ଭାରତୀୟ ଛାତ୍ରଛାତ୍ରୀଙ୍କ ସୁରକ୍ଷା ନିମନ୍ତେ ପୁଟିନଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ ମୋଦୀ
ୟୁକ୍ରେନରେ ଫସିରହିଥିବା ଭାରତୀୟଙ୍କ ସୁରକ୍ଷା ପାଇଁ ଆଜି ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ୟୁକ୍ରେନରେ ଫସିରହିଥିବା ଭାରତୀୟଙ୍କ ସୁରକ୍ଷା ପାଇଁ ଆଜି ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ୟୁକ୍ରେନ ଉପରେ ଋଷ ଘନ ଘନ ଆକ୍ରମଣ କରୁଥିବା ବେଳେ ଭାରତୀୟମାନେ କିଭଳି ସୁରକ୍ଷିତ ଭାବେ ସ୍ୱଦେଶ ଫେରିବେ ସେ ନେଇ ପ୍ରଧାନମନ୍ତ୍ରୀ ମୋଦୀ ପୁଟିନଙ୍କ ସହ ଆଲୋଚନା କରିବେ । ଅନ୍ୟପକ୍ଷରେ ୟୁକ୍ରେନର ୨ୟ ବୃହତ୍ତମ ସହର ଖାରକିବକୁ ଘେରି ରହିଛନ୍ତି ଋଷ ସେନା । ରାତି ସାଢେ ୯ଟା ପରେ ହିଁ ଖାରକିବ ଉପରେ ଚୂଡ଼ାନ୍ତ ଆକ୍ରମଣ କରାଯିବ ବୋଲି ରୁଷ ପକ୍ଷରୁ ଭାରତକୁ ସୂଚନା ଦିଆଯାଇଛି । ଏହାକୁ ଭିତ୍ତିକରି ଭାରତୀୟ ଦୂତାବାସ ଭାରତୀୟମାନଙ୍କୁ ତୁରନ୍ତ ସହର ଛାଡ଼ି ଚାଲିଯିବାକୁ ପରାମର୍ଶ ଦେଇଥିଲେ । ଏହା ପୂର୍ବରୁ ଫେବ୍ରୁଆରି ୨୪ ତାରିଖ ରାତିରେ ପୁଟିନଙ୍କ ସହ କଥା ହୋଇଥିଲେ ପ୍ରଧାନମନ୍ତ୍ରୀ ମୋଦୀ । ତୁରନ୍ତ ହିଂସା ବନ୍ଦ ପାଇଁ ପୁଟିନଙ୍କୁ ମୋଦୀ କହିଥିଲେ । ଏହି ସମସ୍ୟାର ସମାଧାନ ପାଇଁ ଆଲୋଚନା କରିଥିଲେ । ଏଥିସହିତ ୟୁକ୍ରେନରେ ଥିବା ଭାରତୀୟ ନାଗରିକ, ବିଶେଷକରି ଛାତ୍ରଛାତ୍ରୀଙ୍କ ସୁରକ୍ଷା ସମ୍ପର୍କରେ ମୋଦୀ ପୁଟିନଙ୍କୁ ଅବଗତ କରାଇଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଏହା ସହ ଭାରତୀୟମାନେ କେଉଁଭଳି ସୁରକ୍ଷିତ ଭାବେ ୟୁକ୍ରେନରୁ ଭାରତକୁ ଫେରିବେ ତାହା ଉପରେ ଭାରତ ସର୍ବାଧିକ ଗୁରୁତ୍ୱ ଦେଉଥିବା ପ୍ରଧାନମନ୍ତ୍ରୀ କହିଥିଲେ । ତେବେ ଆଜି ଆଲୋଚନା ପରେ କ’ଣ ଫଳାଫଳ ବାହାରୁଛି, ତାହା ଦେଖିବାକୁ ବାକି ରହିଲା ।