ଦେଶ ବିଦେଶବାଣିଜ୍ୟ

ବନ୍ଦ ହୋଇପାରେ ୧୦ ଟଙ୍କିଆ କଏନ୍ !

ବିଚାର କରୁଛନ୍ତି କେନ୍ଦ୍ର ସରକାର

୧୦ ଟଙ୍କିଆ କଏନ୍ ପ୍ରାୟ ସମସ୍ତଙ୍କ ନିକଟରେ ଥିବ । ଯେତେବେଳେ ଏହି କଏନ ଆସିଥିଲା ସେତେବେଳେ ଲୋକମାନେ କେବେ ଭାବି ନଥିବେ ଏହାର ନକଲି କଏନ ହେବ । ମାର୍କେଟ୍ ରେ ଯେତେବେଳେ ଆମେ ଦୋକାନୀକୁ ୧୦ ଟଙ୍କିଆ କଏନ ଦେଉ ଚିହ୍ନିବା କଷ୍ଟକର ହୋଇଯାଏ ଯେ ତାହା ଅସଲି ନା ନକଲି । ଏହାସହ ସାଧାରଣ ଲୋକଙ୍କ ମନରେ ଆଶଙ୍କା ରହିଛି ଯେ, ୧୦ ଟଙ୍କିଆ କଏନ୍ ବଜାରରେ ଅନେକ ଆକାର ଏବଂ ରଙ୍ଗର ରହିଛି । ଯେଉଁଥିରେ ସବୁ ଅସଲି ନୁହେଁ । ଏହାକୁ ନେଇ ସଂସଦରେ ସରକାରଙ୍କୁ ଏକ ଲିଖିତ ପ୍ରଶ୍ନ ପଚରାଯାଇଥିଲା। ଯାହାର ଉତ୍ତରରେ କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ, ୧୦ ଟଙ୍କିଆ କଏନକୁ ରିଜର୍ଭ ବ୍ୟାଙ୍କ ବିଭିନ୍ନ ଥିମ୍, ଆକାର ଏବଂ ଡିଜାଇନରେ ଜାରି କରିଥାଏ । ଏଗୁଡିକ ବୈଧ ଅଟେ। କେନ୍ଦ୍ର ଅର୍ଥମନ୍ତ୍ରୀ ପଙ୍କଜ ଚୌଧୁରୀ ଫେବୃଆରୀ ୮ରେ ରାଜ୍ୟସଭାରେ ଲିଖିତ ଭାବେ ଦର୍ଶାଇଥିଲେ ଯେ, ୧୦ ଟଙ୍କିଆ ସମସ୍ତ ପ୍ରକାରର କଏନ ଲିଗାଲ ଟେଣ୍ଡର ଅଟେ।

ସରକାରଙ୍କୁ ପଚରାଯାଇଥିଲା ଯେ, ଦେଶର ଅନେକ ଅଞ୍ଚଳରେ ଲୋକମାନେ କିଛି ଟଙ୍କିଆ କଏନକୁ ନକଲି ବୋଲି ଗ୍ରହଣ କରୁ ନାହାଁନ୍ତି କି ? ଏହା ବ୍ୟତୀତ ତାଙ୍କୁ ପଚରାଯାଇଥିଲା ଯେ ସରକାର ୧୦ ଟଙ୍କିଆ କଏନକୁ ଆଇନଗତ ଟେଣ୍ଡର କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବେ କି ? ଏହି ପ୍ରଶ୍ନର ଉତ୍ତରରେ ପଙ୍କଜ ଚୌଧୁରୀ କହିଛନ୍ତି ଯେ, ବେଳେ ବେଳେ ୧୦ ଟଙ୍କିଆ କଏନ ଗ୍ରହଣ ନକରିବାର ଅଭିଯୋଗ ଆସୁଛି, କିନ୍ତୁ ଏହା ଆଇନଗତ ଟେଣ୍ଡର ଅଟେ। ପଙ୍କଜ ଚୌଧୁରୀ ସଂସଦକୁ ସୂଚନା ଦେଇଛନ୍ତି ଯେ, ୧୦ ଟଙ୍କିଆ କଏନ ଗ୍ରହଣ ନକରିବା ନେଇ କୌଣସି ଦୋକାନୀଙ୍କ ବିରୋଧରେ ଅଭିଯୋଗର ନିର୍ଦ୍ଦିଷ୍ଟ ସୂଚନା ଉପଲବ୍ଧ ନାହିଁ । ଏହାସହ ସେ ସଚେତନତା ପ୍ରସାର କରିବା ଉପରେ ଗୁରୁତ୍ବାରୋପ କରିଥିଲେ। ସେ କହିଥିଲେ ଯେ, ୧୦ ଟଙ୍କିଆ କଏନକୁ ନେଇ ଥିବା ଭୁଲ ଧାରଣାକୁ ଦୂର କରିବା ଏବଂ ସାଧାରଣ ଲୋକଙ୍କ ମନରୁ ଭୟ ଦୂର କରିବା ପାଇଁ ବେଳେ ବେଳେ ଆରବିଆଇ ପ୍ରେସ ରିଲିଜ ଜାରି କରିଥାଏ। ଏଥିରେ ଲୋକମାନଙ୍କୁ ୧୦ ଟଙ୍କିଆ କଏନ ଗ୍ରହଣ କରିବାକୁ ଅନୁରୋଧ କରାଯାଇଥାଏ । ଏହା ବ୍ୟତୀତ ଆରବିଆଇ ଦେଶବ୍ୟାପୀ ଏସଏମଏସ ପଠାଇ ଏବଂ ପ୍ରିଣ୍ଟ ମିଡିଆରେ ଅଭିଯାନ ଜରିଆରେ ଲୋକଙ୍କୁ ସଚେତନତା କରିଥାଏ ।

Show More

Related Articles

Back to top button