ଓଡ଼ିଶାଦେଶମୁଖ୍ୟ ଖବର

ଆରମ୍ଭ ହେଲା ‘ମେକ୍ ଇନ୍ ଓଡ଼ିଶା କନକ୍ଲେଭ, ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର/ପଦ୍ମପୁର : ନିବେଶକଙ୍କୁ ଆକୃଷ୍ଟ କରିବା ନିମନ୍ତେ ‘ମେକ୍ ଇନ୍ ଓଡ଼ିଶା କନକ୍ଲେଭ’ ତୃତୀୟ ସଂସ୍କରଣ ଆସନ୍ତା କାଲିଠୁ ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ୫ଦିନିଆ କନକ୍ଲେଭକୁ ଆନୁଷ୍ଠାନିକ ଭାବେ ଲୋକାର୍ପଣ କରିଛନ୍ତି । ରାଜଧାନୀ ଭୁବନେଶ୍ୱରର ଜନତା ମଇଦାନରେ ଆୟୋଜିତ ଏହି କନକ୍ଲେଭ ଆସନ୍ତା ୪ତାରିଖ ପର୍ଯ୍ୟନ୍ତ ଚାଲିବ ।

ଏହି କନକ୍ଲେଭକୁ ଉଦଘାଟନ କରିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଳ୍ପ ମହାସଂଘ ଇଣ୍ଡିଆନ ଚାମ୍ବର୍ସ ଅଫ କର୍ମସ ଆଣ୍ଡ ଇଣ୍ଡଷ୍ଟ୍ରି (ଫିକ୍କି)ର ଜାତୀୟ କାର୍ଯ୍ୟକାରିଣୀକୁ ସମ୍ବୋଧିତ ରାଜ୍ୟର ମିଶନ ଶକ୍ତିକୁ ପ୍ରୋତ୍ସାହିତ କରିବା ଦିଗରେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଓଡ଼ିଶା ପୂର୍ବ ଭାରତ ଓ ବଙ୍ଗୋପସାଗର ଅଂଚଳରେ ବ୍ୟବସାୟ, ବାଣିଜ୍ୟ ଓ ଶିଳ୍ପାୟନରେ ଦ୍ରୁତ ଗତିରେ ବିକାଶ କରୁଛି । ନିବେଶକଙ୍କ ପ୍ରଥମ ପସନ୍ଦର ସ୍ଥାନ ଓଡ଼ିଶା ହେଉ ଓ ଏହାକୁ ପ୍ରୋତ୍ସାହନ ଦେବାରେ ଫିକ୍କି ନିଜର ସବୁ ମାଧ୍ୟମରେ କାର୍ଯ୍ୟ କରୁ ବୋଲି ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି । ଓଡ଼ିଶାକୁ ନିବେଶ ଆଣି ସମୃଦ୍ଧ କରିବା ଦିଗରେ ନିକଟ ଭବିଷ୍ୟତରେ ରାଜ୍ୟ ସରକାର ଶିଳ୍ପ ସଂସ୍ଥାଗୁଡ଼ିକ ସହ ମିଶି ଏକାଠି କାର୍ଯ୍ୟ କରିବାକୁ ପ୍ରସ୍ତୁତ ଅଛନ୍ତି । ମିଶନ ଶକ୍ତି ମାଧ୍ୟମରେ ଆମେ ରାଜ୍ୟର ମହିଳାମାନଙ୍କୁ ସଶକ୍ତ କରିବା ନିମନ୍ତେ ଓ ସେମାନଙ୍କୁ ଉଦ୍ୟୋଗୀ ଭାବେ ଗଢ଼ିବାକୁ ଚାହୁଁଛୁ । ଫିକ୍କିର ମହିଳା ୱିଙ୍ଗ ଏ ଦିଗରେ ମିଶନ ଶକ୍ତି ବିଭାଗ ସହ ମିଶି ରଣନୀତି ବିକଶିତ କରୁ ଯାହାଫଳରେ ସ୍ଥାନୀୟ ମହିଳା ଉଦ୍ୟୋଗୀଙ୍କୁ ଆନ୍ତର୍ଜାତିକ ବଜାର ଉପଲବ୍ଧ ହୋଇଯିବ । ଆଉ ଉଦ୍ୟୋଗୀ ହେବା ନିମନ୍ତେ ଇକୋ ସିଷ୍ଟମ ମଧ୍ୟ ବିକଶିତ ଓ ସୁଦୃଢ଼ ହୋଇପାରିବ ।

 

ଆଜିର ଏହି ଉଦଘାଟନୀ ସମାରୋହରେ ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ,ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଭୁବନେଶ୍ୱର ମେୟର ସୁଲୋଚନା ଦାସ, କଟକ ମେୟର ସୁବାସ ସିଂ, ଶିଳ୍ପ ସଚିବ ହେମନ୍ତ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ । ପ୍ରାୟ ୧୧୬୦୦ ପ୍ରତନିଧି ଏହି କନକ୍ଲେଭରେ ସାମିଲ ହେବେ । ଏହି କନକ୍ଲେଭରେ ୩୮ଟି ଇଭେଂଟ ଓ ୧୨୪ଜଣ ବକ୍ତା ନିଜର ଅଭିଭାଷଣ ରଖିବେ । ଏହି କନକ୍ଲେଭ ମାଧ୍ୟମରେ ଓଡ଼ିଶାକୁ ପ୍ରାୟ ୬ଲକ୍ଷ କୋଟି ଟଙ୍କାର ନିବେଶ ଆସିବ ବୋଲି ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ଏହି କନକ୍ଲେଭରେ ଶିଳ୍ପପତି ଏଲ ଏନ୍ ମିତ୍ତଲ, କୁମାର ମଙ୍ଗଳମ ବିର୍ଲା, ଅନୀଲ ଅଗ୍ରୱାଲ, ସଜ୍ଜନ ଜିନ୍ଦଲ, ନବୀନ ଜିନ୍ଦଲ, ଟି ଭି ନରେନ୍ଦ୍ରନ ପ୍ରମୁଖ ସାମିଲ ହେବାର ସମ୍ଭାବନା ରହିଛି । ଏମାନଙ୍କ ବ୍ୟତୀତ ଜାପାନ, ନରୱେ ଓ ଜର୍ମାନୀର ପ୍ରତିନିଧିମାନେ ମଧ୍ୟ ଯୋଗ ଦେଇଛନ୍ତି ।

Show More

Related Articles

Back to top button