ଦେଶ ବିଦେଶମୁଖ୍ୟ ଖବରସ୍ୱତନ୍ତ୍ର

ତ୍ୱମେବ ମାତା ଚ… : ବିଶ୍ୱ ମହିଳା ଦିବସ ଉପଲକ୍ଷେ

ମାତା ରୂପରେ ନାରୀର ଶକ୍ତି ସର୍ବୋଚ୍ଚ ଭାବରେ ଅଭିବ୍ୟକ୍ତ ହୋଇଛି । ଜନ୍ମ ହୋଇଥିବା ପ୍ରତ୍ୟେକ ସନ୍ତାନ ନିଜର ଅସ୍ତିତ୍ୱ ପାଇଁ ମାତାଙ୍କ ନିକଟରେ ଋଣୀ । ତେଣୁ ପ୍ରତ୍ୟେକ ନିଜ ମାତାଙ୍କ ପ୍ରତି ଅତିଶୟ କୃତଜ୍ଞ ହେବା ଉଚିତ । ପ୍ରଭୁଙ୍କୁ ସବୁକିଛି ଭାବରେ ବର୍ଣ୍ଣନା କରୁଥିବା ଯେଉଁ ଲୋକପ୍ରିୟ ପ୍ରାର୍ଥନାଟିଏ ଅଛି ସେଥିରେ ମାତା ରୂପରେ ପ୍ରଭୁଙ୍କୁ ପ୍ରଥମେ ବର୍ଣ୍ଣନା କରାଯାଇଛି – “ତ୍ୱମେବ ମାତା ଚ ପିତା ତ୍ୱମେବ, ତ୍ୱମେବ ବନ୍ଧୁଶ୍ଚ ସଖା ତ୍ୱମେବ, ତ୍ୱମେବ ବିଦ୍ୟା ଦ୍ରବିଣଂ ତ୍ୱମେବ, ତ୍ୱମେବ ସର୍ବଂ ମମ ଦେବୋ ଦେବଃ ।’ ମାତା ପିଲାଟିର ପ୍ରଥମ ଗୁରୁ । ସେ ପିଲାଟିକୁ କଥା କହିବା ଶିଖାଏ

ହାତ ଧରି ବାଟ ଚାଲିବା ଶିଖାଏ । ପିଲାଟି ଦିନରୁ ସତ୍ ମାର୍ଗରେ ଚାଲିବା ପାଇଁ ଶିକ୍ଷା ପ୍ରଦାନ କରେ ଓ ସନ୍ତାନମାନଙ୍କୁ ଉପଯୁକ୍ତ କରି ଗଢ଼ିବାରେ ମୁଖ୍ୟ ଭୂମିକା ଗ୍ରହଣ କରେ । ଉଦାହରଣ ସ୍ୱରୂପ ଈଶ୍ୱରଚନ୍ଦ୍ର ବିଦ୍ୟାସାଗରଙ୍କ କଥା ଦେଖିବା । ସେ ଅତି ଗରିବ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ମାଆ ନିଜେ ଉପବାସ ରହି ପୁଅକୁ ପାଠ ପଢ଼ାଉଥିଲେ । ଅଧ୍ୟୟନ ଶେଷ କରି ଈଶ୍ୱରଚନ୍ଦ୍ର ମାସକୁ ୫୦ଟଙ୍କା ବେତନରେ ଗୋଟିଏ ଚାକିରି କରିଥିଲେ । ପରେ ସେ ନିଜର ଅଧ୍ୟବସାୟ ଦ୍ୱାରା ଉଚ୍ଚ ପଦକୁ ଉନ୍ନୀତ ହୋଇଥିଲେ । ଦିନେ ସେ ତାଙ୍କ ମାତାଙ୍କୁ କହିଲେ “ତୁମର ଆଶୀର୍ବାଦ ଓ ଦିଗ୍ଦର୍ଶନ ଯୋଗୁଁ ମୁଁ ଏତେ ଉଚ୍ଚ ପଦରେ ରହିଛି । ଏବେ ତୁମର ଇଚ୍ଛା କଣ କୁହ । ମୁଁ ପୂରଣ କରିବି ।’ ମାଆ କିନ୍ତୁ କିଛି ନ ମାଗି କହିଲେ ସମୟ ଆସିଲେ ମାଗିବି । କିଛି ଦିନ ପରେ ଆହୁରି ଉଚ୍ଚ ପଦକୁ ଯାଇ ଈଶ୍ୱର ଚନ୍ଦ୍ର ମାତାଙ୍କୁ ପୁଣି ସେହି କଥା ନିବେଦନ କଲେ ।

