
ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଶରଦ ପାୱାରଙ୍କ ବିରୋଧରେ ସୋସିଆଲ ମିଡିଆରେ ଏକ ଆପତ୍ତି ଜନକ ପୋଷ୍ଟ କରି ଗିରଫ ହୋଇଛନ୍ତି ମରାଠୀ ଅଭିନେତ୍ରୀ କେତକୀ ଚିତାଲେ । ଏନେଇ ତାଙ୍କ ନାଁରେ ୩ ଟି ଅଭିଯୋଗ ହେବା ପରେ ପୋଲିସ ତାଙ୍କୁ ହେପାଜତକୁ ନେଇଛି ।କେତକୀଙ୍କ ଏଭଳି ପୋଷ୍ଟକୁ ନେଇ ରାଜ୍ୟର ଏନସିପି ନେତାମାନେ କେତକୀଙ୍କ ଉପରେ ରାଗ ରଖିଥିଲେ । ଏହାପରେ ତାଙ୍କୁ ଗିରଫ କରିବାକୁ ବିଭିନ୍ନ ସ୍ଥାନରେ ପ୍ରଦର୍ଶନ କରିବା ପରେ ପୋଲିସ ତାଙ୍କୁ ଗିରଫ କରିଛି । କେତକୀ ସୋସିଆଲ ମିଡିଆରେ ଯେଉଁ ପୋଷ୍ଟ କରିଥିଲେ ସେଥିରେ ସେ ସିଧା ସଳଖ ଶରଦଙ୍କ ନାମ ନେଇ ନଥିଲେ ବି ୮୦ ବର୍ଷ ବୟସ ବୋଲି ଲେଖିଥିଲେ । ସେ ଲେଖିଥିଲେ କି ଆପଣ ବ୍ରାହ୍ମଣଙ୍କୁ ଘୃଣା କରୁଥିବାରୁ ନର୍କ ଆପଣଙ୍କ ଅପେକ୍ଷାରେ ରହିଛି । ଏହା ଶରଦ ପାୱାରଙ୍କ ଉର୍ଦ୍ଦେଶ୍ୟରେ ଲେଖାଯାଇଥିବା ଏନସିପି ନେତାମାନେ ଅଭିଯୋଗ କରିଛନ୍ତି । ଏନେଇ କେତକୀଙ୍କ ବିରୋଧରେ ମାନହାନୀ, ଘୃଣା ସୃଷ୍ଟି କରିବାକୁ ଉଦ୍ୟମ ଭଳି ଅନେକ ଧାରାରେ ଅଭିଯୋଗ ହୋଇଛି । କେବଳ କେତକୀ ନୁହେଁ ମହାରାଷ୍ଟ୍ର ନାସିକ ଜିଲ୍ଲାର ଜଣେ ଫାର୍ମସୀ ଛାତ୍ର ନିଜ ଟ୍ୱିଟରରେ ଶରଦ ପାୱାରଙ୍କ ବିରୋଧରେ ଏକ ପୋଷ୍ଟ କରିବାରୁ ତାଙ୍କୁ ମଧ୍ୟ ଗିରଫ କରାଯାଇଛି ।