Breaking PLUSଓଡ଼ିଶାମୁଖ୍ୟ ଖବର

ଶ୍ରୀମନ୍ଦିରରେ ପ୍ରଥମାଷ୍ଟମୀ, ପଢୁଆଁ ହେଲେ ଶ୍ରୀଜୀଉ

ପୁରୀ, ୫ ଡିସେମ୍ବର – ଆଜି ମାର୍ଗଶିର ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି । ଏହି ପବିତ୍ର ତିଥିକୁ ପ୍ରଥମାଷ୍ଟମୀ ଭାବେ ପାଳନ କରାଯାଇଥାଏ । ପ୍ରଥମାଷ୍ଟମୀ ପାଇଁ ଚଳଚଂଚଳ ହୋଇଉଠିଛି ଶ୍ରୀମନ୍ଦିର । ଏହି ଅବସରରେ ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ସ୍ଵତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଛି । ଶ୍ରୀଜଗନ୍ନାଥ ମହାପ୍ରଭୁ ହେଉଛନ୍ତି ଆଦିଦେବ ବଡ଼ଠାକୁର । ସେହିପରି ଶ୍ରୀବଳଭଦ୍ର ହେଉଛନ୍ତି ଶ୍ରୀଜଗନ୍ନାଥଙ୍କ ବଡଭାଇ । ତେଣୁ ରୀତିନୀତି ଅନୁସାରେ ପ୍ରଥମେ ଶ୍ରୀ ବଳଭଦ୍ରଙ୍କ ପଢୁଆଁ ନୀତି ଅନୁଷ୍ଠିତ ହୋଇଛି । ଏହାପରେ ଶ୍ରୀଜଗନ୍ନାଥ ଏବଂ ପରେ ଦେବୀ ସୁଭଦ୍ରାଙ୍କ ପଢୁଆଁ ନୀତି ସମ୍ପନ୍ନ ହୋଇଛି । ଆଜି ପ୍ରଥମାଷ୍ଟମୀ ପାଇଁ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି ।