ମାତା କହିଲେ “ତୁ ଯଦି ଚାହୁଁଛୁ ମୋତେ ତିନୋଟି ଅଳଙ୍କାର ଦେ । ଆମ ଗାଅାଁରେ ବିଦ୍ୟାଳୟ ନାହିଁ । ଏଠାରେ ଗୋଟିଏ ବିଦ୍ୟାଳୟ ପ୍ରତିଷ୍ଠା କର । ଯାହା ମୋ ପାଇଁ ଗୋଟିଏ ଅଳଙ୍କାର ସଦୃଶ ହେବ । ଦ୍ୱିତୀୟ ଇଚ୍ଛାଟି ହେଲା ଗ୍ରାମବାସୀଙ୍କର ସେବା ଚିକିତ୍ସା ପାଇଁ ଗ୍ରାମରେ ଛୋଟ ଡାକ୍ତରଖାନା ପ୍ରତିଷ୍ଠା କର । ଏହା ମୋ ପାଇଁ ହେବ ଦ୍ୱିତୀୟ ଅଳଙ୍କାର । ତୃତୀୟ ଇଚ୍ଛାଟି ହେଲା ଗାଁକ ବାଟ ଦେଇ ଯାଉଥିବା ବାଟୋଇମାନଙ୍କ ପାଇଁ ଗୋଟିଏ ଛୋଟ ଚଟିଘର ନିର୍ମାଣ କର । ଏହା ତୃତୀୟ ଅଳଙ୍କାର ସଦୃଶ ହେବ ।’ ବିଦ୍ୟାସାଗର ମାତାଙ୍କର ଇଛା ପୂରଣ କରି ଗାଁରେ ବିଦ୍ୟାଳୟ, ଡାକ୍ତରଖାନା ଓ ଧର୍ମଶାଳା ନିର୍ମାଣ କଲେ । ମାତାଙ୍କର ଆଶୀର୍ବାଦ ହିଁ ଈଶ୍ୱରଚନ୍ଦ୍ରଙ୍କୁ ବିଦ୍ୟାସାଗରରେ ପରିଣତ କରିଥିଲା ।

ଖାଲି ସେତିକି ନୁହେଁ ରାମଙ୍କ ଦିବ୍ୟତ୍ୱ କୌଶଲ୍ୟାଙ୍କ ପ୍ରେମପୂର୍ଣ୍ଣ ଯତ୍ନରେ ପ୍ରକଟିତ ହୋଇଥିଲା । ସୀତାଙ୍କର ତପସ୍ୟା ଯୋଗୁଁ ଲବକୁଶ ନାମ ଓ ଯଶ ଲାଭ କରଥିଲେ । ଜୀଜାବାଈଙ୍କ ସ୍ନେହ ଯୋଗୁଁ ଶିବାଜୀ ମହାଯୋଦ୍ଧା ହୋଇଥିଲେ । ମାତା ପୁତୁଲିବାଈଙ୍କ ପ୍ରେମରେ ବଢ଼ି ମୋହନଦାସ ମହାତ୍ମା ହୋଇପାରଥିଲେ । ପୁରାକାଳରେ ମାଆମାନେ ତାଙ୍କ ସନ୍ତାନ ମାନଙ୍କୁ ବାଲ୍ୟକାଳରୁ ହିଁ ମହାନ ଶିକ୍ଷା ପ୍ରଦାନ କରୁଥିଲେ । ମହାରାଣୀ ମଦାଳସା ତାଙ୍କ ସନ୍ତାନ ମାନଙ୍କୁ ବାଲ୍ୟକାଳରୁ ବୈରାଗ୍ୟର ମହାନତା କଥା ଶିକ୍ଷା ଦେଉଥିଲେ । ସେ ପିଲାମାନଙ୍କୁ ଶୁଆଇବା ବେଳେ ଯେଉଁ ନାନାବାୟାଗୀତ ଗାଉଥିଲେ ତାହା ହେଲା – “ହେ ପ୍ରିୟବାଳକ, ତୁମକୁ ଓଁକାର ଦୋଳିରେ, “ତତ୍ତ୍ୱମସି’ ମହାକାବ୍ୟର ଶେଯରେ ଶୁଆଇ ଚେତନାର ସଂଗୀତରେ ଝୁମାଇ ଭଗବାନ ଗୀତ ଗାଇ ଶୁଆଇ ଦିଅନ୍ତୁ ।

