Breaking PLUSଓଡ଼ିଶାପାଣିପାଗମୁଖ୍ୟ ଖବର

ସାରା ରାଜ୍ୟରେ ତାତିରୁ ନିସ୍ତାର ନାହିଁ

୨୨ ତାରିଖ ଯାଏଁ ବଡ ବର୍ଷା ଆଶା କ୍ଷୀଣ

ପ୍ରଚଣ୍ଡ ଗ୍ରୀଷ୍ମ ଜ୍ୱାଳାରୁ ଏବେ ନିସ୍ତାର ଆଶା ଦେଖାଦେଉନି । ଆସନ୍ତା ୨୨ ତାରିଖ ଯାଏ ରାଜ୍ୟରେ ବଡ଼ ବର୍ଷା ସମ୍ଭାବନା କ୍ଷୀଣ । ଯଦିଓ ଏହା ଭିତରେ ମୌସୁମୀ ଆସେ ଅଳ୍ପ କିଛି ବର୍ଷା ଛିଞ୍ଚିବ । ବିସ୍ତୃତ ଅଞ୍ଚଳ ଭିଜିଲା ଭଳି ବର୍ଷା ଦୂର ଦୂର ଯାଏ ଦେଖାଦେଉନି । ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ପୂର୍ବାନୁମାନ ଏମିତି କିଛି ଦିଗକୁ ସୂଚାଉଛି । ଆଇଏମ୍‌ଡି ଆକଳନ କହୁଛି, ପୂର୍ବ ଓ କେନ୍ଦ୍ରୀୟ ଭାରତର କିଛି ସ୍ଥାନରେ ମୌସୁମୀ ପ୍ରବେଶ କରିବ । ତେବେ ଉତ୍ତର ପୂର୍ବ, ପୂର୍ବ ଭାରତ ଓ ଉତ୍ତର ପଶ୍ଚିମ ଭାରତରେ ମୌସୁମୀ ବର୍ଷା ସ୍ୱାଭାବିକ ରହିବ । କିନ୍ତୁ ଓଡ଼ିଶାରେ ସ୍ୱାଭାବିକ ବର୍ଷା ହେବନି। ୯ ରୁ ୧୫ ତାରିଖ ଭିତରେ ରାଜ୍ୟର କିଛି ସ୍ଥାନରେ ଅଳ୍ପ ବର୍ଷା ହେବାର ସମ୍ଭାବନା ଅଛି । କିନ୍ତୁ ବଡ଼ ବର୍ଷା ଆଦୌ ହେବନି । ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମ ଲହରୀ ଜାରି ରହିଛି । ଗୁରୁବାର ଅଧିକାଂଶ ଜିଲ୍ଲାରେ ଅସମ୍ଭାଳ ତାତି ହୋଇଛି । ବଲାଙ୍ଗୀରରେ ସର୍ବାଧିକ ୪୫.୩ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଶୁକ୍ରବାର ତାତି ଆହୁରି ନାକେଦମ୍‌ କରିବ । ବଲାଙ୍ଗୀର, ବରଗଡ଼, ଝାରସୁଗୁଡ଼ା, ସୋନପୁର, କଳାହାଣ୍ଡି, ନୂଆପଡ଼ା ଓ ବୌଦ୍ଧ ଜିଲ୍ଲାରେ ଗ୍ରୀଷ୍ମ ଲହରୀ ବହିବ । ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ କରିଛି ।

ଗୁରୁବାର ରାଜ୍ୟର ୫ ସ୍ଥାନର ତାପମାତ୍ରା ୪୩ ଡିଗ୍ରୀ ଉପରେ ଥିଲା । ବଲାଙ୍ଗୀର, ଭବାନୀପାଟଣା, ଟିଟିଲାଗଡ଼, ମାଲକାନଗିରି ଓ ବୌଦ୍ଧ ଜିଲ୍ଲାର ତାପମାତ୍ରା ୪୩ ଉପରେ ଥିଲା । ସେହିଭଳି ୧୫ ସ୍ଥାନର ତାପମାତ୍ରା ୪୦ଡିଗ୍ରୀ ଉପରେ ଥିଲା । ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ହୀରାକୁଦ, ବରଗଡ଼, ବାରିପଦା, ଦେବଗଡ଼, ନବରଙ୍ଗପୁର, ସୋନପୁର ଜିଲ୍ଲାର ତାପମାତ୍ରା ୪୦ ଉପରେ ଥିଲା । ଗତ କିଛି ଦିନ ଧରି ପଶ୍ଚିମ ଓଡ଼ିଶାରେ ପ୍ରବଳ ତାତି ଅନୁଭୂତ ହେଉଛି । ଶୁକ୍ରବାର ମଧ୍ୟ ଏହା ଜାରି ରହିବ । ଏଥିପାଇଁ ବୟସ୍କ, ଅସୁସ୍ଥ ଓ ଶିଶୁମାନେ ସତର୍କ ରହିବା ସହ ବାହାରକୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି । ଆସନ୍ତା ୯ ରୁ ୧୫ ତାରିଖ ଭିତରେ ରାଜ୍ୟର ବିଭିନ୍ନ ସ୍ଥାନରେ ଅଳ୍ପ କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ପୂର୍ବାନୁମାନ କରିଛି । ତେବେ ୧୦ ତାରିଖରୁ ରାଜ୍ୟର କିଛି ସ୍ଥାନରେ ତାପମାତ୍ରା କମିବ । ୧୧ରୁ ପଶ୍ଚିମ ଓଡ଼ିଶାରେ ତାପମାତ୍ରା ଆହୁରି କମିଯିବ । କ୍ରମଶଃ ରାଜ୍ୟର ସବୁ ଅଞ୍ଚଳରେ ତାପମାତ୍ରା ୪୦ଡିଗ୍ରୀ ତଳକୁ ଖସିବ ବୋଲି ସୋଆ ଜଳବାୟୁ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ କହିଛନ୍ତି ।

Show More

Related Articles

Back to top button