Breaking PLUSଓଡ଼ିଶାମୁଖ୍ୟ ଖବର

ଜାନୁଆରୀ ୨୭ରେ ସମଲେଇ ପ୍ରକଳ୍ପର ଲୋକାର୍ପଣ

ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲେ ଟ୍ରଷ୍ଟ ବୋର୍ଡ ଓ ସେବାୟତଗଣ

ମା’ଙ୍କ ପାଇଁ ପ୍ରତି ଘରୁ ଆସିବ ସିନ୍ଦୁର
ଭୁବନେଶ୍ୱର, 6 ଜାନୁଆରୀ – ପଶ୍ଚିମ ଓଡିଶାର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀ ପୀଠର ଚାଲିଛି ରୂପାନ୍ତରଣ । ଆଗାମୀ ୨୭ ତାରିଖରେ ହେବ ପ୍ରକଳ୍ପର ଲୋକାର୍ପଣ । ଏହି ପରିପ୍ରେକ୍ଷୀରେ ଶନିବାର ମନ୍ଦିର ଟ୍ରଷ୍ଟ ବୋର୍ଡର ସଦସ୍ୟ, ସଭାପତି ଓ ପୂଜାରୀ ମାନେ ନବୀନ ନିବାସ ଆସି ମଙ୍ଗଳାଷ୍ଟକ ଗାନ ମଧ୍ୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଆଶୀର୍ବାଦ କରିଥିଲେ ଏବଂ ପ୍ରକଳ୍ପର ଲୋକାର୍ପଣ ପାଇଁ ନିମନ୍ତ୍ରଣ ଦେଇଥିଲେ ।

ମା ଙ୍କ ପୀଠର ରୂପାନ୍ତର ପାଇଁ ସେମାନେ ମୁଖ୍ୟମନ୍ତ୍ରୀ ଓ ୫ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିଆନଙ୍କୁ ଧନ୍ୟବାଦ ଦେଇଥିଲେ । ସେମାନେ କହିଥିଲେ ଯେ ଲୋକାର୍ପଣ ପାଇଁ ଟ୍ରଷ୍ଟ ବୋର୍ଡ ପକ୍ଷରୁ ସବୁ ଘରକୁ ନଡିଆ ଦିଆଯିବ ଏବଂ ସବୁ ଘରୁ ମା’ଙ୍କ ପାଇଁ ସିନ୍ଦୁର ଆସିବ ।

ମା’ଙ୍କ କାମରେ ସମସ୍ତଙ୍କ ସହଯୋଗ କାମନା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମା’ଙ୍କ ପୀଠ ଓ ସମ୍ବଲପୁର ସହରର ଉନ୍ନତି ପାଇଁ ସେ ସବୁବେଳେ ଗୁରୁତ୍ୱ ଦେଇ ଆସିଛନ୍ତି । ଆଗାମୀ ଦିନରେ ମଧ୍ୟ ଏହି କାର୍ଯ୍ୟ ଜାରି ରହିବ । ଶ୍ରୀ ପାଣ୍ଡିଆନ କହିଥିଲେ ଯେ ମା’ଙ୍କ ଆଶୀର୍ବାଦରୁ ସବୁ କାମ ଭଲରେ ଭଲରେ ଚାଲିଛି ଏବଂ ଆଗକୁ ମଧ୍ୟ ସବୁ କାମ ଭଲରେ ହେବ । ସମସ୍ତଙ୍କ ସହଯୋଗରେ ରୂପାନ୍ତର କାମ ଜାରି ରହିବ ।

ସୂଚନାଯୋଗ୍ୟ ଯେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀଙ୍କ ମନ୍ଦିର ଷୋଡଶ ଶତାଦ୍ଦୀର ଏକ ପ୍ରସିଦ୍ଧ ପୀଠ । ଏହାର ଉନ୍ନତି ପାଇଁ ୨୦୨୧ ମସିହାରେ ମୁଖ୍ୟମନ୍ତ୍ରୀ ସମଲେଇ ପ୍ରକଳ୍ପ ଆରମ୍ଭ କରିଛନ୍ତି । ଏଥିପାଇଁ ୨୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ମନ୍ଦିରର ସୌନ୍ଦର୍ଯ୍ୟକରଣ ସହିତ ଭକ୍ତ ମାନଙ୍କ ପାଇଁ ଏକ ଅଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଇଛି । ମନ୍ଦିର ସହିତ ମହାନଦୀ ଘାଟର ମଧ୍ୟ ଉନ୍ନତିକରଣ କରାଯାଉଛି । ଏହି ପ୍ରକଳ୍ପର ସଠିକ କାର୍ଯ୍ୟାନ୍ୱୟନ ପାଇଁ ୫ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ଅନେକ ଥର ସମ୍ବଲପୁର ଯାଇ ପ୍ରକଳ୍ପ କାର୍ଯ୍ୟ ସମୀକ୍ଷା କରିଛନ୍ତି ।

ମୁଖ୍ୟମନ୍ତ୍ରୀ ଙ୍କୁ ନିମନ୍ତ୍ରଣ ପୂର୍ବରୁ ସେମାନେ ମା ସମଲେଶ୍ୱରୀ ଙ୍କୁ ପୂଜା କରି ମା ପାଟଣେଶ୍ୱରୀ ମା ଦଶମତୀ ମା ବାଟ ମଙ୍ଗଳା ବାବା ସୋମନାଥଙ୍କୁ ଏବଂ ଭୁବନେଶ୍ୱରରେ ଲିଙ୍ଗରାଜ ମହାପ୍ରଭୁଙ୍କୁ ନିମନ୍ତ୍ରଣ କରିଥିଲେ ।

Show More

Related Articles

Back to top button