ଅପରାଧଆଇନ କାନୁନଦେଶ ବିଦେଶମୁଖ୍ୟ ଖବରରାଜନୀତି

ସତ୍ୟେନ୍ଦ୍ର ଜୈନଙ୍କ ଜେଲ ରହଣି ମାମଲା: ବିଜେପିର ୧୦ ଭିଡିଓ ଓ କେଜ୍ରିୱାଲଙ୍କ ୧୦ ଗ୍ୟାରେଣ୍ଟି ମଧ୍ୟରେ ହେବ ଲଢ଼େଇ

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ଆପ୍‌ ନେତା ସତ୍ୟେନ୍ଦ୍ର ଜୈନଙ୍କୁ ତିହାର ଜେଲ ଭିତରେ ସ୍ୱତନ୍ତ୍ର ଆଥିତ୍ୟ ମିଳୁଥିବା ବେଳର ଗୋଟିଏ ପରେ ଗୋଟିଏ ଭିଡିଓ ସାମ୍ନାକୁ ଆସୁଛି। ଏହି ଲିକ୍‌ ଭିଡିଓକୁ ବିଜେପି ଜାରି କରି କ୍ଷମତାସୀନ ଆପ୍‌ ସରକାରଙ୍କୁ ଟାର୍ଗେଟ କରୁଛି।

ତେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍‌ର ଜାତୀୟ ଆବାହକ ଅରବିନ୍ଦ କେଜ୍ରିୱାଲ କିନ୍ତୁ ଏହି ଲିକ୍‌ ଭିଡିଓ ସମ୍ପର୍କରେ କିଛି ପ୍ରତିକ୍ରିୟା ଦେବାକୁ ମନା କରି ଦେଇଛନ୍ତି। ଏଥିସହ ଆସନ୍ତା ଦିଲ୍ଲୀ ପୌର ନିର୍ବାଚନରେ ଲୋକମାନେ ଏହାର ଉତ୍ତର ଭୋଟ ମାଧ୍ୟମରେ ଦେବେ ବୋଲି ସେ କହିଛନ୍ତି।

କେଜ୍ରିୱାଲ କହିଛନ୍ତି, “ଏମସିଡି ନିର୍ବାଚନର ପ୍ରସଙ୍ଗ ଏବେ ପୂରା ସ୍ପଷ୍ଟ ହୋଇଯାଇଛି। ଏହି ନିର୍ବାଚନରେ ବିଜେପିର ୧୦ ଭିଡିଓ ଓ କେଜ୍ରିୱାଲଙ୍କର ୧୦ ଗ୍ୟାରେଣ୍ଟି ମଧ୍ୟରେ ହେବ ଲଢ଼େଇ । ଡିସେମ୍ବର ୪ ଯାଏ ଆପଣମାନେ ଅପେକ୍ଷା କରନ୍ତୁ। ଦିଲ୍ଲୀବାସୀ ଏହି ସବୁ ଭିଡିଓର ଉଚିତ ଜବାବ ଦେବେ।

ମନି ଲଣ୍ଡରିଂ ମାମଲାରେ ଜୈନ ଗିରଫ ହୋଇ ୫ମାସ ହେଲା ଜେଲରେ ଅଛନ୍ତି। ତଥାପି ତାଙ୍କୁ କେଜ୍ରିୱାଲ ମନ୍ତ୍ରୀ ପଦରୁ ହଟାଇ ନାହାନ୍ତି। ତାଙ୍କ ଗିରଫଦାରୀ ପଛରେ ରାଜନୀତିକ ଷଡ଼ଯନ୍ତ୍ର ଥିବା କେଜ୍ରିୱାଲ ଅଭିଯୋଗ କରିଛନ୍ତି। ଏବେ ସାମ୍ନାକୁ ଆସୁଥିବା ଭିଡିଓରେ ଜୈନ କେତେବେଳେ ଭିଭିଆଇପି ସୁବିଧା ଓ ଖାଦ୍ୟ ପାଉଛନ୍ତି ତ ଆଉ କେତେବେଳେ ଜେଲର ଚାରିକାନ୍ଥ ମଧ୍ୟରେ ଅଧିକାରୀଙ୍କ ସହ ବୈଠକ କରୁଥିବା ଦୃଶ୍ୟ ଦେଖିବାକୁ ମିଳୁଛି।

ହେଲେ କେଜ୍ରିୱାଲ ନିଜ ମନ୍ତ୍ରୀଙ୍କୁ ଡିଫେଣ୍ଡ କରିବା ସହ ଜେଲରେ ଜୈନଙ୍କୁ କୌଣସି ପ୍ରକାରର ସ୍ୱତନ୍ତ୍ର ସୁବିଧା ମିଳୁନି ବୋଲି କହିଥିଲେ। ଗୋଟିଏ ଜାତୀୟ ଗଣମାଧ୍ୟମର କାର୍ଯ୍ୟକ୍ରମରେ କେଜ୍ରିୱାଲ କହିଛନ୍ତି, “ସତ୍ୟେନ୍ଦ୍ର ଜୈନଙ୍କୁ ଜେଲରେ କୌଣସି ପ୍ରକାରର ଭିଭିଆଇପି ସୁବିଧା ମିଳୁନି। ସେ ସବୁ କିଛି ଜେଲ ମାନୁଆଲରେ ଥିବା ବ୍ୟବସ୍ଥା ଅନୁସାରେ ପାଉଛନ୍ତି। ସେ ରୁଟି ଖାଉଛନ୍ତି। ଆପଣ ପଚାରିବେ ସେ କାହିଁକି ରୁଟି ଖାଇବେ? ଏହା କେଉଁ ପ୍ରକାରର ରାଜନୀତି?

Show More

Related Articles

Back to top button