ଓଡ଼ିଶା

ଆସୁଛନ୍ତି ବିରଳ ଅଲିଭ ରିଡଲେ

ବେଳାଭୂମି ସଫା କରିଛି ପ୍ରଶାସନ, ୧ରୁ ମାଛଧରା ମନା

ଆସୁଛନ୍ତି ଅଲିଭ୍‌ ରିଡ୍‌ଲେ । ନଭେମ୍ବର ଦ୍ୱିତୀୟ ସପ୍ତାହ ସୁଦ୍ଧା ଗଞ୍ଜାମ ଋଷିକୁଲ୍ୟା ଉପକୂଳରେ ପହଞ୍ଚିବେ ବୋଲି ଆଶା କରାଯାଉଛି । ସୁଦୂର ଶ୍ରୀଲଙ୍କାରୁ ଆସି ସେମାନେ ଋଷିକୁଲ୍ୟାରେ ମିଳନ ହେବା ସହ ଏଠାରେ ଅଣ୍ଡାଦାନ କରିଥାନ୍ତି । ଗତବର୍ଷ ଗଣ ଅଣ୍ଡାଦାନ ହୋଇନଥିବା ବେଳେ ଚଳିତ ବର୍ଷ ଅଲିଭ୍‌ ରିଡ୍‌ଲେଙ୍କ ଆଗମନକୁ ଚାହିଁ ରହିଛି ବନ ବିଭାଗ । ଅନନ୍ତରାୟପୁରରୁ ପ୍ରୟାଗୀ ପର୍ଯ୍ୟନ୍ତ ବେଳାଭୂମି ସଫେଇ ଆରମ୍ଭ ହୋଇସାରିଛି । ନଭେମ୍ବର ୧ତାରିଖରୁ ଏହି ଅଞ୍ଚଳରେ ଥିବା ଗାଁ ଗୁଡ଼ିକରେ ସଚେତନ କରାଯିବା ସହ ୧୧ଟି କ୍ୟାମ୍ପ୍‌ କରାଯିବ ବୋଲି କହିଛନ୍ତି ବ୍ରହ୍ମପୁର ବନଖଣ୍ଡ ଡିଏଫ୍‌ଓ ଅମ୍ଲାନ ନାୟକ। ୧୧ଟି କ୍ୟାମ୍ପ୍‌ରେ ନିୟୋଜିତ କର୍ମଚାରୀ ମାନେ ବେଳାଭୂମିରେ ପାଟ୍ରୋଲିଂ କରିବେ । କଇଁଛଙ୍କ ସୁରକ୍ଷା ଦେଖିବେ ଏବଂ ଯଦି ମୃତ କଇଁଛ ଲାଗୁଛନ୍ତି, ତାହେଲେ ବ୍ୟବଚ୍ଛେଦ କରି ପୋତିବା ବ୍ୟବସ୍ଥା କରିବେ । ସମୁଦ୍ରରେ ପାଟ୍ରୋଲିଂ ପାଇଁ ସ୍କ୍ୱାଡ୍‌ ଗଠନ କରାଯାଇଛି । ପୁଲିସ, ମତ୍ସ୍ୟ ବିଭାଗ ଓ ବନ ବିଭାଗ ମିଳିତ ଭାବେ ପାଟ୍ରୋଲିଂ କରିବେ । ବନ ବିଭାଗ ନିଜସ୍ୱ ଭାବେ ମଧ୍ୟ ପାଟ୍ରୋଲଂ କରିବ । ସ୍ପିଡ୍‌‌ ବୋଟ୍‌ ୩ଟି ରହିଥିବା ବେଳେ ଗୋପାଳପୁର ପୋର୍ଟ ଗୋଟିଏ ଟ୍ରଲର ଦେବାକୁ ଚିଠି କରାଯାଇଛି । ନଭେମ୍ବର ୧ରୁ ଆସନ୍ତା ମେ ମାସ ପର୍ଯ୍ୟନ୍ତ ଏହି ଅଞ୍ଚଳରେ ମେକାନିଜିମ୍‌ ଫିସିଂ ବୋଟ୍‌ ପ୍ରବେଶକୁ ନିଷେଧ କରାଯାଇଛି । କରାଯାଇଥିବା ୧୧ଟି କ୍ୟାମ୍ପ୍‌ ମଧ୍ୟରୁ ୬ଟି ଖଲ୍ଲିକୋଟ, ୫ଟି ବ୍ରହ୍ମପୁର ରେଞ୍ଜ୍‌ରେ ଆସୁଛି । ରେଞ୍ଜର ମାନେ ନିୟମିତ ଅନୁଧ୍ୟାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ଡିଏଫ୍‌ଓ ଅମ୍ଲାନ୍‌ ନାୟକ । ୫୨ କିଲୋମିଟର ବେଳାଭୂମି ମଧ୍ୟରେ ପୁରୁଣାବନ୍ଧରୁ ବଟେଶ୍ୱର ପର୍ଯ୍ୟନ୍ତ ୫କିଲୋମିଟର ଗଣଅଣ୍ଡାଦାନ ହୋଇଥାଏ । ଏହି ୫ କିଲୋମିଟର ଅଞ୍ଚଳକୁ ଜାଲ ବେଢ଼ାଇବା ବ୍ୟବସ୍ଥା କରାଯାଉଛି ବୋଲି ସେ କହିଛନ୍ତି ।

