ଓଡ଼ିଶାସ୍ୱତନ୍ତ୍ର

ବୃଦ୍ଧି ପାଉଛି ପିଆଜ ଦର, କିଲୋପିଛା ୩୦ରୁ ୩୫ ଟଙ୍କାରେ ବିକ୍ରି

ବୃଦ୍ଧି ପାଉଛି ପିଆଜ ଦର । କାର୍ତ୍ତିକ ମାସ ଶେଷସୁଦ୍ଧା ବାଧିଲାଣି ପିଆଜ ଯନ୍ତ୍ରଣା । ଭୂବନେଶ୍ୱରରେ କିଲୋପିଛା ୩୦ରୁ ୩୫ ଟଙ୍କାରେ ବିକ୍ରି । ୨ ସପ୍ତାହରୁ କମ୍‌ ସମୟ ମଧ୍ୟରେ ପିଆଜ ୧୫ ଟଙ୍କାରୁ ଅଧିକ ମହଙ୍ଗା ହୋଇଗଲାଣି ।  ହଠାତ୍ ଦରରେ ଅହେତୁକ ବୃଦ୍ଧି ଯୋଗୁଁ ଖାଉଟିଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖିବାକୁ ମିଳିଛି ।

ଏପଟେ ଖୁଚୁରା ବ୍ୟବସାୟୀମାନେ ମନମୁଖୀ ଭାବେ ଦର କଷୁଥିବା ମଧ୍ୟ ନଜରକୁ ଆସିଛି । ଏହା ଉପରେ କାହାର ନିୟନ୍ତ୍ରଣ ରହୁ ନ ଥିବା ଦେଖାଯାଉଛି ।ଚଳିତ ବର୍ଷ ବନ୍ୟାରେ ପିଆଜ ସହ ବିଭିନ୍ନ ଫସଲ ନଷ୍ଟ ହୋଇଛି । ଉତ୍ପାଦନ ପ୍ରାୟ ୨୫ରୁ ୩୦% ବାଧାପ୍ରାପ୍ତ ହୋଇଛି। ପିଆଜ ସାଧାରଣତଃ ବର୍ଷକୁ ୩ଥର ଉତ୍ପାଦନ ହେଉଥିବା ବେଳେ ବର୍ତ୍ତମାନ ବାହାରିବାକୁ ଥିବା ଫସଲ ବଜାରକୁ ଆସିପାରିନାହିଁ । ଫସଲ ଉଜୁଡିଯାଇଥିବାରୁ ବଜାରରେ ଉପଲବ୍ଧତା ପ୍ରଭାବିତ ହୋଇଛି । ଫଳରେ ଖୁଚୁରା ବଜାରରେ ଦର ହଠାତ ବଢ଼ିଯାଇଛି ।

ଅପରପକ୍ଷରେ ଯେଉଁ ପୁରୁଣା ପିଆଜ ରହିଛି ତାହା ବିକ୍ରି ହେଉଛି । କିଞ୍ଚିତ ପରିମାଣର ନୂଆ ପିଆଜ ରାଜ୍ୟ ବାହାରୁ ଆସିଛି, ଯାହା ଚାହିଦା ତୁଳନାରେ କମ୍‌ । ଏପଟେ ସ୍ଥିତିର ଫାଇଦା ନେଇ ନୂଆ ପିଆଜ ମଧ୍ୟ ଚଢ଼ା ଦରରେ କିଛି କିଛି ସ୍ଥାନରେ ବିକ୍ରି ହେଉଥିବା ଖାଉଟି ଅଭିଯୋଗ କରିଛନ୍ତି ।

ବଜାର ବିଶେଷଜ୍ଞ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଏଭଳି ସ୍ଥିତିରେ ଦର ନିକଟ ଭବିଷ୍ୟତରେ ନିୟନ୍ତ୍ରଣ ସ୍ଥିତିକୁ ଆସିବ ନାହିଁ । କାରଣ ଆଗାମୀ ଦିନରେ ନୂଆ ଫସଲ ଆସିବାକୁ ପ୍ରାୟ ମାସକରୁ ଅଧିକ ସମୟ ଲାଗିପାରେ । ଏହାକୁ ଦେଖିଲେ ଆଗାମୀ ଦିନଗୁଡିକରେ ମଧ୍ୟ ଦର ବୃଦ୍ଧି ଚାପରେ ଖାଉଟି ତଉଲି ହେବାର ଆଶଙ୍କା କରାଯାଇଛି ।

 

Show More

Related Articles

Back to top button