ଓଡ଼ିଶାବାଣିଜ୍ୟ

‘ମେକ୍ ଇନ୍ ଓଡ଼ିଶା’ ପାଇଁ ଫିକି ସହ ଏମ୍‌ଓୟୁ

ରାଜ୍ୟର ସର୍ବବୃହତ ନିବେଶକ ସମ୍ମିଳନୀ ମେକ୍ ଇନ୍ ଓଡ଼ିଶାର ପରବର୍ତୀ ସଂସ୍କରଣ ପାଇଁ ଶିଳ୍ପ ସଂଘ ଫିକି ସହ ବୁଝାମଣାପତ୍ର (ଏମ୍‌ଓୟୁ) ସ୍ବାକ୍ଷରିତ ହୋଇଛି

ମେକ୍ ଇନ୍ ଓଡ଼ିଶା ପାଇଁ ଆୟୋଜିତ ହେବାକୁ ଥିବା ନିବେଶ ପ୍ରଚାର ଅଭିଯାନ ପାଇଁ ଫିକି ଜାତୀୟ ସହଯୋଗୀ ଭାବେ କାର୍ଯ୍ୟ କରିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଇପିକଲ୍‌ର ଏମ୍‌ଡି ଏନ୍‌ ବି ଜୱାଲେ ଓ ଫିକିର ଡେପୁଟି ଜେନେରାଲ୍ ସେକ୍ରେଟାରି ଅରୁଣ ଚାୱଲା ଏହି ବୁଝାମଣାପତ୍ରରେ ସ୍ବାକ୍ଷର କରିଛନ୍ତି। ଏଥିପାଇଁ ଭର୍ଚୁଆଲ ମାଧ୍ୟମରେ ଆୟୋଜନ କରାଯାଇଥିବା କାର୍ଯ୍ୟକ୍ରମରେ ରାଜ୍ୟ ଶିଳ୍ପ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର, ଫିକିର ଜାତୀୟ ସଭାନେତ୍ରୀ ଡକ୍ଟର ସଙ୍ଗୀତା ରେଡ୍ଡି, ଫିକି ଓଡ଼ିଶାର ଅଧ୍ୟକ୍ଷା ମୋନିକା ନୈୟାର ପଟ୍ଟନାୟକ ଅଂଶଗ୍ରହଣ କରିଥିଲେ। ମେକ୍ ଇନ୍ ଓଡ଼ିଶା ଚଳିତ ବର୍ଷର ନଭେମ୍ବର ୩୦ରୁ ଡିସେମ୍ବର ୪ ପର୍ଯ୍ୟନ୍ତ ଆୟୋଜିତ ହେବା ବୋଲି ତାରିଖ ଧାର୍ଯ୍ୟ ହୋଇଥିଲା।

ମାତ୍ର କରୋନା ମହାମାରୀର ପ୍ରଭାବ ଲାଗି ରହିଥିବାରୁ ଏହାକୁ ସାମୟିକ ସମୟ ପାଇଁ ସ୍ଥଗିତ ରଖାଯାଇଛି। ସ୍ଥିତିରେ ସୁଧାର ପରେ ଏହି ନିବେଶକ ସମ୍ମିଳନୀ ଆୟୋଜନର ନୂତନ ତାରିଖ ଧାର୍ଯ୍ୟ କରାଯିବ।ଆଜି ଫିକିକୁ ଜାତୀୟ ସହଯୋଗୀ ଭାବେ ସ୍ବାଗତ କରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ୨୦୧୬ ଓ ୨୦୧୮ରେ ଆୟୋଜନ କରାଯାଇଥିବା ମେକ୍ ଇନ୍ ଓଡ଼ିଶା ସମ୍ମିଳନୀ ଯୋଗୁଁ ରାଜ୍ୟରେ ବିବିଧ ପ୍ରକାରର ଶିଳ୍ପ ସଂସ୍ଥା ସ୍ଥାପନ ହୋଇପାରିଛି। ଏହା ରାଜ୍ୟକୁ ନିବେଶର ଏକ ପସନ୍ଦ ସ୍ଥାନରେ ପରିଣତ ହୋଇଛି। ସେଥିପାଇଁ କୋଭିଡ୍‌-୧୯ ମହାମାରୀ ସତ୍ତ୍ବେ ଚଳିତ ବର୍ଷ ଫେବ୍ରୁଆରି ପରଠାରୁ ଓଡ଼ିଶା ୨୪,୩୦୦ କୋଟି ଟଙ୍କାର ପୁଞ୍ଜିନିବେଶ ହାସଲ କରିଛି। ନିବେଶ ପ୍ରସ୍ତାବଗୁଡ଼ିକୁ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ଓଡ଼ିଶା ଶ୍ରେଷ୍ଠ ସ୍ଥାନ ଭାବେ ଉଭା ହୋଇଛି ବୋଲି ସେ କହିଛନ୍ତି।ରାଜ୍ୟ ଶିଳ୍ପ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର କହିଛନ୍ତି ଯେ ମେକ୍ ଇନ୍ ଓଡ଼ିଶାର ପୂର୍ବ ଦୁଇଟି ସଂସ୍କରଣରେ ୬ ଲକ୍ଷ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପୁଞ୍ଜିନିବେଶ ପ୍ରସ୍ତାବ ଆସିଥିଲା। ସେଥି ମଧ୍ୟରୁ ୬୦ ପ୍ରତିଶତ ପ୍ରକଳ୍ପ କାର୍ଯ୍ୟକାରିତାର ବିଭିନ୍ନ ପର୍ଯ୍ୟାୟରେ ରହିଛି। ମେକ୍ ଇନ୍ ଓଡ଼ିଶାର ଜାତୀୟ ସହଯୋଗୀ ଭା‌ବେ ଫିକିକୁ ଚୟନ କରାଯାଇଥିବାରୁ ଫିକିର ସଭାନେତ୍ରୀ ଡକ୍ଟର ରେଡ୍ଡି ଆନନ୍ଦ ପ୍ରକଟ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ରାଜ୍ୟ ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା, ଫିକିର ସାଧାରଣ ସମ୍ପାଦକ ଦିଲ୍ଲୀପ ଚେନୟ, ଉନ୍ନୟନ କମିସନର ସୁରେଶ ମହାପାତ୍ର, ଏସିଏସ୍‌ ଆର୍‌ କେ ଶର୍ମା ଓ ମୁଖ୍ୟମନ୍ତ୍ରୀଙ୍କ ସଚିବ(୫ଟି) ଭି ‌କେ ପାଣ୍ଡିଆନ ମଧ୍ୟ ସାମିଲ ହୋଇଥିଲେ।

Show More

Related Articles

Back to top button