ନାଜାଲ ଭାକ୍ସିନ୍ ‘ଇନ୍କୋଭାକ୍’ ୩୨୫ ଟଙ୍କା, ଘରୋଇ ହସ୍ପିଟାଲରେ ୮୦୦ ଟଙ୍କା

ନୂଆଦିଲ୍ଲି, ୨୮/୧୨ : ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ ବିଶ୍ୱର ପ୍ରଥମ ନାଜାଲ କୋଭିଡ ଭାକ୍ସିନ୍ ଇନ୍କୋଭାକ୍ (ବିବିଭି୧୫୪) ର ମୂଲ୍ୟ ନିର୍ଦ୍ଧାରଣ କରାଯାଇଛି । ଏହି ଟିକା ଡୋଜ୍ ପିଛା ୩୨୫ ଟଙ୍କାରେ ସରକାରୀ ହସ୍ପିଟାଲରେ ଉପଲବ୍ଧ ହେବ । ଏହା ଉପରେ ଅତିରିକ୍ତ ଭାବେ ଜିଏସ୍ଟି ୫ ପ୍ରତିଶତ ଲଗାଯିବ । ସେହିପରି ଘରୋଇ ହସ୍ପିଟାଲରେ ଏହା ଜିଏସ୍ଟି ବାଦ୍ ୮୦୦ ଟଙ୍କାରେ ମିଳିବ । ୨୦୨୩ ଜାନୁଆରୀ ଚତୁର୍ଥ ସପ୍ତାହ ସୁଦ୍ଧା ଏହି ଭାକ୍ସିନ୍ ବଜାରରେ ଉପଲବ୍ଧ ହେବ।
କୋଭାକ୍ସିନ୍ ଟିକା ପ୍ରସ୍ତୁତ କରିଥିବା ହାଇଦ୍ରାବାଦ ସ୍ଥିତ ଭାରତ ବାୟୋଟେକ କମ୍ପାନି ୱାଶିଂଟନ୍ ୟୁନିଭର୍ସିଟି ସ୍କୁଲ ଅଫ୍ ମେଡିସିନ ସହ ମିଶି ମିଳିତ ଭାବେ ନାଜାଲ ଭାକ୍ସିନ୍ ତିଆରି କରିଛି । ନାକରେ ନିଆଯିବାକୁ ଥିବା ଏହି ଟିକାକୁ ସେଣ୍ଟ୍ରାଲ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେଶନ (ସିଡିଏସ୍ସିଓ) ନଭେମ୍ବରେ ମଞ୍ଜୁରି ଦେଇଥିଲା । ଏଥିସହିତ ଏହାକୁ ଟିକାକରଣ କାର୍ଯ୍ୟକ୍ରମରେ ସାମିଲ କରାଯାଇଥିଲା । ଏହା ସିଙ୍ଗଲ୍ ଡୋଜ ଭ୍ୟାକ୍ସିନ ଏବଂ ଏହାକୁ ବୁଷ୍ଟର ଡୋଜ୍ ଆକାରରେ ନିଆଯିବ । ଇନ୍କୋଭାକ୍ ଟିକା ନେବା ପାଇଁ ଜଣେ କୋୱିନ୍ ପୋର୍ଟାଲରେ ବୁକିଂ କରିପାରିବେ ।