ପ୍ରତିବର୍ଷ ଗଞ୍ଜାମ ଜିଲ୍ଲା ଗଞ୍ଜାମ ବ୍ଳକ୍‌ ଋଷିକୁଲ୍ୟା ମୁହାଣରେ ଲକ୍ଷ ଲକ୍ଷ କଇଁଛ ଆସି ଅଣ୍ଡାଦାନ କରିଥାନ୍ତି । ମାର୍ଚ୍ଚ ଶେଷ ସୁଦ୍ଧା ଅଣ୍ଡାଦାନ ସରୁଥିବା ବେଳେ ଏପ୍ରିଲ୍‌ ମାସରେ ଅଣ୍ଡାରୁ ଛୁଆ ହୋଇଥାଏ । ୨୦୧୭ରେ ୩.୭୨ ଲକ୍ଷ କଇଁଛ ଅଣ୍ଡାଦାନ କରିଥିଲେ ଏବଂ ୨୦୧୮ରେ ୪ ଲକ୍ଷ ୪୫ ହଜାର ୪୨୯ ଅଲିଭ୍‌ ରିଡ୍‌ଲେ ଗଣଅଣ୍ଡାଦାନ କରିଥିଲେ । ୨୪ ବର୍ଷରେ ରେକର୍ଡ ସଂଖ୍ୟକ ଅଣ୍ଡାଦାନ ହୋଇଥିଲା । ୨୦୧୯ରେ ୩.୨୩ଲକ୍ଷ କଇଁଛ ଅଣ୍ଡାଦାନ କରିଥିବା ବେଳେ ୨୦୨୦ରେ ଗଣଅଣ୍ଡାଦାନ ହୋଇପାରିନଥିଲା । ମାତ୍ର ୪୩୮୮ କଇଁଛ ଅଣ୍ଡାଦାନ କରିଥିଲେ । ଚଳିତବର୍ଷ ଅଧିକ ସଂଖ୍ୟାରେ କଇଁଛ ଆସିବା ସହ ଅଣ୍ଡାଦାନ କରିବେ ବୋଲି ଆଶା କରାଟାଉଛି । ଋଷିକୁଲ୍ୟା ମୁହାଣ ସମୁଦ୍ର ବେଳାଭୂମିରେ ଅଣ୍ଡାଦାନ କରିଥାନ୍ତି ଅଲିଭ୍‌ ରିଡ୍‌ଲେ । ଗୋଟିଏ କଇଁଛ ୧୦୦ରୁ ୧୬୦ ଅଣ୍ଡା ଦେଇଥାଏ । ଅଣ୍ଡାଦାନ ପରଠାରୁ ୩୦ରୁ ୪୫ ଦିନ ମଧ୍ୟରେ ୩୩ ଡିଗ୍ରୀ ତାପମାତ୍ରାରୁ କମ୍‌ ରହିଲେ ଅଣ୍ଡିରା ଏବଂ ତାପମାତ୍ରା ଅଧିକ ରହିଲେ ମାଈ ଛୁଆ ଫୁଟିଥାଏ । ସମୁଦ୍ର ମଧ୍ୟରେ ଛୁଆ ଅଲିଭ୍‌ ରିଡ୍‌ଲେ ବିଭିନ୍ନ ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହୋଇ ପ୍ରତି ହଜାରରେ ଗୋଟିଏ ଛୁଆ ବଡ଼ ହୋଇଥାଏ ବୋଲି ଡବ୍ଲ୍ୟୁଡବ୍ଲ୍ୟୁଏଫ୍‌ (ୱାଲ୍ଡ ୱାଇଡ୍‌ ଫଣ୍ଡ୍‌) ଇଣ୍ଡିଆ ପକ୍ଷରୁ କୁହାଯାଇଛି । କଇଁଛ ଛୁଆଙ୍କ ସୁରକ୍ଷା ନେଇ ବନ ବିଭାଗ ପକ୍ଷରୁ ଋଷିକୁଲ୍ୟା ମୁହାଣରେ ୫୨ କିଲୋମିଟର ଏଥିସହ ପ୍ରୟାଗି ମଧ୍ୟରେ ସୁରକ୍ଷା ବ୍ୟବସ୍ଥା କରାଯାଉଥିବା ବନବିଭାଗ ପକ୍ଷରୁ କୁହାଯାଇଛି ।

Show More

Related Articles

Back to top button