ଓଡ଼ିଶା

ଗପ ହେଲେବି ସତ

ସୁରେଶ ମିଶ୍ର ଓ ତାଙ୍କ ସ୍ତ୍ରୀ ଶାନ୍ତି । ଉଭୟ ବହୁତ ଶାନ୍ତ ଏବଂ ସରଳ ସ୍ଵଭାବର । ସୁରେଶ ବାବୁ Works Dept. ରେ Under Secretary ଭାବେ କାର୍ଯ୍ୟ କରୁଥିବା ବେଳେ ଭୁବନେଶ୍ୱରରେ ଏକ ସମ୍ଭ୍ରାନ୍ତ ଅଞ୍ଚଳରେ 3600 ବର୍ଗ ଫୁଟର ଏକ ଜାଗାରେ ଦୁଇ ମହଲା ଘରଟିଏ କରିଥିଲେ ।

ତାଙ୍କର ସନ୍ତାନ ସନ୍ତତି କହିଲେ ଗୋଟିଏ ମାତ୍ର ପୁଅ – ସୌମ୍ୟକାନ୍ତ, ଡାକ ନାଁ ବବଲୁ । C V Raman Engineering Collegeରେ ପୁଅକୁ B Tech କରେଇ CETରୁ M tech କରେଇ ଥିଲେ । ତାପରେ ପୁଅ 8 ଲକ୍ଷ ପ୍ୟାକେଜରେ ଭୁବନେଶ୍ୱରରେ ଏକ କମ୍ପାନୀରେ 4 ବର୍ଷ ହେଲା ଚାକିରି କରୁଛି । ତାର ବାହାଘର କାମ ମଧ୍ୟ 3 ବର୍ଷ ହେବ ସାରି ଦେଇଛନ୍ତି ।

ପୁଅ ବିଭାଘରର ଦେଢ଼ ବର୍ଷରେ ହଠାତ୍ ହୃଦରୋଗରେ ସୁରେଶ ବାବୁଙ୍କ ସ୍ତ୍ରୀ ଶାନ୍ତି  ଜୀବନ ହରାଇ ବସିଲେ । ହଠାତ୍ ଶାନ୍ତିକୁ କାହିଁକି ହୃଦ୍ଘାତ ହେଲା, ସେ କଥା ସୁରେଶ ବାବୁ ସେତେବେଳେ ଜାଣିପାରିଲେ ନାହିଁ । କିନ୍ତୁ ବେଳେ ବେଳେ ଅନୁଭବ କରୁଥିଲେ ଯେ ଘରେ ଶାଶୁ ବୋହୂ ମଧ୍ୟରେ କିଛି ଗୋଟେ ହେଉଥିଲା, ଯାହା ତାକୁ ତାଙ୍କ ସ୍ତ୍ରୀ ଶାନ୍ତି ଲୁଚାଉଥିଲା ।

ଶାନ୍ତି ମରିବାର ବର୍ଷେ ନ ପୂରୁଣୁ ସୁରେଶ ବାବୁ ସରକାରୀ ଚାକିରିରୁ ଡେପୁଟି Secretary ଭାବରେ ଅବସର ନେଲେ । ଅବସର ନେବା ପରେ ଦିନର ବହୁତ୍ ସମୟ ଘରେ ରହିବାକୁ ପଡେ ।

ଦିନେ ବବଲୁ ତା ବାପା ସୁରେଶ ବାବୁଙ୍କୁ କହିଲା, “ବାବା, ତଳ ମହଲାର ଗ୍ୟାରେଜ ପାଖରେ ଥିବା servant ରୁମଟା ଖାଲି ପଡ଼ିଛି । ତମେ ଏବେ ସେଇଠି ବସିବା, ଉଠିବା କଲେ ଭଲ ହୁଅନ୍ତା । କାହିଁକି ନା ତମ ବୋହୂକୁ ଘରେ ଶାଢି ପିନ୍ଧି ଘରର ସବୁ କାର୍ଯ୍ୟ କରିବାକୁ ବହୁତ ଅସୁବିଧା ହଉଛି । ମାଆ ଚାଲିଯିବା ପରେ ଘରର ସବୁ କାମ ତ ତାକୁ କରିବାକୁ ପଡ଼ୁଚି । ଡ୍ରେସ୍ ପିନ୍ଧି ତମ ସାମନାକୁ ଆସିବାକୁ ତମ ବୋହୂକୁ ସଙ୍କୋଚ ଲାଗୁଚି ।”

ମୋର ସବୁ ସାଙ୍ଗଙ୍କ ସ୍ତ୍ରୀ ଓ ତମ ବୋହୂର ସାଙ୍ଗ ମାନେ ଡ୍ରେସ୍ ହିଁ ପିନ୍ଧୁଛନ୍ତି । ତମେ ତ ପୁରୁଣା କାଳିଆ ଲୋକ । ତମ ଆଖିରେ ସେ ସବୁ ଯିବ ନାହିଁ । ଡ୍ରେସ୍ ପିନ୍ଧି ତମକୁ ସାମନା କରିବାକୁ ସେ ଚାହୁଁ ମଧ୍ୟ ନାହିଁ ।”

