ବ୍ରହ୍ମପୁର ଦ୍ୱିତୀୟ ଲେନ୍‌ରେ ଥିବା ଶ୍ୱଶୁର ଘର ସମ୍ମୁଖରେ ଧାରଣାରେ ବସିଥିଲେ । ଆଉ ଅଭିଯୋଗ କରି କହିଥିଲେ, ସେ ଡାକ୍ତର ସୁମିତ ସାହୁଙ୍କ ପତ୍ନୀ । ୨୦୨୦ ମସିହା ସେପ୍ଟେମ୍ବର ୭ ତାରିଖରେ ସୁମିତଙ୍କୁ ସେ କୋର୍ଟ ମ୍ୟାରେଜ କରିଥିଲେ । ଏମିତିକି ବିବାହ ପରେ ସେହି ଘରେ ୬ ମାସ ଧରି ବୋହୂ ଭାବେ ବିତାଇଥିଲେ ଡିମ୍ପଲ । କିନ୍ତୁ ପରବର୍ତ୍ତୀ ସମୟରେ ଶ୍ୱଶୁର ଘର ଲୋକେ ପୁଣି ବୈଦିକ ରୀତିରେ ବିବାହ କରାଇବାର ମିଛ ପ୍ରତିଶ୍ରୁତି ଦେଇ ତାଙ୍କୁ ବାପଘରକୁ ପଠାଇ ଦେଇଥିଲେ । ଏପରିକି ବିବାହ ପାଇଁ ଦୁଇ ଦୁଇଟି ତାରିଖ ଦେଇ ମଧ୍ୟ କଥା ରଖିନଥିବାରୁ ଏବେ ଉପାୟ ନପାଇ ଶ୍ୱଶୁର ଘର ସାମ୍ନାରେ ଧାରଣା ଦେବାକୁ ବାଧ୍ୟ ହୋଇଛି ବୋଲି ତପସ୍ୱିନୀ ଅଭିଯୋଗ କରିଥିଲେ ।

ପରବର୍ତ୍ତୀ ସମୟରେ ତପସ୍ୱିନୀଙ୍କୁ ବୋହୂ ବୋଲି ସ୍ୱୀକାର କରିଥିଲେ ସୁମିତଙ୍କ ବାପା । ଏପରିକି ସୁମିତ ମଧ୍ୟ ବାହା ହୋଇଥିବା ମାନିଥିଲେ । ତେବେ ମାମଲା କୋର୍ଟରେ ବିଚାର ଚାଲିଥିବାରୁ ମୁଁ କିଛି କରିପାରିବି ନାହିଁ ବୋଲି ସୁମିତ କହିଥିଲେ । ଏହି ମାମଲାରେ ଆଜି ରାୟ ପ୍ରକାଶ ପାଇଛି । ଉଭୟଙ୍କୁ ୭ ଦିନ ଏକସଙ୍ଗେ ରହିବାକୁ ପରାମର୍ଶ ଦେଇଛନ୍ତି କୋର୍ଟ ।

Show More

Related Articles

Back to top button