ଚାରି ବେଦ, ଦେଳିର ଚାରୋଟି ଜଞ୍ଜିର ହେଉ । ତୁମ ହୃଦୟ ନବଧା ଭକ୍ତିର ପରିପୂର୍ଣ୍ଣ ହେଉ ।’ ପୁରାକାଳରେ ମାଆମାନେ ପିଲାକୁ ଭକ୍ତି ଓ ବୈରାଗ୍ୟରେ ଭରି ଦେଉଥିବାରୁ ଭାରତ ତ୍ୟାଗ, ଯୋଗ ଓ ଜ୍ଞାନର ଦେଶ ହୋଇ ରହିଥିଲା । ତେଣୁ ମାତାଙ୍କର ମହାନତାକୁ ପୁତ୍ରମାନେ ହୃଦୟଙ୍ଗମ କରିବା ଉଚିତ । ଜଣେ ନିଜର ଦେଶକୁ ମାତୃଭୂମି ବୋଲି କହେ ପିତୃଭୂମି ନୁହେଁ । ଏପରିକି ନିଜ ଭାଷାକୁ ମାତୃଭାଷା ବୋଲି କୁହାଯାଏ, ପିତୃଭାଷା ନୁହେଁ । ଜଣେ କଷ୍ଟ ସମୟରେ ସ୍ୱାଭାବିକ ଭାବରେ “ମାଆଲୋ’ ବା “ବୋଉଲୋ’ ବୋଲି ଡାକ ପକାଏ । ବାପା ନୁହେଁ । ତେଣୁ ପିଲାମାନଙ୍କର ପ୍ରଥମ କର୍ତ୍ତବ୍ୟ ହେଉଛି ନିଜର ମାତାଙ୍କ ପ୍ରତି କୃତଜ୍ଞ ହେବା, ତାଙ୍କୁ ସମ୍ମାନ କରିବା ଓ ତାଙ୍କର ସେବା କରିବା । ଆଜିର ପୃଥିବୀରେ ଦୁଷ୍ଟପୁତ୍ର ଥାଇପାରେ କିନ୍ତୁ ଦୁଷ୍ଟମାତା ମିଳିବେ ନାହିଁ । ଶଙ୍କରାଚାର୍ଯ୍ୟଙ୍କ ଭାଷାରେ “କୁପୁତ୍ରୋ ଜାୟତେ କ୍ୱଚିଦପି କୁମାତା ନ ଭବତି ।’

