Breaking PLUSଓଡ଼ିଶାମୁଖ୍ୟ ଖବର

ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ବାଙ୍କଚୂଡ଼ ବେଶ

ପୁରୀ, ୨୪ ନଭେମ୍ବର – କାର୍ତିକ ମାସର ପଚୁଂକ ମଧ୍ୟରେ ପଡୁଥିବା ଶୁକ୍ଳ ଦ୍ଵାଦଶୀ ତିଥିରେ ରତ୍ନ ସିଂହାସନରେ ଅଧିଷ୍ଠିତ ଶ୍ରୀଜୀଉମାନଙ୍କ ଆଜି ବାଙ୍କଚୂଡ଼ ବେଶ ଅନୁଷ୍ଠିତ ହୋଇଛି । ଅବକାଶ ନୀତି ଶେଷ ହେବାପରେ ପାଳିଆ ମେକାପ, ଖୁଣ୍ଟିଆ, ଚାଙ୍ଗଡ଼ା ମେକାପ ଓ ପ୍ରାୟ ୫ ଜଣ ପୁଷ୍ପାଳକ ଶ୍ରୀବିଗ୍ରହମାନଙ୍କୁ ବାଙ୍କଚୂଡ଼ ବେଶରେ ସଜ୍ଜିତ କରିଛନ୍ତି ।

ଯେତେବେଳେ ଭଗବାନ ଶ୍ରୀକୃଷ୍ଣଙ୍କୁ ଭକ୍ତ ଅକ୍ରୁର ମଥୁରା ନେବା ପାଇଁ ଗୋପ ଆସିଥିଲେ, ଏହି ବେଶରେ ପ୍ରଭୁଙ୍କୁ ଦର୍ଶନ କରିଥିଲେ ବୋଲି କଥିତ ଅଛି । ସେହି ସ୍ମୃତିକୁ ଉଜ୍ଜୀବିତ କରିବା ପାଇଁ ପୁରୀ ଶ୍ରୀମନ୍ଦିରରେ ବହୁ ପୁରାତନ କାଳରୁ ବାଙ୍କଚୂଡ଼ା ବେଶ ଅନୁଷ୍ଠିତ ହୋଇଆସୁଛି । ବାଙ୍କଚୂଡ଼ ବେଶର ବିଶେଷତ୍ୱ ଏହିକି ଯେ, ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ରଙ୍କ ଶ୍ରୀମସ୍ତକରେ ଚନ୍ଦ୍ରିକା ଚୂଳ ସହିତ ଦକ୍ଷିଣ ଦିଗକୁ ଆଡ଼ ଖୋସା ପଡିଛି ଏବଂ ଏହି ଖୋସାର ଅଗ୍ର ଗଣ୍ଠିରେ ଏକ ସୁବର୍ଣ୍ଣ କିଆ ଖଞ୍ଜା ଯାଇଛି । ଏକ ଛୋଟ ସ୍ୱର୍ଣ୍ଣ କିରୀଟ ଶ୍ରୀଜୀଉମାନଙ୍କ କପାଳର ଶୀର୍ଷ ଭାଗରେ ଶୋଭାପାଉଛି । ଏହି ବେଶରେ ଶ୍ରୀ ଜଗନ୍ନାଥ ଓ ଶ୍ରୀ ବଳଭଦ୍ର ସୁବର୍ଣ୍ଣ ହସ୍ତ ପଦଯୁକ୍ତ ହୋଇଛନ୍ତି । ଶ୍ରୀ ଜଗନ୍ନାଥ ଚକ୍ର ଓ ଶଙ୍ଖ ଏବଂ ବଳଭଦ୍ର ହଳ ମୂଷଳ ଆୟୂଧ ଧାରଣ କରିଛନ୍ତି । ଏହି ବେଶରେ ଦେବୀ ସୁଭଦ୍ରାଙ୍କର ଆଭୂଷଣରେ କୌଣସି ପରିବର୍ତନ ହୋଇନାହିଁ । ମାତ୍ର ତାଙ୍କ ମସ୍ତକରେ ସୁବର୍ଣ୍ଣ କିଆ ଶୋଭା ପାଉଛି । ଲକ୍ଷ୍ମୀନାରାୟଣ ବେଶରେ ଲାଗୁଥିବା ଅଧିକାଂଶ ଅଳଙ୍କାର ଶ୍ରୀଜୀଉଙ୍କ ଏହି ବେଶରେ ଲାଗି ହୋଇଛି । ଏହି ବେଶ ସ୍ନାନ ପରେ ଆରମ୍ଭ ହୋଇ ବାଳଧୂପ ସମାପ୍ତ ହେବା ପର୍ଯ୍ୟନ୍ତ ରହିଥିଲା । ଏହାପରେ ମହାପ୍ରଭୁଙ୍କ ଅନ୍ୟାନ୍ୟ ନୀତିକାନ୍ତି ଜାରୀ ରହିଛି ।
ଗତକାଲି ଶ୍ରୀଜୀଉମାନଙ୍କ ଲକ୍ଷ୍ମୀ ନାରାୟଣ ବେଶ ଅନୁଷ୍ଠିତ ହୋଇଥିଲା । ସେହିପରି ଆସନ୍ତାକାଲି ଲକ୍ଷ୍ମୀନୃସିଂହ ବେଶ ଅନୁଷ୍ଠିତ ହେବ । ଆଜି ଶ୍ରୀଜୀଉଙ୍କ ବାଙ୍କଚୂଡ଼ ବେଶ ଦେଖିବାକୁ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ପଂଚୁକରେ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ଭିତରେ ଓ ବାହାରେ ୪୦ ପ୍ଲାଟୁନ୍ ପୋଲିସ ଫୋର୍ସ ନିୟୋଜିତ ହୋଇଛନ୍ତି।
ଏଠାରେ ଉଲ୍ଲେଖଯୋଗ୍ୟ, ପଂଚୁକ ୫ ଦିନ ଯାକ ପୁରୀ ବଡ଼ଦାଣ୍ଡରେ ଶ୍ରୀମନ୍ଦିରରୁ ମରଚିକୋଟ ଛକ ପର୍ଯ୍ୟନ୍ତ ସମସ୍ତ ଉଠା ଦୋକାନ ବନ୍ଦ ରହିଛି । ମାର୍କେଟ ଛକରୁ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ନିଷିଦ୍ଧ ରହିଛି । ବିଶେଷ କରି ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଓ ଭିଡ଼ ନିୟନ୍ତ୍ରଣ ପାଇଁ ପ୍ରଶାସନ ପକ୍ଷରୁ ମରଚିକୋଟ ଛକ ପର୍ଯ୍ୟନ୍ତ ବ୍ୟାରିକେଟ କରାଯାଇଛି ।

Show More

Related Articles

Back to top button