Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତି

ଓଡିଶାରେ ନୂଆ ପିସିସି ପ୍ରଭାରୀ ଡ. ଅଜୟ କୁମାର – ଦଳକୁ ଫେରିଆସିବାକୁ ଆହ୍ୱାନ

ଭୁବନେଶ୍ୱର, 6 ଜାନୁଆରୀ – ଓଡ଼ିଶା ପାଇଁ ନବନିଯୁକ୍ତ କଂଗ୍ରେସ ପ୍ରଭାରୀ ପୂର୍ବତନ ସାଂସଦ ଡ. ଅଜୟ କୁମାର ଶନିବାର ଭୁବନେଶ୍ୱରରେ ପହଂଚିଛନ୍ତି । ଭୁବନେଶ୍ୱର ବିମାନ ବନ୍ଦରରେ ପଂହଚିବା ପରେ ତାଙ୍କୁ ଏକ ଶୋଭାଯାତ୍ରାରେ କଂଗ୍ରେସ ଭବନ ପର୍ଯ୍ୟନ୍ତ ଅଣାଯାଇଥିଲା ।

ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପ୍ରଦେଶ କଂଗ୍ରେସ କାର୍ଯ୍ୟକାରୀ କମିଟି ଓ କର୍ମକର୍ତା ବୈଠକରେ ଉଦବୋଧନ ଦେଇ ପ୍ରଭାରୀ ଡ. ଅଜୟ କୁମାର କହିଥିଲେ ଯେ ଅଗାମୀ ୨୦୨୪ ସାଧାରଣ ନିର୍ବଚନରେ କଂଗ୍ରେସ ବିଜୟର ଯଥେଷ୍ଟ ସମ୍ଭାବନା ରହିଛି । ଓଡ଼ିଶାରେ କଂଗ୍ରେସ ଆଜି ଯେଉଁ ସ୍ଥିତିରେ ଅଛି ତେଲେଙ୍ଗାନାରେ ମଧ୍ୟ ସମାନ ସ୍ଥିତିରେ ଥିଲା । କଂଗ୍ରେସ କର୍ମୀ ଓ ନେତୃବର୍ଗ ସଂକଳ୍ପ ନେଇ ସେଠାରେ ଯଦି କଂଗ୍ରେସକୁ ପୁନଃ କ୍ଷମତାସୀନ କରିପାରିଲେ ଓଡ଼ିଶାରେ ତାହା ନିଶ୍ଚୟ ହୋଇପାରିବ । ସେ ତାଙ୍କ ଅଭିଭାଷଣରେ ଦଳୀୟ ଶୃଙ୍ଖଳାକୁ ଅଧିକ ଗୁରୁତ୍ୱ ଦେଇଥିଲେ । ତେଲେଙ୍ଗାନା ନିର୍ବାଚନୀ ସଫଳତାରେ ସାମାଜିକ ଗଣମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା । ଓଡ଼ିଶା କଂଗ୍ରେସରେ ସାମାଜିକ ଗଣମାଧ୍ୟମକୁ ଅଧିକ କ୍ରିୟାଶୀଳ କରବାକୁ ସେ ପରାମର୍ଶ ଦେଇଥିଲେ । କଂଗ୍ରେସ ପକ୍ଷରୁ “ଦେଶପାଇଁ ଦାନ” ଅଭିଯାନରେ ବ୍ୟାପକ ଭାବରେ ଲୋକମାନଙ୍କୁ ସାମିଲ କରିବାପାଇଁ ସେ କହିଥିଲେ । ଯେଉଁମାନେ କଂଗ୍ରେସ ଦଳ ଛାଡ଼ିଯାଇଛନ୍ତି ସେମାନେ ଫେରିଆସିବାପାଇଁ ଡ. କୁମାର ଆହ୍ୱାନ ଦେଇଥିଲେ । ସେ ଦୃଢ଼ ଭାବରେ କହିଥିଲେ ଯେ ଓଡ଼ିଶା ଓଡ଼ିଆମାନଙ୍କ ପାଇଁ । ଏହି ପ୍ରସଙ୍ଗରେ କୌଣସି ପ୍ରକାର ବ୍ୟତିକ୍ରମକୁ ବରଦାସ୍ତ କରାଯିବା ଉଚିତ ନୁହେଁ ।

