ଋଷ ଯିବାକୁ ମୋଦିଙ୍କୁ ନିମନ୍ତ୍ରଣ କଲେ ପୁଟିନ

ମସ୍କୋ, 28 ଡିସେମ୍ବର – 5ଦିନିଆ ଋଷିଆ ଗସ୍ତରେ ଭାରତର ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର । ବୁଧବାର ଦିନ ଏସ.ଜୟଶଙ୍କର ରାଷ୍ଟ୍ରପତି ଭ୍ଲାଦିମର ପୁଟିନଙ୍କୁ ସାକ୍ଷାତ କରିଛନ୍ତି । ରାଷ୍ଟ୍ରପତି ପୁଟିନ ଜୟଶଙ୍କରଙ୍କୁ ବେଶ୍ ଉତ୍ସାହର ସହ ଭେଟିବା ସହ ଆସନ୍ତାବର୍ଷ ଋଷ ଆସିବାକୁ ନିମନ୍ତ୍ରଣ ଦେଇଛନ୍ତି । ଏହି ଅବସରରେ ପୁଟିନ କହିଛନ୍ତି ଯେ, ଆସନ୍ତାବର୍ଷ ନିର୍ବାଚନ ପାଇଁ ଭାରତ ପାଇଁ ବହୁତ ସମୟ ରହିବ । ନିର୍ବାଚନ ପାଇଁ ସେ ପିଏମ ମୋଦିଙ୍କୁ ଶୁଭକାମନା ଜଣାଇଛନ୍ତି । ସେ କହିଛନ୍ତି ଯେ, ନିର୍ବାଚନରେ ବିଜୟ ଯାହାର ବି ହେଉ, ଭାରତ-ଋଷ ସମ୍ପର୍କ ମଜବୁତ ଓ ସ୍ଥିର ରହିବ ।
ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ରାଷ୍ଟ୍ରପତି ଭବନ କ୍ରେମଲିନରେ ଋଷ ରାଷ୍ଟ୍ରପତି ଭ୍ଲାଦିମର ପୁଟିନଙ୍କୁ ସାକ୍ଷାତ କରିଥିଲେ । ଏନେଇ ଜୟଶଙ୍କର ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଋଷ ରାଷ୍ଟ୍ରପତି ଭ୍ଲାଦିମର ପୁଟିନଙ୍କ ସହ ସାକ୍ଷାତ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପକ୍ଷରୁ ତାଙ୍କୁ ଶୁଭକାମନା ଜଣାଇ ଏକ ବ୍ୟକ୍ତିଗତ ବାର୍ତ୍ତା ପ୍ରଦାନ କରିଛି ।