ସ୍ୱାସ୍ଥ୍ୟ

ଆସନ୍ତୁ ପଢିବା ଓ ଜାଣିବା ସେରେବ୍ରାଲ ପାଲସି ରୋଗ ସମ୍ଵଧ୍ୟରେ

ବର୍ତ୍ତମାନର ସମୟରେ ସମସ୍ତଙ୍କ ଭିତରେ କରୋନା ଶିଶୁ ମାନଙ୍କ ପାଇଁ ଏକ ବଡ଼ ଓ ମାରାତ୍ମକ ରୋଗ ଭାବେ ପରିଚିତ ହୋଇଛି । କିନ୍ତୁ ଅନେକ ଜାଣି ନାହାଁନ୍ତି ଯେ ଏପରି ଅନେକ ଭିନ୍ନ ଭିନ୍ନ ରୋଗ ରହିଛି ଯାହାକି ଶିଶୁଙ୍କ ପାଇଁ ଯେତିକି ଘାତକ ସେତିକି ପରିମାଣର ମାରାତ୍ମକ ଓ ଜଟିଳ ମଧ୍ୟ।

ଆସନ୍ତୁ ଆଜି ସେହିପରି ଏକ ରୋଗ ସେରେବ୍ରାଲ ପାଲସି ଉପରେ ଆଲୋଚନା କରିବା । ଯାହାକି ଏତେ ପରିମାଣର ଘାତକ ଯେ ଅଧିକାଂଶ ଏହାକୁ ଶିଶୁରୋଗ ବିଶେଷଜ୍ଞଙ୍କ ପାଖକୁ ନେଇ ପିଲାଟିର ଚିକିତ୍ସା କଲାବେଳକୁ ପିଲାଟିର ସ୍ୱାସ୍ଥ୍ୟ ଅବସ୍ଥା ଅତ୍ୟନ୍ତ ଜଟିଳ ଓ ମୁର୍ମୁଷୁ ହୋଇଯାଇଥାଏ । ସେରେବ୍ରାଲ ପାଲସି ବା ସଂକ୍ଷେପରେ ସିପି, ଶିଶୁ ମାନଙ୍କର ଏକ ସ୍ନାୟୁ ଦୁର୍ବଳ ଜନିତ ରୋଗ ।

ଯାହାକି ସାଧାରଣତଃ ପିଲାମାନଙ୍କ ଠାରେ ଚଳନ ଜନିତ ସମସ୍ୟା ସୃଷ୍ଟି କରିଥାଏ । ସାଧାରଣତଃ ଏକ ଶିଶୁ ଜନ୍ମ ପରେ ଦୁଇ ମାସରେ ବେକ ସିଧା ରଖିବା, ପାଞ୍ଚ ମାସରେ ପେଟେଇବା, ଛଅ ମାସରେ ବସିବା, ନଅ ମାସରେ ଗୁରୁଣ୍ଡିବା, ଏଗାର ମାସରେ ଛିଡ଼ା ହେବା, ପନ୍ଦରରୁ ଅଠର ମାସ ମଧ୍ୟରେ ଚାଲିବା ଆରମ୍ଭ କରିଥାଏ । କିନ୍ତୁ ସିପିରେ ପୀଡ଼ିତ ଶିଶୁ ଏହି ଗୁରୁତ୍ୱପୂର୍ଣ୍ଣ ଜୀବନସ୍ତର ଗୁଡ଼ିକୁ ବିଳମ୍ବରେ ହାସଲ କରିଥାନ୍ତି । ମସ୍ତିଷ୍କର ଯେଉଁ ଅଂଶ ଶରୀରର ଚଳନ, ଭାରସାମ୍ୟ ଓ ସଂସ୍ଥିତିକୁ ନିୟନ୍ତ୍ରଣ କରେ ତାହାର ଗଠନ ଅସ୍ୱାଭାବିକ ହେଲେ ବା ଏହା ଆଘାତପ୍ରାପ୍ତ ହେଲେ ସେରେବ୍ରାଲ ପାଲସି ହୋଇଥାଏ । ଅଧିକାଂଶ ସମୟରେ ଏହା ଗର୍ଭାବସ୍ଥା ହିଁ ହୋଇଥାଏ । ୭୦ ପ୍ରତିଶତ ଜନ୍ମ ସମୟରେ ଅସୁବିଧା ଓ ଜନ୍ମ ପରବର୍ତ୍ତୀ ସମସ୍ୟା ସଂକ୍ରମଣ, ମେନିଜାଇଟିସ ମଧ୍ୟ ଏହାର ଅନ୍ୟାନ୍ୟ କାରଣ ହୋଇଥାଏ । ଅପକ୍ୱ ଜନ୍ମ, କମ ଓଜନ ଥିବା ନବଜାତ, ଗର୍ଭାବସ୍ଥାରେ ସଂକ୍ରମଣ ବି ଏହାର ମୁଖ୍ୟ କାରଣ । ଜିନ୍ଗତ ତ୍ରୁଟି ପ୍ରାୟତଃ ୨ ରୁ ୩ ଶତକଡ଼ା କ୍ଷେତ୍ରରେ ମିଳିଥାଏ ।

