
ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଏବଂ ଚନ୍ଦ୍ରଗ୍ରହଣ। ତେଣୁ ରାଜ୍ୟର ଅଧିକାଂଶ ସ୍ଥାନରେ ଲୋକେ ମଧ୍ୟରାତ୍ରିରୁ ନିର୍ଦ୍ଧାରିତ ସମୟ ପର୍ଯ୍ୟନ୍ତ ଡଙ୍ଗା ଭସାଉଥିବାର ଦେଖିବାକୁ ମିଳିଥିଲା । ସକାଳୁ ଦେବନୀତି ନିଷେଧ ଥିବାକୁ ଏହା ପୂର୍ବରୁ ବୋଇତ ବନ୍ଦାଣ ସହ ଡଙ୍ଗା ଭସାଇଛନ୍ତି ଶ୍ରଦ୍ଧାଳୁ।
ଲୋକେ ରାତି ୨ଟାରୁ ଉଠି ସ୍ନାନାଦି ଶେଷ କରି ଘର ଆଗରେ, ଚଉରାମୂଳେ ମୁରୁଜ ପକାଇ ପୂଜାର୍ଚ୍ଚନା ସାରି ଡଙ୍ଗା ଭସାଇଥିଲେ । ବୋଇତ ବନ୍ଦାଣ ପାଇଁ ବିଳମ୍ବିତ ରାତିରୁ ଭୋର ପର୍ଯ୍ୟନ୍ତ ବିଭିନ୍ନ ରାଜ୍ୟର ବିଭିନ୍ନ ନଦୀ, କେନାଲ୍ ଓ ପୁଷ୍କରିଣୀରେ ଶ୍ରଦ୍ଧାଳୁଙ୍କ ବେଶ ଭିଡ଼ ଜମିଥିବାର ଦେଖିବାକୁ ମିଳିଥିଲା। କଟକର ଗଡ଼ଗଡ଼ିଆ ଘାଟ, କାଠଯୋଡ଼ି ନଦୀର ବିଭିନ୍ନ ଘାଟରେ ରାଜଧାନୀର ବିନ୍ଦୁସାର ଘାଟ ଓ କୁଆଖାଇ ନଦୀରେ ପ୍ରବଳ ଜନସମାଗମ ହୋଇଥିଲା।