Breaking PLUSଓଡ଼ିଶାଖେଳଦେଶମୁଖ୍ୟ ଖବର

ବିଶ୍ୱକପର ବିଫଳତା ପରେ ବିଜୟର ସ୍ୱାଦ

ଟି-୨୦ ସିରିଜ ଜିତିଲା ଭାରତ

ଟି-୨୦ ବିଶ୍ୱକପର ବିଫଳତା ପରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ଟି-୨୦ ସିରିଜ ହାତେଇଛି । ପ୍ରଥମ ୨ଟି ମ୍ୟାଚରେ ଭାରତୀୟ ବୋଲର ନ୍ୟୁଜିଲାଣ୍ଡର ମିଡିଲ ଅର୍ଡରକୁ ରୋକିବା ସହ ଭାରତୀୟ ବ୍ୟାଟ୍‌ସମ୍ୟାନଙ୍କ ଆକ୍ରମଣାତ୍ମକ ବ୍ୟାଟିଂ ପାଇଁ ଟିମ ଇଣ୍ଡିଆ ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ରେ ୨-୦ରେ ଆଗୁଆ ରହି ବିଜୟଲାଭ କରିଛି। ରବିବାର ଇଡେନ ଗାର୍ଡେନ୍‌ସରେ ୩ୟ ତଥା ଅନ୍ତିମ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍‌ରେ ୨/୩ ଜଣ ନୂଆମୁହଁକୁ ସୁଯୋଗ ମିଳିପାରେ ।

ଭାରତ ସହ ଏହି ସିରିଜ୍‌ ଖେଳୁଥିବା ନ୍ୟୁଜିଲାଣ୍ଡ ଦଳର ପ୍ରାୟ ସମସ୍ତ ଖେଳାଳି ବିଶ୍ବକପ୍‌ ଖେଳିଥିଲେ। କେବଳ ଅଧିନାୟକ କେନ୍ ୱିଲିୟମ୍‌ସନ ଓ ଆହତ ଡେଭନ୍ କନ୍‌ୱେ ନାହାନ୍ତି। ତଥାପି ରବିବାର ଅନ୍ତିମ ମ୍ୟାଚ୍‌ ଜିତି କିଛି ସମ୍ମାନ ବଞ୍ଚାଇବାକୁ ଚାହିଁବ କିୱି ଟିମ । ସେପଟେ ସିରିଜ୍‌କୁ ୩-୦ରେ ଜିତିବା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବେ ମେନ ଇନ ବ୍ଲୁ । ଭାରତ ଏହି ମ୍ୟାଚ୍‌ରେ ସୂର୍ଯ୍ୟକୁମାର ଯାଦବଙ୍କ ସ୍ଥାନରେ ଆଇପିଏଲ୍‌ର ସର୍ବାଧିକ ସ୍କୋରର୍ ଋତୁରାଜ ଗାଏକ୍‌ୱାଡଙ୍କୁ ​‌ଖେଳାଇପାରେ।

ପୁଣି ଗତ ୨ଟିଯାକ ମ୍ୟାଚ୍‌ରେ ଭଲ ବୋଲିଂ କରିଥିବା ଭୁବନେଶ୍ବର କୁମାରଙ୍କୁ ବିଶ୍ରାମ ଦେଇ ଯୁବ ଫାଷ୍ଟବୋଲର ଆଭେସ୍ ଖାଁଙ୍କୁ ସୁଯୋଗ ଦେଇପାରନ୍ତି ରାହୁଲ ଓ ରୋହିତ ଯୋଡି । ସେହିଭଳି ଈଶାନ୍ କିଷନ୍ ମଧ୍ୟ ପଡିଆକୁ ଓହ୍ଲାଇପାରନ୍ତି । ଭାରତୀୟ ଟି-୨୦ ଦଳର ପୂର୍ଣ୍ଣକାଳୀନ ଅଧିନାୟକ ନିଯୁକ୍ତ ହେବା ପରେ ରୋହିତ ଶର୍ମା ଉଭୟ ମ୍ୟାଚ୍‌ରେ ଟସ୍ ଜିତିଛନ୍ତି । କାକର ପ୍ରଭାବିତ ଏହି ୨ଟି ମ୍ୟାଚ୍‌ରେ ଟସ୍ ମଧ୍ୟ ନିର୍ଣ୍ଣାୟକ ସାବ୍ୟସ୍ତ ହୋଇଛି । ଇେଡନ ଗାର୍ଡେନ୍‌ରେ ମଧ୍ୟ ଉଭୟ ଦଳ ଟସ୍ ଜିତି ଫିଲ୍‌ଡିଂ କରିବାକୁ ଚାହିଁବେ। ୨ୟ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ତା’ର ଶ୍ରେଷ୍ଠ ଏକାଦଶ ଖେଳାଇବା ସତ୍ତ୍ବେ ବିଫଳ ହୋଇଥିଲା। ତଥାପି ୩ୟ ମ୍ୟାଚ୍‌ରେ ଏହା ସେହି ଏକାଦଶକୁ ଖେଳାଇପାରେ ।

ଆର୍. ଅଶ୍ବିନ ଉଭୟ ମ୍ୟାଚ୍‌ରେ ଭଲ ବୋଲିଂ କରିଥିବା ବେଳେ ପଦାର୍ପଣ ମ୍ୟାଚ୍‌ରେ ହର୍ଷଲ ପଟେଲ ପ୍ଲେୟର ଅଫ୍ ଦି ମ୍ୟାଚ୍‌ ହୋଇଛନ୍ତି । ଭାରତକୁ ଏହା ଉତ୍ସାହିତ କରିଛି । ଇଡେନ୍‌ର ପିଚ୍ ବ୍ୟାଟିଂ ସହାୟକ ହେବ ଏବଂ ନଭେମ୍ବରର କାକର ୨ୟ ଇନିଂସରେ ବ୍ୟାଟିଂ କରୁଥିବା ଦଳକୁ ନିଶ୍ଚୟ ସୁହାଇବ ବୋଲି ଆଶା ।

Show More

Related Articles

Back to top button