ମାଆ ଥିଲା ବେଳେ ତା ମାକୁ ଦାୟିକା ଦେଇ କହିଥିଲା, “ତୋ ମାଆ ତତେ ସଂସ୍କାର ଶିଖେଇ ନାହାଁନ୍ତି ।” ଏବେ ସେ କହୁଛି, “ତମ ବାପା କୋଉ ସଂସ୍କାର ଜାଣିଛନ୍ତି କି ? ଯୁବତୀ ବୋହୂ ସାଙ୍ଗରେ ଦିନ ସାରା ରହିବା କଉଁ ସଂସ୍କାରର କଥା କି ?”

ବବଲୁ ପୁଣି କହିଲା, “ମାଆ ଥିଲା ଅଲଗା କଥା । ମୁଁ ଅଫିସ ଗଲା ପରେ ତମ ସଙ୍ଗେ ଚଳିବାକୁ ତାକୁ ସଙ୍କୋଚ ଲାଗୁଚି । ମୁଁ ତମ ଖଟ ଓ ସମସ୍ତ ଆସବାବ ପତ୍ର ସେ ରୁମକୁ ଆସନ୍ତା ରବିବାର ଦିନ ଲୋକ ଲଗେଇ ବୁହାଇ ଦେବି ।”

ସୁରେଶ ବାବୁ ହତବାକ ହୋଇଗଲେ ସତ କିନ୍ତୁ କିଛି ପ୍ରତ୍ୟୁତ୍ତର ନଦେଇ ଚୁପ୍ ରହିଗଲେ । ପୁଅ ବବଲୁ ପର ରବିବାର ଦିନ ସମସ୍ତ ଜିନିଷ ଲୋକ ଲଗେଇ ସରଭାଣ୍ଟ ରୁମକୁ ବୁହାଇ ଦେଲା । ସୁରେଶ ବାବୁ ସେ ରୁମକୁ shift ହୋଇଗଲେ ।

ପ୍ରାୟ ପାଞ୍ଚ ଛଅ ମାସ ପରେ ଦିନେ ପୁଅ ବବଲୁକୁ ପାଖକୁ ଡାକିଲେ । ପୁଅ ବୋହୂ ଦୁଇ ଜଣ ଯାକଙ୍କର ବିଦେଶ ଯାତ୍ରାର ମାସକର ଏକ ପ୍ୟାକେଜ କୁପନ ବବଲୁ ହାତରେ ଦେଇ କହିଲେ, “ତୁ ବହୁତ୍ ଦିନ ହେଲା କୁଆଡେ ବାହାରକୁ ଯାଇନୁ । ଏବେ ବୋହୂକୁ ନେଇ ଯା ବୁଲାବୁଲି କରି ଆସେ । ମନ ହାଲୁକା ହୋଇଯିବ ।”

ବିଦେଶ ଯିବାର ସୁଯୋଗ ପାଇ ବବଲୁର ଖୁସିର ସୀମା ରହିଲା ନାହିଁ । ସଙ୍ଗେ ସଙ୍ଗେ ବାପାଙ୍କୁ ଧନ୍ୟବାଦ ଦେଇ ଉପର ମହଲାକୁ ଚାଲିଲା ନିଜ ସ୍ତ୍ରୀଙ୍କୁ ଜଣାଇବା ପାଇଁ । ରାତି ସାରା ଦୁଇ ଜଣଙ୍କୁ ଖୁସିରେ ନିଦ ହେଲା ନାହିଁ । ହାତରେ ମାତ୍ର ପନ୍ଦର ଦିନର ସମୟ । ପରଦିନ ଠାରୁ ପ୍ରତ୍ୟେକ ଦିନ ବାହାରିଗଲେ ସପିଙ୍ଗ୍ କରିବାକୁ । ବିଦେଶ ବୁଲିବାକୁ ଯିବେ ପରା । ବହୁତ୍ ଜିନିଷ କିଣିବାକୁ ହବ ।

ପନ୍ଦର ଦିନ ପରେ ପୁଅ ବୋହୁ ବିଦେଶ ବାହାରି ଗଲା ପରେ ସୁରେଶ ବାବୁ ନିଜର ପ୍ରାୟ ଦୁଇ କୋଟି ଟଙ୍କା ମୂଲ୍ୟର ଘରକୁ ମାତ୍ର କୋଟିଏ ଟଙ୍କାରେ ବିକ୍ରି କରିଦେଲେ । ନିଜ ପାଇଁ ନିକଟସ୍ଥ ଗୋଟିଏ ଆପାର୍ଟମେଣ୍ଟରେ ଗୋଟିଏ ସିଙ୍ଗଲ ବେଡ୍ ଫ୍ଲାଟ୍ 30 ଲକ୍ଷ ଟଙ୍କା ଦେଇ କିଣିନେଲେ । ପୁଅ ବବଲୁର ସମସ୍ତ ଉପକରଣ ଓ ଆସବାବପତ୍ର ଦୂରରେ ଗୋଟିଏ ଫ୍ଳାଟ ଭଡା ନେଇ ସେଠାରେ ରଖିଦେଇ ଆସିଲେ ।