ମଧ୍ୟାହ୍ନ ଧୂପ ପରେ ପ୍ରଥମାଷ୍ଟମୀ ନୀତି ଅନୁଷ୍ଠିତ ହୋଇଛି । ଶ୍ରୀମନ୍ଦିରରେ ସକାଳଧୂପ, ଭୋଗମଣ୍ଡପ ସରିବା ପରେ ତିନି ବାଡ଼ରେ ମଇଲମ କରାଯାଇ ପୂଜାପଣ୍ଡା ସେବକଙ୍କ ଦ୍ଵାରା ମହାସ୍ନାନ ନୀତି ସମ୍ପନ୍ନ ହୋଇଛି । ଏହା ପରେ ପୁଷ୍ପାଳକ ସେବକମାନେ ଠାକୁରମାନଙ୍କୁ ନୂଆଲୁଗା ଲାଗି କରିଥିଲେ । ମାମୁଁ ଘର ଅର୍ଥାତ୍ ନିଆଳି ମାଧବାନନ୍ଦଜୀଉ ପୀଠରୁ ପଢୁଆଁ ଭାରରେ ଆସିଥିବା ନୂଆ ଲୁଗା ପିନ୍ଧିଛନ୍ତି ମହାପ୍ରଭୁ । ଏହାପରେ ପୂଜାପଣ୍ଡା, ପତିମହାପାତ୍ର ଓ ମୁଦିରସ୍ତ ସେବକ ତିନି ବାଡ଼ିରେ ଚନ୍ଦନ ଲାଗି କରିଥିଲେ । ଚନ୍ଦନଲାଗି ବଢ଼ିବା ପରେ ଠାକୁରମାନଙ୍କ ବେଶ ଅନୁଷ୍ଠିତ ହୋଇଥିଲା । ଏହି ବେଶରେ ଛଅମୂର୍ତି(ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ମା ସୁଭଦ୍ରା, ସୁଦର୍ଶନ, ମାଧବ, ଶ୍ରୀଦେବୀ)ଙ୍କୁ ସୁବର୍ଣ୍ଣ ଅଳଙ୍କାର ଲାଗି କରାଯାଇଛି । ଶ୍ରୀ ବିଗ୍ରହମାନଙ୍କ ଠାରେ କର୍ପୂର ଲାଗିକରି ପୁଷ୍ପାଳକମାନେ ସିଂହାସନରୁ ଓହ୍ଲାଇ ଆସିଲାପରେ ସୁଦୁସୁଆର ପୂଜା କରିବା ଉତାରେ ତିନି ବାଡ଼ରେ ପୂଜାପଣ୍ଡା, ପତିମହାପାତ୍ର ଓ ମୁଦିରସ୍ତ ସେବକ ବରୁଣପୂଜା କରିଛନ୍ତି । ମଧ୍ୟାହ୍ନ ଧୂପ ଉଠିବା ପରେ ତିନି ବାଡ଼ରେ ମଙ୍ଗଳାର୍ପଣ ବଢ଼ି ଫୁଲୁପୁରିଆ ଖଦି ଓ ଛେଦା ପ୍ରସାଦ ଲାଗିସରି ବନ୍ଦାପନା କରାଯାଇଛି । ଏହିଦିନ ସ୍ଵତନ୍ତ୍ରଭାବେ ପ୍ରସ୍ତୁତ ଏଣ୍ଡୁରୀ ପିଠା ସହିତ ନାଡ଼ୀ, ଧଉଳା, ଖଇରଚୂଳ, ସାନ ଆରିସା, ସରପୁଳି ପିଠା ଓ ଘିନାଡ଼ୀ, କାନ୍ତ କାକରା, ଗଜା, ବଡ଼ ଡ଼ାଳିମ୍ବ, ଓରିଆ, ମୁଗ, ଖିରୀ ଇତ୍ୟାଦି ମହାପ୍ରଭୁଙ୍କ ନିକଟରେ ଭୋଗ ହୋଇଛି । ପ୍ରଥମାଷ୍ଟମୀ ପର୍ବଟି ମହାପ୍ରଭୁଙ୍କ ‘ମାନବୀୟ ଲୀଳା’ର ଅନ୍ୟ ଏକ ଉଦାହରଣ । ପରିବାରର ଜ୍ୟେଷ୍ଠସନ୍ତାନ ପରି ସମଗ୍ର ବିଶ୍ଵର ଜ୍ୟେଷ୍ଠ ହିସାବରେ ବଡ଼ଠାକୁରଙ୍କୁ ଶ୍ରୀମନ୍ଦିରରେ ପ୍ରଥମାଷ୍ଟମୀ ଦିନ ପଢୁଆଁ କରାଯିବା ନୀତିକୁ ଯେଉଁ ଭକ୍ତଗଣ ଚର୍ମଚକ୍ଷୁରେ ଦର୍ଶନ କରନ୍ତି, ସେମାନଙ୍କର ସମସ୍ତ ପାପତାପ ଖଣ୍ଡିତ ହୋଇ ବୈକୁଣ୍ଠପ୍ରାପ୍ତି ସୁଗମ ହୋଇଥାଏ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି ।
ଏଠାରେ ଉଲ୍ଲେଖଯୋଗ୍ୟ, ଶ୍ରୀମନ୍ଦିରରେ ବଡ ଠାକୁରଙ୍କ ପଢୁଆଁ ପାଇଁ ଗତକାଲି ମହାପ୍ରଭୁଙ୍କ ମାମୁଁଘର ନିଆଳି ଶ୍ରୀମାଧବାନନ୍ଦଜୀଉ ମନ୍ଦିରରୁ ଆସିଥିଲା ପଢୁଆଁ ଭାର ।

Show More

Related Articles

Back to top button