Breaking PLUSଓଡ଼ିଶାପାଣିପାଗମୁଖ୍ୟ ଖବର

ରାଜ୍ୟରେ ପୁଣି ଫେରିବ ଶୀତ

ଆସନ୍ତା ୪ରୁ ୫ଦିନ ମଧ୍ୟରେ ରାଜ୍ୟରେ କମିବ ତାପମାତ୍ରା । ବିଶେଷ କରି ରାତି ତାପମାତ୍ରା ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ଖସିବ ।

ପୁଣି ଜାଡ଼ ଲେଉଟିବ । ରାଜ୍ୟକୁ ଶୀତ ଫେରିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ସେହିପରି ଶୁକ୍ରବାର ସକାଳେ ରାଜ୍ୟର ୧୭ଟି ଜିଲ୍ଲାରେ ଘନ କୁହୁଡ଼ି ହେବ । ଅପରପକ୍ଷେ ଶନିବାର ରାତିରୁ ନୂଆବର୍ଷ ସକାଳ ପର୍ଯ୍ୟନ୍ତ ରାଜ୍ୟର ୧୮ ଜିଲ୍ଲାରେ ଘନ କୁହୁଡ଼ି ଦେଖା ଦେବ ବୋଲି ବିଭାଗ ଆକଳନ କରିଛି । ତେଣୁ ସେହି ଜିଲ୍ଲାଗୁଡିକ ସତର୍କ ରହିବାକୁ ସ୍ୱତନ୍ତ୍ର ରିଲିଫ୍‌ କମିଶନର୍‌ ବା ଏସଆରସି ସତର୍କ ସୂଚନା ଜାରି କରିଛନ୍ତି । ଏନେଇ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଏସପିମାନଙ୍କୁ ଚିଠି ଲେଖିଛନ୍ତି । ଶୁକ୍ରବାର ସକାଳେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, ଢେଙ୍କାନାଳ, ଅନୁଗୁଳ, ଦେଓଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ନୂଆପଡ଼ା, ବୌଦ୍ଧ, ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ ଘନ କୁହୁଡ଼ି ଦେଖାଦେବ । ସେହିପରି ଉପରୋକ୍ତ ଜିଲ୍ଲାଗୁଡିକ ସମେତ ବଲାଙ୍ଗୀର ଜିଲ୍ଲାରେ ଶୁକ୍ରବାର ରାତିରୁ ଶନିବାର ସକାଳ ପର୍ଯ୍ୟନ୍ତ ଘନ କୁହୁଡ଼ି ଦେଖା ଦେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ତେଣୁ ସଡ଼କ ଦୁର୍ଘଟଣା ଏଡ଼ାଇବା ପାଇଁ ପୁଲିସ ପ୍ରଶାସନ ଓ ପରିବହନ ଅଧିକାରୀ ଆବଶ୍ୟକ ପଦକ୍ଷେପ ନେବାକୁ ଏସ୍‌ଆରସି ନିର୍ଦ୍ଦେଶ ଦେଇଛନ୍ତି ।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌ ବିଶ୍ୱାସ ପୂର୍ବାନୁମାନ କରିଛନ୍ତି ଯେ, ଶୁକ୍ରବାର ରାଜ୍ୟର କିଛି ସ୍ଥାନରେ ଘନ କୁହୁଡ଼ି ଦେଖାଦେବ । ସେହିପରି ଏବେ ରାଜ୍ୟର କିଛି ସ୍ଥାନରେ ସ୍ୱାଭାବିକଠୁ ୩ରୁ ୫ଡିଗ୍ରୀ ସେଲସିୟସ୍‌ ପର୍ଯ୍ୟନ୍ତ ତାପମାତ୍ରା ଅଧିକ ରହୁଥିବା ବେଳେ ଧୀରେ ଧୀରେ ତାପମାତ୍ରା ଖସିବ। ଯାହା ସ୍ୱାଭାବିକ ହେବ ବୋଲି ଶ୍ରୀ ବିଶ୍ୱାସ ଆକଳନ କରିଛନ୍ତି । ଗୁରୁବାର ସକାଳ ୮ଟା ୩୦ ସୁଦ୍ଧା ୨୪ ଘଣ୍ଟା ମଧ୍ୟରେ ସମ୍ବଲପୁରରେ ୫୬ ମିଲିମିଟର ବର୍ଷା ହୋଇଛି । ସେହିପରି ସୋନପୁରରେ ୫୩ ମିଲିମିଟର, ବଲାଙ୍ଗୀରରେ ୩୨ ମିଲିମିଟର, ଫୁଲବାଣୀ/ଝାରସୁଗୁଡ଼ାରେ ୨୭ ମିଲିମିଟର, ସୁନ୍ଦରଗଡ଼ରେ ୨୫ ମିଲିମିଟର, କେନ୍ଦୁଝରରେ ୨୨ ଓ ବୌଦ୍ଧରେ ୨୧ ମିଲିମିଟର ବର୍ଷା ହୋଇଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ରେକର୍ଡ଼ କରିଛି ।

Show More

Related Articles

Back to top button