ଖେଳ

ଆଇପିଏଲ ୨୦୨୧ : ଆଜି ମୁହାଁମୁହିଁ ହେବେ ପଞ୍ଜାବ କିଙ୍ଗସ୍ ଓ ରାଜସ୍ଥାନ ରୟାଲ୍ସ

ଶାହରୁଖ ଖାନଙ୍କ ଉପରେ ସମସ୍ତଙ୍କ ନଜର

ସୋମବାର ଆଇପିଏଲ୍‌ର ଚତୁର୍ଥ ମ୍ୟାଚ୍‌ରେ ମୁହାଁମୁହିଁ ହେବେ ପଞ୍ଜାବ କିଙ୍ଗ୍‌ସ ଓ ରାଜସ୍ଥାନ ରୟାଲ୍ସ । ଏହି ମ୍ୟାଚ୍‌କୁ ନେଇ ଉଭୟ ଦଳ ଜୋରଦାର ପ୍ରସ୍ତୁତି କରିଛନ୍ତି । ଗତ ସିଜନର ପରାଜୟକୁ ଭୁଲି ନଥିବା ପଞ୍ଜାବ କିଙ୍ଗ୍‌ସ ଏଥର ପ୍ରତିଶୋଧ ନେବାକୁ ଲକ୍ଷ୍ୟ ରଖିଛି । ଅନ୍ୟ ପଟରେ ରାଜସ୍ଥାନ ରୟାଲ୍ସ ପୂର୍ବଭଳି ଆଧିପତ୍ୟ ଜାରି ରଖି ଅଭିଯାନ ଆରମ୍ଭ କରିବାକୁ ଚେଷ୍ଟା କରିବ ।

ଉଭୟ ଦଳର ବିସ୍ଫୋରକ ବ୍ୟାଟିଂଲାଇନ୍

ସୋମବାର ୱାଙ୍ଖଡ଼େ ଷ୍ଟାଡିୟମ୍‌ରେ ଚୌକା ଓ ଛକାର ବର୍ଷା ହେବା ନିଶ୍ଚିତ । ଉଭୟ ଦଳରେ ଏକାଧିକ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ରହିଛନ୍ତି । ତେଣୁ ପ୍ରଥମ ବଲ୍‌ରୁ ଆକ୍ରମଣାତ୍ମକ ବ୍ୟାଟିଂର ଝଲକ୍‌ ଦେଖିବାକୁ ମିଳିବ । ପଞ୍ଜାବ କିଙ୍ଗ୍‌ସ ଦଳରେ ଲୋକେଶ ରାହୁଲ, ମୟଙ୍କ ଅଗ୍ରୱାଲ, କ୍ରିସ୍‌ ଗେଲ, ନିକୋଲାସ୍‌ ପୂରନଙ୍କ ଭଳି ବ୍ୟାଟ୍ସମ୍ୟାନ୍‌ ରହିଛନ୍ତି । ସେହିପରି ରାଜସ୍ଥାନ ରୟାଲ୍ସ ଦଳରେ ରହିଥିବା ସଞ୍ଜୁ ସାମସନ, ବେନ ଷ୍ଟୋକ୍ସ, ଜୋସ ବଟଲର ବିଶାଳ ସଟ୍‌ ଖେଳିବାରେ ସିଦ୍ଧହସ୍ତ ।

ଅଧିନାୟକଙ୍କ ଭୂମିକା:

ଉଭୟ ଦଳର ଅଧିନାୟକ ୱିକେଟ୍‌ କିପର ବ୍ୟାଟ୍ସମ୍ୟାନ । ୨୦୧୯ ସିଜନରୁ ରାହୁଲ ପଞ୍ଜାବ କିଙ୍ଗ୍‌ସ ଦଳର ନେତୃତ୍ୱ ନେଉଛନ୍ତି । ସାମସନ ଚଳିତ ବର୍ଷ ରୟାଲ୍ସ ଦଳର ମଙ୍ଗ ଧରିଛନ୍ତି । ଉଭୟ ଦକ୍ଷ ବ୍ୟାଟ୍ସମ୍ୟାନ୍‌ ଓ ୱିକେଟ୍‌ କିପର । ତେଣୁ ସୋମବାର ଉଭୟଙ୍କ ମଧ୍ୟରେ ରଣନୀତିକୁ ନେଇ ପ୍ରତିଦ୍ୱନ୍ଦ୍ୱିତା ହେବ ।

ଚର୍ଚ୍ଚାରେ ରହିଛନ୍ତି ଏହି ଖେଳାଳି

ଉଭୟ ଦଳର କିଛି ଖେଳାଳିଙ୍କୁ ନେଇ ସମ୍ପ୍ରତି ଜୋରଦାର ଚର୍ଚ୍ଚା ଚାଲିଛି । ରାଜସ୍ଥାନ ରୟାଲ୍ସ ଦଳର ରାହୁଲ ତେୱାତିଆ ଗତ ସିଜନ୍‌ରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଥିଲେ । ପଞ୍ଜାବ କିଙ୍ଗ୍‌ସ(କିଙ୍ଗ୍‌ସ ଏକାଦାଶ ପଞ୍ଜାବ) ବିପକ୍ଷରେ ତେୱାତିଆଙ୍କ ପ୍ରଦର୍ଶନ ଅବିଶ୍ୱସନୀୟ ରହିଥିଲା । ଗତ ସିଜନରେ ଉଭୟ ଦଳ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍‌ରେ ପଞ୍ଜାବ ଦଳ ୨/୨୨୩ ରନ୍‌ କରିଥିଲା । ଜବାବରେ ରୟାଲ୍ସ ଦଳ ୩ଟି ବଲ୍‌ ବାକି ଥାଇ ବିଜୟୀ ହୋଇଥିଲା । ଅନ୍ତିମ ଭାଗରେ ତେୱାତିଆ ୩୧ଟି ବଲ୍‌ରୁ ୫୩ ରନ୍‌ କରି ଦଳକୁ ବିଜୟୀ କରାଇଥିଲେ । ଏହି ଇନିଂସରେ ସେ ୭ଟି ଛକା ମାରିଥିଲେ ।ପଞ୍ଜାବ କିଙ୍ଗସ ଏଥର ତାମିଲନାଡ଼ୁ ଅଲ୍‌ରାଉଣ୍ଡର ଶାହରୁଖ ଖାନ୍‌ଙ୍କୁ ୫.୨୫ କୋଟି ଟଙ୍କା ମୂଲ୍ୟରେ କିଣିଥିଲା । ସେବେଠୁ ଶାହରୁଖଙ୍କ ପ୍ରଦର୍ଶନ ଦେଖିବାକୁ ଦର୍ଶକ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି । ସୋମବାର ସେ ଏକାଦଶରେ ସ୍ଥାନ ପାଇବା ଏକ ପ୍ରକାର ନିଶ୍ଚିତ । ରାଜସ୍ଥାନ ରୟାଲ୍ସ ଦଳର ଅଲ୍‌ରାଉଣ୍ଡର କ୍ରସ୍‌ ମୋରିସ୍‌ଙ୍କ ଉପରେ ନଜର ରହିବ । ତାଙ୍କୁ ୧୬.୨୫ କୋଟି ଟଙ୍କା ମୂଲ୍ୟରେ ରୟାଲ୍ସ ଦଳ କିଣିଛି । ତେଣୁ ତାଙ୍କ ପ୍ରଦର୍ଶନ ଦେଖିବାକୁ କ୍ରିକେଟ୍‌ ପ୍ରେମୀ ଅପେକ୍ଷା କରିଛନ୍ତି ।

Show More

Related Articles

Back to top button