ତେଣୁ ମାତୃପ୍ରେମକୁ କଦାପି ଭୁଲିବା ଉଚିତ ନୁହେଁ । ଅନାଦି କାଳରୁ ମାତାଙ୍କୁ ଦୈବୀ ଶକ୍ତି ସହିତ ସମାନ କରାଯାଇଛି । ଦେବୀ ଦୁର୍ଗା, ଲକ୍ଷ୍ମୀ ଓ ସରସ୍ୱତୀଙ୍କୁ ମାତା ରୂପରେ ଉପାସନା କରାଯାଇଛି । ମାତା ଲକ୍ଷ୍ମୀ ରୂପରେ ଅନ୍ନଦାତ୍ରୀ । ଦୁର୍ଗାରୂପରେ ପାଳନ କତ୍ର୍ତ୍ରୀ ଓ ସରସ୍ୱତୀ ରୂପରେ ଜ୍ଞାପ ପ୍ରଦାୟିନୀ ଅଟନ୍ତି । ସ୍ୱର୍ଣ୍ଣମୟୀ ଲଙ୍କା ବିଜୟ କରିସାରିବା ପରେ ପ୍ରଭୁ ଶ୍ରୀରାମଙ୍କୁ ଲକ୍ଷ୍ମଣ ଲଙ୍କାର ଅଧୀଶ୍ୱର ହେବାକୁ ପ୍ରାର୍ଥନା କରିଥିଲେ । ମାତ୍ର ଶ୍ରୀରାମ ସୁବର୍ଣ୍ଣମଣ୍ଡିତ ଲଙ୍କା “ନଘେ ଲକ୍ଷ୍ମଣ ରୋଚେତ ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦପୀ ଗରୀୟସୀ’ ବୋଲି କହି ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ କରିଥିଲେ । ପୁଣ୍ଡରୀକ ପ୍ରତିଦିନ ଶ୍ରୀ ପାଣ୍ଡୁରଙ୍ଗାଙ୍କ ମନ୍ଦିରକୁ ଯାଉଥିଲେ । ଦିନେ ସେ ତା’ର ପିତାମାତାଙ୍କ ସେବାରେ ଏତେ ନିମଗ୍ନ ହୋଇ ପଡ଼ିଲା ଯେ ମନ୍ଦିରକୁ ଯାଇପାରିଲା ନାହିଁ । ତେଣୁ ପ୍ରଭୁ ପାଣ୍ଡୁରଙ୍ଗା ନିଜେ ପୁଣ୍ଡରୀକ ପାଖକୁ ଚାଲି ଆସିଲେ । ଜଣେ ନିଜ ସ୍ତ୍ରୀକୁ ବାଛିପାରେ । କିନ୍ତୁ ପିତାମାତାଙ୍କୁ ନୁହେଁ । କେବଳ ଭଗବାନ ନିଜର ପିତାମାତାଙ୍କୁ ବାଛି ଥାଆନ୍ତି ।

ଶ୍ରୀମାନ ଭଗବତ୍ ଗୀତାରେ ନାରୀର ସାତୋଟି ଗୁଣର ତାଲିକା କରାଯାଇଛି । ସେଗୁଡ଼ିକ ହେଲା କୀର୍ତ୍ତି, ଶ୍ରୀ, ବାକ୍ ସ୍ମୃତି, ମେଧା, ଧୃତି ଓ କ୍ଷମା । ଏ ସାତୋଟି ଗୁଣ ସମ୍ପନ୍ନା ନାରୀମାନେ ଅତ୍ୟନ୍ତ ପବିତ୍ର ଓ ଶକ୍ତିଶାଳୀ । ସ୍ତ୍ରୀ ତତ୍ତ୍ୱର ମହାନତା ସମ୍ବନ୍ଧରେ ପ୍ରମାଣ ସତ୍ତ୍ୱେ ମଧ୍ୟ ନାରୀମାନଙ୍କୁ ଅବଳା ବୋଲି କହିବା ଅତ୍ୟନ୍ତ ମୂଲ୍ୟହୀନ । ଆଧ୍ୟାତ୍ମିକ କ୍ଷେତ୍ରରେ ନାରୀମାନେ ସେମାନଙ୍କ ଅମାପ ଶକ୍ତି ପ୍ରଦର୍ଶନ କରିଛନ୍ତି । ଇତିହାସରେ ମଧ୍ୟ ଅନେକ ବୀରାଙ୍ଗନାଙ୍କର ବର୍ଣ୍ଣନା ରହିଛି । ସ୍ତ୍ରୀ ଶବ୍ଦରେ ତିନୋଟି ଅକ୍ଷର ରହିଛି – “ସ’, “ତ’, ଓ “ର’ । “ସ’ ସତ୍ତ୍ୱଗୁଣର ପ୍ରତୀକ, ଏଥିରେ ସହିଷ୍ଣୁତା, ଦୟା ଓ ପ୍ରେମ ଆଦି ଗୁଣ ରହିଛି । “ତ’ ତମ ଗୁଣର ପ୍ରତୀକ । ଏହା ଲଜ୍ଜାଶୀଳତା, ଭୟ ଓ ଧୈର୍ଯ୍ୟ ଆଦି ଗୁଣକୁ ଅନ୍ତର୍ଭୁକ୍ତ କରେ । “ର’ ରଜଗୁଣର ପ୍ରତୀକ । ଏହା ସାହାସ, ତ୍ୟାଗ, ଶାସନ ଓ କର୍ମ ତତ୍ପରତା ଆଦି ଗୁଣାବଳୀର ପ୍ରତୀକ ଅଟେ । ଏ ସମସ୍ତ ଗୁଣର ଅଧିକାରିଣୀ ଆଦର୍ଶମାତା ସମଗ୍ର ପରିବାରକୁ ତାର ଆଦର୍ଶରେ ଅନୁପ୍ରାଣିତ କରେ । ଜାତିର, ଗୋଷ୍ଠୀର ଓ ଦେଶର ପ୍ରଗତି ଉପଯୁକ୍ତ ନାରୀ ଶିକ୍ଷା ଉପରେ ନିର୍ଭର କରେ ।

