ପୁଣି ଗିରଫ ହେଲେ କେଆର୍କେ

ମୁମ୍ବାଇ: ବିବାଦୀୟ ଅଭିନେତା ତଥା ସମୀକ୍ଷକ କମାଲ ରସିଦ ଖାନ୍ ଓରଫ୍ କେଆର୍କେଙ୍କ ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି। ବିବାଦୀୟ ଟ୍ୱିଟ୍ ମାମଲାକୁ ନେଇ ଗତ ସପ୍ତାହରେ ସେ ଆଇନ ଜାଲରେ ଫସିଥିଲେ। ଏବେ ପୁଣି ଥରେ ସେ ଆଉ ଏକ ନୂଆ ଅଡୁଆରେ ଫସିଛନ୍ତି। ତାଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ହୋଇଛି। ବିବାଦୀୟ ଟ୍ୱିଟ୍ ମାମଲାରେ କେଆର୍କେଙ୍କୁ କୋର୍ଟ ଅଗଷ୍ଟ ୩୦ ଯାଏଁ ନ୍ୟାୟିକ ହେପାଜତକୁ ଫଠାଇଥିଲେ। ବର୍ତ୍ତମାନ କମଲ ଆର୍ ଖାନଙ୍କୁ ତିନି ବର୍ଷ ପୁରୁଣା ମାମଲାରେ ପୁଣି ଗିରଫ କରାଯାଇଛି। ଫିଟ୍ନେସ୍ ଟ୍ରେନରଙ୍କୁ ଅସଦାଚରଣ କରିବା ଅଭିଯୋଗରେ ପୁଲିସ କେଆର୍କେଙ୍କୁ ଗିରଫ କରିଛି। ମୁମ୍ବାଇ ବୋରିବଲି ସ୍ଥିତ ୨୪ ଏମ୍ଏମ୍ କୋର୍ଟଙ୍କ ଟ୍ରାନ୍ସଫର ଅର୍ଡର ପରେ ତାଙ୍କୁ ଗିରଫ କରାଯାଇଛି। ଏହାପରେ ପୁଲିସ ତାଙ୍କୁ ଆଜି ବାନ୍ଦ୍ରା କୋର୍ଟରେ ହାଜର କରିଥିଲେ। ଏଠାରୁ ତାଙ୍କୁ ୧୪ ଦିନିଆ ହେପାଜତକୁ ପଠାଇ ଦିଆଯାଇଛି। ସୂଚନା ଅନୁସାରେ, ୨୦୧୯ରେ ଏହି ମାମଲା ହୋଇଥିଲା। କିନ୍ତୁ ୨୦୨୧ରେ ଫିଟ୍ନେସ ଟ୍ରେନର୍ କେଆର୍କେଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଅଭିଯୋଗ ମୁତାବକ, ୨୦୧୯ରେ ଜିମ୍ ଟ୍ରେନ୍ର ଜଣକ କେଆର୍କେଙ୍କ ଏକ ପାର୍ଟିକୁ ଯାଇଥିଲେ। ସେଠାରେ କେଆର୍କେ ତାଙ୍କୁ ଘରକୁ ନେଇଯାଇଥିଲେ। କୋଲ୍ଡ ଡ୍ରିଙ୍କରେ ନିଶା ଦ୍ରବ୍ୟ ମିଶାଇ ତାଙ୍କୁ ପିଇବାକୁ ଦେବା ସହ ତାଙ୍କ ସହ ଅସଦାଚରଣ କରି ଜୋର ଜବରଦସ୍ତି ହାତ ଧରିବାକୁ ଚେଷ୍ଟା କରିଥିବା ଉକ୍ତ ପୀଡିତା ଅଭିଯୋଗ କରିଥିଲେ। ଏହି ମାମଲାରେ ବର୍ସୋଭା ପୁଲିସ କମାଲ ଆର୍ ଖାନ୍ଙ୍କ ବିରୋଧରେ ୨୦୨୧ରେ ୩୫୪(କ) ଓ ୫୦୯ରେ ମାମଲା ରୁଜୁ କରିଥିଲା।