ପିସିସି ସଭାପତି ଶ୍ରୀ ପଟ୍ଟନାୟକ ସମସ୍ତଙ୍କୁ ସ୍ୱାଗତ କରି କହିଲେଯେ ଦୀର୍ଘବର୍ଷ ଧରି କଂଗ୍ରେସ ଶାସନରେ ନଥିଲେ ମଧ୍ୟ ଆପଣମାନେ ତୃଣମୂଳସ୍ତରରେ ପାହାଡ଼ ଭଳି ଦୃଢ଼ ଭାବରେ ଛିଡାହୋଇଥିବାରୁ ହିଁ କଂଗ୍ରେସ ତିଷ୍ଠି ରହିଛି । ପ୍ରଦେଶ କଂଗ୍ରେସ ପକ୍ଷରୁ ନିକଟରେ ଆୟୋଜିତ ତୁଳସୀ ଯାତ୍ରା, ସଂକୀର୍ତନ ସତ୍ୟାଗ୍ରହ, କଳିଙ୍ଗନଗର ଆଦିବାସୀ ଗଣହତ୍ୟାର ପ୍ରତିବାଦରେ ମହମତୀ ଶୋଭାଯାତ୍ରା ଓ ରାଜ୍ୟବ୍ୟାପୀ ଶ୍ରଦ୍ଧାଞ୍ଜଳୀ ସମାରୋହ ଭାରତଯୋଡ଼ ଓଡ଼ିଶା ପରିବର୍ତନ ଯାତ୍ରା, ହାତସେ ହାତ ଯୋଡ଼ ଯାତ୍ରା, ରାଜ୍ୟବ୍ୟାପି ଜନସମ୍ପର୍କ ପଦଯାତ୍ରା, ଦରଦାମ ବୃଦ୍ଧି ପ୍ରତିବାଦରେ ବ୍ଲକ ଘେରାଉ କାର୍ଯ୍ୟକ୍ରମ ଇତ୍ୟାଦିର ଅଦ୍ଭୁତପୂର୍ବ ସଫଳତା କଂଗ୍ରେସ ନେତୃବୃନ୍ଦ, କର୍ମୀ ଓ ସାଧାରଣ ଜନତାଙ୍କ ସହଯୋଗରେ ସମ୍ଭବ ହୋଇପାରିଛି । ଆଗାମୀ ଦିନରେ ଡ. ଅଜୟ କୁମାରଙ୍କ ଦିଗଦର୍ଶନରେ ଏହି ୨୪ ବର୍ଷର ଭ୍ରଷ୍ଟାଚାରୀ ବିଜେଡ଼ି ସରକାରକୁ ହଟାଇବାକୁ ସମସ୍ତେ ଆଗେଇ ଆସିବାକୁ ସେ ଆହ୍ୱାନ ଦେଇଥିଲେ ।

ବୈଠକ ପ୍ରାରମ୍ଭରେ ପରଲୋକ ଗମନ କରିଥିବା ପୂର୍ବତନ ବିଧାୟକ ସନ୍ତୋଷ ପ୍ରଧାନ, ରମେଶ ଜେନା, ରବିନ୍ଦ୍ର କୁମାର ଦାସ, ସତ୍ୟବାଦୀ ସ୍ୱାଇଁ, ପ୍ରମିଳା ଆଚାର୍ଯ୍ୟ ପ୍ରମୁଖଙ୍କ ବିୟୋଗରେ ପିସିସି ବରିଷ୍ଠ ଉପସଭାପତି ଶିବାନନ୍ଦ ରାୟ ପ୍ରସ୍ତାବ ଆଗତ କରିଥିଲେ ଏବଂ ଦିବଗଂତ ଆତ୍ମାର ସଦଗତି କାମନା ପାଇଁ ନୀରବ ପ୍ରାର୍ଥନା କରାଯାଇଥିଲା ।

ବୈଠକରେ ରାଜନୈତିକ ପ୍ରସ୍ତାବ ସୁରେଶ ମହାପାତ୍ର ଆଗତ କରିଥିବା ବେଳେ କିଶୋର ଜେନା ସମର୍ଥନ କରିଥିଲେ । ଅର୍ଥନୈତିକ ପ୍ରସ୍ତାବ ପଂଚାନନ କାନୁନଗୋ ଆଗତ କରିଥିବା ବେଳେ ଅନନ୍ତ ପ୍ରସାଦ ସେଠୀ ସମର୍ଥନ କରିଥିଲେ । ସେହିଭଳି ବିଜେପି ଓ ବିଜେଡ଼ି ସରକାରଙ୍କ ଦୁର୍ନୀତି ଓ ବିଫଳତା ପ୍ରସ୍ତାବ ସୁଶିଳା ତିରିଆ ଆଗତ କରିଥିବା ବେଳେ ମନଜା ମଞ୍ଜରୀ ଦେବୀ ସମର୍ଥନ କରିଥିଲେ । ଶେଷରେ ପିସିସି ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ଶ୍ରୀ ଗଣେଶ୍ୱର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

ଆଜିର କାର୍ଯ୍ୟକାରିଣୀରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ବିଜୟ ପଟ୍ଟନାୟକ, ରାମଚନ୍ଦ୍ର ଖୁଂଟିଆ, ସପ୍ତଗିରି ଉଲ୍ଲାକା, ଶରତ ରାଉତ, ସୁଶ୍ରୀ ସୁଶିଳା ତିରିଆ, ତାରାପ୍ରସାଦ ବାହିନୀପତି, ସନ୍ତୋଷ ସିଂ ସାଲୁଜା, ଶିବାବନ୍ଦ ରାୟ, ରମେଶ ଜେନା, ଦାସରଥି ଗମାଙ୍ଗୋ, କିଶୋର ପଟେଲ, ଅନନ୍ତ ପ୍ରସାଦ ସେଠୀ, ରାଜନ ଏକା, ସୁରେନ୍ଦ୍ର ସିଂ ଭୋଇ, ବିଶ୍ୱ ରଞ୍ଜନ ମହାନ୍ତି, ବିଜୟଲକ୍ଷ୍ମୀ ସାହୁ, ଅମୀୟ ପଟ୍ଟନାୟକ, ରାଜକିଶୋର ସାହୁ, ବିସ୍ମୟ ମହାପାତ୍ର, ଲଲାଟେନ୍ଦୁ ଦାସ, ମଧୁସ୍ମିତା ଆଚାର୍ଯ୍ୟ, ଡଃ ଦେବାଶିଷ ପଟ୍ଟନାୟକଙ୍କ ସମେତ ସମସ୍ତ ଉପସଭାପତି, ସାଧାରଣ ସମ୍ପାଦକ ଓ ସମ୍ପାଦକଗଣ ଉପସ୍ଥିତ ଥିଲେ ।

Show More

Related Articles

Back to top button