ଆଜି ମାଆମାନେ ପିଲାମାନଙ୍କୁ ପ୍ରକୃତ ଜ୍ଞାନ ପ୍ରଦାନ କରିବା ବଦଳରେ ଗୋଟିଏ ଲେଖାଏ ପୁସ୍ତକକୀଟରେ ପରିଣତ କରୁଛନ୍ତି । ଫଳରେ ଭବିଷ୍ୟତରେ ଅଧିକାଂଶ ମାତା ପିଲାମାନଙ୍କ ଠାରୁ ଆଶାନୁରୂପ ବ୍ୟବହାର ପାଇପାରୁନାହାନ୍ତି । ସେମାନେ ଜାଣି ରଖିବା ଉଚିତ ଯେ ପିଲାମାନଙ୍କର ନୈତିକତାର ସ୍ଖଳନ ପାଇଁ ସେମାନେ ନିଜେ ହିଁ ଦାୟୀ । ସେମାନେ ନିଜେ ଟେଲିଭିଜନ ଦେଖିବା ବେଳେ ପିଲାମାନଙ୍କୁ ବାରଣ କରିବା କେତେ ଦୂର ଫଳପ୍ରଦ ହେବ । ଆଧୁନିକତାର ଦ୍ୱାହି ଦେଇ ମାଆମାନେ ଅଳୀକ ଭୋଗ ବାସନା ପଛରେ ଧାଇଁ ନିଜର ତଥା ପରିବାରର କ୍ଷତି ସାଧନ କରୁଛନ୍ତି । ଦେଶର ଉତ୍ତର ପୁରୁଷର ବଂଶଧର ଗଣ ଆଜିର ମାତୃଜାତି ଦ୍ୱାରା ଗଠିତ ହେବେ । ଅନ୍ତତଃ ଆଗାମୀ କାଲିର ବଂଶଧର ମାନଙ୍କୁ ରକ୍ଷା କରିବା ନିମନ୍ତେ ଆଜିର ମାଆ ମାନଙ୍କୁ ସାବଧାନ ହେବାକୁ ପଡ଼ିବ । ଅତୀତ ହେଉ, ବର୍ତ୍ତମାନ ହେଉ, ଭବିଷ୍ୟତ ହେଉ, ସର୍ବକାଳରେ ମାତୃଜାତି ହିଁ ପ୍ରଗତିର ମେରୁଦଣ୍ଡ ।

Show More

Related Articles

Back to top button