ବବଲୁ ବିଦେଶ ଭ୍ରମଣ କରି ଫେରିଲା । ଘରେ ପହଞ୍ଚି ଦେଖିଲା ଗେଟ୍ ଭିତରେ ଗୋଟେ ସିକ୍ୟୁରିଟି ଗାର୍ଡ ବସିଚି । ବସିଥିବା ସିକ୍ୟୁରିଟି ଗାର୍ଡ ବବଲୁକୁ ଦେଖି ପଚାରିଲା, ଆଜ୍ଞା କାହାକୁ ଭେଟିବାକୁ ଆସିଛନ୍ତି ? ବବଲୁ ହଠାତ୍ ଆଶ୍ଚର୍ଯ୍ୟ ହୋଇଗଲା ଓ ଭାବିଲା… ବାପା ଏକା ଥିବାରୁ ସୁରକ୍ଷା ପାଇଁ ସିକ୍ୟୁରିଟି ରଖିଛନ୍ତି । ବବଲୁ ତତକ୍ଷଣାତ୍ କହିଲା, “ଏଇଟା ଆମ ଘର ଆମେ ବିଦେଶ ବୁଲି ଯାଇଥିଲୁ । ବର୍ତ୍ତମାନ ଫେରୁଛୁ ।”

ଗାର୍ଡ ଜଣକ ନରମ ଶ୍ବରରେ କହିଲା ଆଜ୍ଞା, ଆପଣ ବୋଧେ ପୁରୁଣା ମାଲିକଙ୍କ ବିଷୟରେ କହୁଛନ୍ତି । ଆମ ମାଲିକ ମାତ୍ର ୧୫ ଦିନ ପୂର୍ବରୁ ସୁରେଶ ବାବୁଙ୍କ ଠାରୁ ଏ ଘର କ୍ରୟ କରିଛନ୍ତି ।

ବବଲୁ ଏଭଳି ଏକ ପରିସ୍ଥିତିର ସାମନା କରି ଅପ୍ରସ୍ତୁତ ହେଇ ପଡ଼ିଲା । ବାପାଙ୍କୁ ଫୋନ କଲା । କିଛି ସମୟ ପରେ ସୁରେଶ ବାବୁ ଆସି ସେଠାରେ ପହଞ୍ଚି ପୁଅ ହାତକୁ ଭଡାଘରର ଚାବିଦେଇ ଠିକଣା ବୁଝେଇ ଦେଲେ । କହିଲେ, “ପୁରା ଗୋଟିଏ ବର୍ଷର ଭଡା ଜମା କରେଇ ଦେଇଛି । ଆଗକୁ ତୋର ଇଚ୍ଛା । ବୋହୂକୁ ଯେମିତି ରଖିବାକୁ ଚାହୁଁଛୁ ଏବେ ବିନା ବାଧାରେ ରଖିପାରିବୁ । ମୋ ପାଇଁ ଚିନ୍ତା କରିବୁନି । ମୁଁ ମୋର ବ୍ୟବସ୍ଥା କରି ନେଇଛି ।”

ବବଲୁ ଆଉ ତା ସ୍ତ୍ରୀ ଅବାକ୍ ହୋଇ କେବଳ ଚାହିଁ ରହିଥିଲେ…. ଏତିକି କହି ଓ ନୂଆ ଘରର ଚାବି ଧରେଇ ଦେଇ ସୁରେଶ ବାବୁ ଯେଉଁ taxi ରେ ଆସିଥିଲେ ସେହି taxi ରେ ଫେରିଗଲେ। ସେବେ ଠାରୁ ଆଉ ପୁଅ ବୋହୂଙ୍କ ଖବର କିଛି ରଖି ନାହାଁନ୍ତି ସୁରେଶ ବାବୁ । ହାଉସ ମେଟ୍ ଓ ପଡୋଶୀଙ୍କ ଗ୍ରହଣରେ ବଞ୍ଚି ରହିବା ଶିଖି ନେଇଛନ୍ତି ସୁରେଶ ବାବୁ ।

ଏହା କୌଣସି କାହାଣୀ ନୁହେଁ ଭୁବନେଶ୍ୱରର ସତ୍ୟ ଘଟଣାଟିଏ । କିନ୍ତୁ ନାଁ ବଦଳେଇ ଲେଖା ଯାଇଛି ।

Show More

Related Articles

Back to top button