Breaking PLUSଦେଶମୁଖ୍ୟ ଖବର

ଦିନକରେ ଦେଶରେ ୧୫୬ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ

ସଂଖ୍ୟା ୫୭୮ରେ ପହଞ୍ଚିଲା

ଦେଶରେ ଦିନକୁ ଦିନ ବଢ଼ି ଚାଲିଛି ଓମିକ୍ରନ ଜନିତ ସଂକ୍ରମଣ । ୨୪ ଘଣ୍ଟା ମଧ୍ୟରେ ଦେଶରୁ ଆଉ ୧୫୬ ଜଣଙ୍କ ଶରୀରରୁ ଏହି ମାରାତ୍ମକ ଭାରିଆଣ୍ଟ ଚିହ୍ନଟ ହୋଇଛି । ଫଳରେ ଦେଶରେ ଓମିକ୍ରନ ଜନିତ ଆକ୍ରାନ୍ତଙ୍କ ସଂଖ୍ୟା ୫୭୮କୁ ବୃଦ୍ଧି ପାଇଛି । ଗତକାଲି ଏହି ସଂଖ୍ୟା ୪୨୨ ଥିଲା । ରାଜଧାନୀ ଦିଲ୍ଲୀରେ ସର୍ବାଧିକ ୧୪୨ ଜଣ ଓମିକ୍ରନ ଆକ୍ରାନ୍ତ ରହିଥିବା ବେଳେ ମହାରାଷ୍ଟ୍ରରେ ଏହା ୧୪୧ ରହିଛି ।

ଓମିକ୍ରନ ଜନିତ ସଂକ୍ରମଣ ବଢ଼ୁଥିବାରୁ ଏକାଧିକ ରାଜ୍ୟ ନାଇଟ କର୍ଫ୍ୟୁ ସହ ଅନ୍ୟାନ୍ୟ କଟକଣା ଲଗାଇବା ଆରମ୍ଭ କରିଛନ୍ତି । ଆଜି ଠାରୁ ରାଜଧାନୀ ଦିଲ୍ଲୀରେ ରାତି ୧୧ରୁ ଭୋର ୫ଟା ଯାଏ ନାଇଟ କର୍ଫ୍ୟୁ ଲାଗିବ । ଏଥିସହ ନୂଆବର୍ଷ ଉତ୍ସବ ଉପରେ ମଧ୍ୟ ଦିଲ୍ଲୀ ସରକାର କଟକଣା ଲଗାଇଛନ୍ତି ।

ଦିଲ୍ଲୀରେ ଚିହ୍ନଟ ହୋଇଥିବା ୧୪୨ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୨୩ ଜଣ ସୁସ୍ଥ ହୋଇଛନ୍ତି । ମହାରାଷ୍ଟ୍ରରେ ଆରୋଗ୍ୟଙ୍କ ସଂଖ୍ୟା ୪୨ରେ ପହଞ୍ଚିଛି । ଏବେ ରାଜ୍ୟର ବିଭିନ୍ନ ହସ୍ପିଟାଲରେ ୯୯ ଜଣ ଓମିକ୍ରନ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି । ଗତକାଲି ସୁଦ୍ଧା ଦେଶର ୧୭ଟି ରାଜ୍ୟରେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଏହା ୧୯କୁ ବଢ଼ିଛି । ମଧ୍ୟପ୍ରଦେଶ ଓ ହିମାଚଳ ପ୍ରଦେଶରେ ଓମିକ୍ରନ ଆକ୍ରାନ୍ତ ପ୍ରଥମଥର ପାଇଁ ସାମ୍ନାକୁ ଆସିଛନ୍ତି ।

ଦିଲ୍ଲୀ ଓ ମହାରାଷ୍ଟ୍ର ପରେ କେରଳରେ ସର୍ବାଧିକ ୫୭ ଜଣ ଓମିକ୍ରନ ଆକ୍ରାନ୍ତ ଠାବ ହୋଇଛନ୍ତି । ଗୁଜରାଟରେ ୪୯, ରାଜସ୍ଥାନରେ ୪୩, ତେଲେଙ୍ଗାନାରେ ୪୧ ଜଣ, ତାମିଲନାଡୁରେ ୩୪ ଓ କର୍ଣ୍ଣାଟକାରେ ୩୧ ଜଣ ଓମିକ୍ରନ ଆକ୍ରାନ୍ତ ରହିଛନ୍ତି । ଏହାବାଦ ମଧ୍ୟପ୍ରଦେଶରେ ୯ ଜଣ, ଆନ୍ଧ୍ରରେ ୬ ଜଣ, ପଶ୍ଚିମବଙ୍ଗରେ ୬ ଜଣ, ହରିଆଣାରେ ୪ ଜଣ, ଓଡ଼ିଶାରେ ୮ ଜଣ ଚିହ୍ନଟ ହୋଇଛନ୍ତି ।

ଜମ୍ମୁ-କଶ୍ମୀରରେ ୩ ଜଣ, ଚଣ୍ଡିଗଡ଼ରେ ୩, ଉତ୍ତର ପ୍ରଦେଶରେ ୨ ଜଣ, ହିମାଚଳ ପ୍ରଦେଶ, ଲଦାଖ ଓ ଉତ୍ତରାଖଣ୍ଡରେ ଜଣେ ଲେଖାଏ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ ଉପରେ ଚିହ୍ନଟ ହୋଇଥିବା ୫୭୮ ଜଣ ଓମିକ୍ରନ ଆକ୍ରାନ୍ତଙ୍କ ମଧ୍ୟରୁ ୧୫୧ ଜଣ ସୁସ୍ଥ ହୋଇ ସାରିଛନ୍ତି ।

Show More

Related Articles

Back to top button