ଏହାର ମୁଖ୍ୟ ଲକ୍ଷଣ ଗୁଡ଼ିକ ହେଲା ସମନ୍ୱୟରେ ଅସୁବିଧା, ଦୃଢ଼ ମାଂସପେଶୀ ଏବଂ କମ୍ପନ, ଏହା ବ୍ୟତୀତ ବାରମ୍ବାର ବାତ ମାରିବା, କଥା କହିବା ଡେରି ହେବା, କଥା ଅସ୍ପଷ୍ଟ ହେବା, ପାଟିରୁ ଲାଳ ବାହାରିବା, ଧି ଶକ୍ତି କମିଯିବା ମଧ୍ୟ ଦେଖା ଯାଇଥାଏ । ସାଧାରଣତଃ ଏହା ଏକ ସ୍ଥିର ମସ୍ତିଷ୍କ ସ୍ନାୟୁ ଦୁର୍ବଳତା, ଯାହାକି ସମୟ କ୍ରମେ ଅଧିକ କ୍ଷତି କରି ନଥାଏ । ସିପି ଶିଶୁ ମାନଙ୍କର ଲକ୍ଷଣକୁ ଭିତ୍ତିକରି ଏହାକୁ ଡାକ୍ତରୀ ବିଜ୍ଞାନରେ ବର୍ଗୀକରଣ କରାଯାଇଥାଏ । ଯେପରିକି ଅନମନୀୟ ମାଂସପେଶୀ, ଅସମନ୍ୱୟ, ଆଥେଟଏଡ଼ ସିପି ଇତ୍ୟାଦି । ଏହି ରୋଗର ନିଦାନ ପାଇଁ ମସ୍ତିଷ୍କ ଇମେଜିଂ, ଇଇଜି, ରକ୍ତ ପରୀକ୍ଷା ଇତ୍ୟାଦି କରାଯାଇଥାଏ ।

ରୋଗ ଚିହ୍ନଟ ହେଲା ପରେ ଏହାର ଉପଲବ୍ଧ ଚିକିତ୍ସା କରାଯାଇଥାଏ । ଯଦିଓ ଏହି ରୋଗ ଆରୋଗ୍ୟସାଧ୍ୟ ନୁହେଁ ତଥାପି ଏହାର ଔଷଧ ଏବଂ ଅସ୍ତ୍ରୋପଚାର ଦ୍ୱାରା ଉପକାର ମିଳିଥାଏ । ବୁଦ୍ଧି, ଶକ୍ତି, ବାକ ଶକ୍ତିର ଚିକିତ୍ସା ମଧ୍ୟ ଆବଶ୍ୟକ । ଅସ୍ତ୍ରୋପଚାର କରି ମାଂସପେଶୀ ଲମ୍ବା କରାଯାଇପାରେ । ଚିକିତ୍ସା ଅପେକ୍ଷା ଏହାର ପ୍ରତିକାର ଗୁରୁତ୍ୱପୂର୍ଣ୍ଣ । ଆଜିର ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଓଡ଼ିଶା ସରକାର ସ୍ୱାସ୍ଥ୍ୟ ବିଭାଗକୁ ଅଧିକ ଗୁରୁତ୍ୱ ପ୍ରଦାନ କରି ଏହି ବିଭାଗର ଶିଶୁରୋଗ କ୍ଷେତ୍ରକୁ ପର୍ଯ୍ୟାପ୍ତ ସୁବିଧା ସୁଯୋଗ ଉପଲବ୍ଧ କରିଛନ୍ତି । ଏହାର ସୁଯୋଗ ପିଲାମାନଙ୍କର ଅଭିଭାବକମାନେ ନେବା ଜରୁରୀ ।

ସରକାରୀ ବ୍ୟବସ୍ଥାରେ ମାଗଣା ପରୀକ୍ଷା ନୀରିକ୍ଷା ସହ ସମସ୍ତ ଔଷଧପତ୍ର ଓ ଦୀର୍ଘକାଳୀନ ଚିିକିତ୍ସା ଥିଲେ ଏହାକୁ ଶିଶୁରୋଗର ଉଚ୍ଚ ପ୍ରତିଷ୍ଠାନକୁ ପଠାଇବାର ସରକାରୀ ବ୍ୟବସ୍ଥା ରହିଛି । ଏହାର ସୁଯୋଗ ନେବା ଅତ୍ୟନ୍ତ ଜରୁରୀ । ଆଉ ଗୋଟିଏ ବଡ଼କଥା ହେଉଛି ଏ କ୍ଷେତ୍ରରେ କୌଣସି କାନକୁହା କଥା ଶୁଣି ଦେଶୀୟ ଚିକିତ୍ସକ ବା କ୍ୱାକ୍ ମାନଙ୍କ ସାହାଯ୍ୟ ନିଅନ୍ତୁ ନାହିଁ ଏହା ଆପଣଙ୍କ ପିଲାଙ୍କ ପାଇଁ ଘାତକ ସାବ୍ୟସ୍ତ ହୋଇଥାଏ । ଏହି ରୋଗକୁ ନେଇ ଅଧୈର୍ଯ୍ୟ ହୁଅନ୍ତୁ ନାହିଁ । ଭଗବତ୍ ବିଶ୍ୱାସ ରଖି ଡାକ୍ତରୀ ପରାମର୍ଶରେ ଏହାର ନିଦାନ ହୋଇପାରିବ ଏ ବିଶ୍ୱାସ ରଖନ୍ତୁ ।

Show More

Related Articles

Back to top button