ବାଣିଜ୍ୟ

ଅର୍ଥବ୍ୟବସ୍ଥା ଉପରେ କରୋନା ଦ୍ଵିତୀୟ ଲହର ପ୍ରଭାବହୀନ ?

ଏପ୍ରିଲ ମାସରେ ଜିଏସଟି ସଂଗ୍ରହ ଭାଙ୍ଗିଲା ସବୁ ରେକର୍ଡ

କରୋନାର ଦ୍ଵିତୀୟ ଲହର ସତ୍ତ୍ଵେ ଦେଶର ଅର୍ଥ ବ୍ୟବସ୍ଥା ଉପରେ ଏହାର ପ୍ରଭାବ ଦେଖିବାକୁ ମିଳିନାହିଁ। ଏପ୍ରିଲ୍ ମାସରେ ବସ୍ତୁ ଓ ସେବା କର(ଜିଏସଟି) ସଂଗ୍ରହ ୧.୪୧ ଲକ୍ଷ କୋଟି ଟଙ୍କାର ରେକର୍ଡ ସ୍ତରରେ ପହଞ୍ଚିଛି। ଏହା ପୂର୍ବରୁ ମାର୍ଚ୍ଚ ମାସରେ ଜିଏସଟି ସଂଗ୍ରହ ୧ ଲକ୍ଷ ୨୩ ହଜାର କୋଟି ଟଙ୍କା ରହିଥିଲା। ଯାହା ସବୁଠୁ ଅଧିକ ଥିଲା। ମାନ୍ଦାବସ୍ଥାରୁ ମୁକୁଳୁଥିବା ଭାରତୀୟ ଅର୍ଥବ୍ୟବସ୍ଥା ପାଇଁ ଏହା ନିଶ୍ଚିତ ରୂପେ ଭଲ ଖବର। କ୍ରମାଗତ ସପ୍ତମ ମାସରେ ଜିଏସଟି ସଂଗ୍ରହ ଏକ ଲକ୍ଷ କୋଟି ଟଙ୍କା ଟପିଛି। ମହାମାରୀ ପରେ କ୍ରମାଗତ ପଞ୍ଚମ ଥର ୧.୧ ଲକ୍ଷ କୋଟି ଟଙ୍କା ସଂଗ୍ରହ ହେବା ନିଶ୍ଚିତ ରୂପେ ଅର୍ଥବ୍ୟବସ୍ଥାରେ ସୁଧାର ଆସୁଥିବାର ସଙ୍କେତ ଦେଇଛି।ଅର୍ଥ ମନ୍ତ୍ରଣାଳୟ ଦ୍ଵାରା ଜାରି ପ୍ରେସ୍ ବିଜ୍ଞପ୍ତି ଅନୁଯାୟୀ, ଏଥର ୧, ୪୧, ୩୮୪ କୋଟି ଟଙ୍କା ଜିଏସଟି ସଂଗ୍ରହ ହୋଇଛି।

ଏଥିରେ ସିଜିଏସଟି ୨୭,୮୩୭ କୋଟି, ଏସଜିଏସଟି ୩୫,୬୨୧ କୋଟି ଏବଂ ଆଇଜିଏସଟି ୬୮,୪୮୧ କୋଟି ଟଙ୍କା ରହିଛି। ଦେଶର ଅନେକ ରାଜ୍ୟରେ କରୋନାର ଦ୍ଵିତୀୟ ଲହର ସାଙ୍ଘାତିକ ସ୍ଥିତିରେ ଥିବା ସତ୍ତ୍ଵେ ଭାରତୀୟ ବ୍ୟବସାୟୀ ପୁଣି ଥରେ ରିଟର୍ଣ୍ଣ ଫାଇଲିଂ ପରି ଆବଶ୍ୟକତାକୁ କେବଳ ପାଳନ କରି ନାହାନ୍ତି ବରଂ ପ୍ରତି ମାସରେ ନିଜର ଜିଏସଟି ବକେୟା ପୈଠ ମଧ୍ୟ କରିଛନ୍ତି।ଜିଏସଟି ଲାଗୁ ହେବା ପରଠୁ ୨୦୨୧ ଏପ୍ରିଲ ମାସର ଜିଏସଟି ସଂଗ୍ରହ ସବୁଠୁ ଅଧିକ ରହିଛି। ମାର୍ଚ୍ଚ ମାସ ତୂଳନାରେ ଏପ୍ରିଲ ମାସରେ ଜିଏସଟି ସଂଗ୍ରହ ୧୪ ପ୍ରତିଶତ ଅଧିକ ରହିଛି। ରାଜସ୍ଵ ସଂଗ୍ରହରେ ମଧ୍ୟ ୨୧ ପ୍ରତିଶତ ବୃଦ୍ଧି ଘଟିଛି।

Show More

Related Articles

Back to top button