ଜୀବନଚର୍ଯ୍ୟାଭକ୍ତି

ସକାଳର ଭକ୍ତି ଅର୍ଘ୍ୟ

ପବନ ଅଗ୍ନିରେ ଦହନ। ବୃକ୍ଷେ ହୋଇଲେ ଯହୁଁ କ୍ଷୀଣ।

ତା ଦେଖି ଶୁଣ ପରୀକ୍ଷିତ। ଚନ୍ଦ୍ର ହୋଇଲେ ଉପଗତ।

କ୍ରୋଧ ସାନ୍ତ୍ଵନା କରିବାରେ। ତାଙ୍କୁ ବୋଇଲେ ସୁଧାକରେ।

ଭୋ ସ୍ବାମୀମାନେ ତୁମ୍ଭେ ଶୁଣ। ବୃକ୍ଷେ ହୋଇଲେ ଅତି କ୍ଷୀଣ।

ଦହନ ନ କରଟି ଆର। ତୁମ୍ଭେ ଯେ ପତି ପ୍ରଜାଙ୍କର।

ପ୍ରଜାପତିଙ୍କ ପତି ହରି। ଅବ୍ୟୟ ପୁରୁଷ ମୁରାରି।

ଔଷଧି ବନସ୍ପତି ଯେତେ। ତାର ସଞ୍ଚିଲା ଏ ଜଗତେ।

ସଂସାରେ ଭକ୍ଷ ଭୋଜ୍ୟ ଅନ୍ନ। ସେ ବିଭୁ କରିଛି ସର୍ଜନ।

( ଅତିବଡ଼ି ଜଗନ୍ନାଥ ଦାସଙ୍କ ଓଡ଼ିଆ ଭାଗବତ, ଷଷ୍ଠ ସ୍କନ୍ଧ, ଚତୁର୍ଥ ଅଧ୍ୟାୟ )

ପ୍ରସଙ୍ଗ – ଚନ୍ଦ୍ରଦେବତାଙ୍କର ପ୍ରଚେତାମାନଙ୍କୁ ବୃକ୍ଷସବୁକୁ ଧ୍ଵଂସ ନ କରିବାକୁ ପରାମର୍ଶ

ଅର୍ଥ – ମହାମୁନି ଶୁକଦେବ କହିଲେ ହେ ମହାରାଜା ପରୀକ୍ଷିତ!ତପ ବଳରେ ପ୍ରଚେତାମାନଙ୍କ ମୁଖରୁ ସୃଷ୍ଟି ହୋଇଥିବା ଅଗ୍ନି ଓ ବାୟୁ ଦ୍ଵାରା ଯେତେବେଳେ ବୃକ୍ଷମାନେ ଜଳି ଧ୍ଵଂସ ହେବାକୁ ଲାଗିଲେ ସେତେବେଳେ ତାହା ଦେଖି ବନସ୍ପତି ମାନଙ୍କର ଅଧିପତି ଚନ୍ଦ୍ର ଦେବତା ସେଠାରେ ଉପସ୍ଥିତ ହେଲେ ଓ ପ୍ରଚେତାମାନଙ୍କର କ୍ରୋଧ ଶାନ୍ତ କରିବା ନିମନ୍ତେ ସେମାନଙ୍କୁ କହିଲେ, ହେ ପ୍ରଚେତାଗଣ!ଆପଣମାନଙ୍କ ମୁଖରୁ ସୃଷ୍ଟ ଅଗ୍ନି ଓ ବାୟୁରେ ଜଳି ବୃକ୍ଷସବୁ ଧ୍ଵଂସ ହେବାକୁ ଲାଗିଲେଣି। ଆପଣମାନେ ଆଉ ବୃକ୍ଷମାନଙ୍କୁ ଦହନ କରନ୍ତୁ ନାହିଁ କାରଣ ଆପଣମାନେ ପ୍ରଜାପତି ଅଟନ୍ତି ଓ ପ୍ରଜାମାନଙ୍କର ବୃଦ୍ଧି କରିବା ଆପଣମାନଙ୍କର ଉଦ୍ଦେଶ୍ୟ ଅଟେ। ଯେଉଁ ଅନାଦି ଓ ଅବ୍ୟୟ ପୁରୁଷ ଶ୍ରୀହରି ପ୍ରଜାପତିମାନଙ୍କର ସ୍ଵାମୀ ଅଟନ୍ତି ସେହି ପ୍ରଭୁ ହିଁ ଏହି ସଂସାରର ପ୍ରଜାମାନଙ୍କର ଖାଦ୍ୟପେୟ ଓ ମଙ୍ଗଳ ନିମନ୍ତେ ଯେତେ ପ୍ରକାର ବୃକ୍ଷଲତା ଓ ଔଷଧୀୟ ବୃକ୍ଷମାନ ସର୍ଜନା କରିଛନ୍ତି।

ଭାବାର୍ଥ – ପ୍ରଜାମାନଙ୍କର ଖାଦ୍ୟପେୟ ଓ ମଙ୍ଗଳ ନିମନ୍ତେ ଭଗବାନଙ୍କ ଦ୍ଵାରା ସୃଷ୍ଟ ବୃକ୍ଷଲତାମାନଙ୍କୁ ଧ୍ଵଂସ ନ କରିବାକୁ ବନସ୍ପତି ମାନଙ୍କର ଅଧିପତି ଚନ୍ଦ୍ରଦେବତା ପ୍ରଚେତାମାନଙ୍କୁ ପରାମର୍ଶ ଦେଲେ। କହିବାର ତାତ୍ପର୍ଯ୍ୟ ଏହିକି ଯେ ଏହି ସଂସାରରେ ମନୁଷ୍ୟ ସମେତ ସମସ୍ତ ପ୍ରାଣୀମାନଙ୍କର ଖାଦ୍ୟପେୟ ଓ ମଙ୍ଗଳ ନିମନ୍ତେ ଭଗବାନ ଔଷଧୀୟ ବୃକ୍ଷଲତା ସମେତ ସକଳ ପ୍ରକାର ବୃକ୍ଷଲତାମାନ ସୃଷ୍ଟି କରିଛନ୍ତି। ତେଣୁ ସେସବୁକୁ ନଷ୍ଟ ନକରି ସେସବୁର ସୁରକ୍ଷା କରିବା ପ୍ରତ୍ୟେକ ମନୁଷ୍ୟର କର୍ତ୍ତବ୍ୟ ଅଟେ। ମନୁଷ୍ୟ ସମେତ ସକଳ ପ୍ରାଣୀମାନଙ୍କ ପାଇଁ ବୃକ୍ଷଲତାର ଉପାଦେୟତା ଓ ପରିବେଶ ସୁରକ୍ଷା ଉପରେ ଆଜିର ଏହି ପ୍ରସଙ୍ଗ ସମାଜର ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ବହନ କରୁଛି।

ଜୟ ଜଗନ୍ନାଥ

Show More

Related Articles

Back to top button