Breaking PLUSଓଡ଼ିଶାମୁଖ୍ୟ ଖବର

ଖଲ୍ଲିକୋଟ ରାଣୀ ସୁଜ୍ଞାନ କୁମାରୀ ଦେଓ ପଂଚଭୂତରେ ବିଲୀନ

ଗଞ୍ଜାମ, ୧୧ ଫେବୃଆରୀ – ଆଜି ଅପରାହ୍ନ ସାଢେ ଚାରିଟା ବେଳେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଖଲ୍ଲିକୋଟ ରାଜପରିବାରର ଶ୍ମଶାନ ଘାଟରେ ପୂର୍ବତନ ବିଧାୟିକା ତଥା ଖଲ୍ଲିକୋଟ ରାଣୀ ସାହେବା ସୁଜ୍ଞାନ କୁମାରୀ ଦେଓଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ମନ୍ତ୍ରୀ ବିକ୍ରମକେଶରୀ ଆରୁଖ ଓ ଜିଲା ବିଜେଡି ସଭାପତି ଡାକ୍ତର ରମେଶ ଚନ୍ଦ୍ର ଚାଉପଟ୍ଟନାୟକ ପହଂଚି ଥିଲେ। ପରେ ରାଜ ପରିବାରର ନୀତି ନିୟମ ଅନୁଯାୟୀ ଶ୍ୟାମସୁନ୍ଦରପୁର ଗ୍ରାମର ଜଣେ ବ୍ରାହ୍ମଣ କାଳୀଆଚାର୍ଯ୍ୟ ମୁଖାଗ୍ନି ଦେବାପରେ ଶୋକାକୂଳ ଜନସମାବେଶରେ ରାଣୀ ମାଙ୍କ ମରଶରୀର ପଂଚଭୂତରେ ବିଲୀନ ହୋଇଛି ।

ଆଜି ସକାଳୁ ମଧ୍ୟାହ୍ନ ପର୍ଯ୍ୟନ୍ତ ତାଙ୍କ ରମ୍ଭା ସ୍ଥିତ ବାସଭବନରେ ହଜାର ହଜାର ସଂଖ୍ୟାରେ ଜନସାଧାରଣ, ବହୁ ବିଶିଷ୍ଟ ବ୍ୟକ୍ତି, ପ୍ରଶଂସକ ଓ ଶୁଭେଚ୍ଛୁ ରାଣୀ ସାହେବାଙ୍କ ଶେଷ ଦର୍ଶନ କରିଥିଲେ । ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ର, ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ନେତା ପଂଚାନନ କାନୁନଗୋଙ୍କ ସମେତ ବହୁ ବିଧାୟକ ଏବଂ ସାଂସଦ ରାଣୀ ସାହେବାଙ୍କ ଶେଷ ଦର୍ଶନ କରିଛନ୍ତି ।

ଗତକାଲି ଚେନ୍ନାଇରୁ ଏକ ସ୍ଵତନ୍ତ୍ର ବିମାନ ଯୋଗେ ଭୁବନେଶ୍ଵର ଅଣାଯାଇଥିଲା ତାଙ୍କ ମରଶରୀର । ଶଙ୍ଖଭବନ ପରେ ବିଧାନସଭା ପରିସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା । ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଶୁକ୍ରବାର ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା । ଖଲ୍ଲିକୋଟ ଓ କବିସୂର୍ଯ୍ୟନଗରରୁ ସେ ୧୦ ଥର ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ ।

Show More

Related Articles

Back to top button