ଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ ୬୧୩୧ ଶିକ୍ଷକଙ୍କୁ ଏକାଥରେ ମିଳିଲା ନିଯୁକ୍ତି

ଓଡିଶା ନିଯୁକ୍ତି ଇତିହାସରେ ରେକର୍ଡ

ନୂଆ ଓଡ଼ିଶା ଗଠନ ପାଇଁ ଆରମ୍ଭ ହୋଇଥିବା ୫-ଟି ବିଦ୍ୟାଳୟ ରୂପାନ୍ତର କାର୍ଯ୍ୟକ୍ରମରେ ଶିକ୍ଷକମାନେ ସଫଳ ସହଯୋଗୀ ଭାବରେ ଦାୟିତ୍ୱ ତୁଲାଇବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି । ଗୁରୁବାର ରାଜ୍ୟ ସରକାର ଏକାଥରକେ ୬୧୩୧ ଜଣ ଶିକ୍ଷକଙ୍କୁ ନିଯୁକ୍ତି ଦେଇଛନ୍ତି । ରାଜ୍ୟର ନିଯୁକ୍ତି ଇତିହାସରେ ଏହା ସର୍ବକାଳୀନ ରେକର୍ଡ । ୫-ଟି ହାଇସ୍କୁଲ ଟ୍ରାନ୍ସଫରମେସନ୍‌ କାର୍ଯ୍ୟକ୍ରମରେ ୧୦୭୫ ସ୍କୁଲର ରୂପାନ୍ତର ପରେ ପରେ ଶିକ୍ଷା କ୍ଷେତ୍ରରେ ଏହା ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । କଳିଙ୍ଗ ଷ୍ଟାଡିୟମ୍‌ରେ ଆୟୋଜିତ ନବ ନିଯୁକ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ମାନଙ୍କ ଓରିଏଣ୍ଟେସନ୍‌ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପିଲାମାନେ ହେଉଛନ୍ତି ଅନନ୍ତ ସମ୍ଭାବନାର ପ୍ରତୀକ । ସେମାନଙ୍କ ମଧ୍ୟରେ ନୂଆ ଆଶା ଜାଗ୍ରତ କରିବା, ସେମାନଙ୍କ କଳ୍ପନାକୁ ଶକ୍ତି ଦେବା ଏବଂ ଅଧ୍ୟୟନ ପ୍ରତି ଆଗ୍ରହ ସୃଷ୍ଟି କରିବାରେ ଶିକ୍ଷକମାନେ ହିଁ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି । ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସୃଜନୀଶକ୍ତିର ବିକାଶତଥା ଆତ୍ମବିଶ୍ୱାସ ବୃଦ୍ଧି ପାଇଁ କାମ କରିବାକୁ ମୁଖ୍ୟମନ୍ତ୍ରୀ ଶିକ୍ଷକମାନଙ୍କୁ ପରାମର୍ଶ ଦେଇଥିଲେ ।

ଶିକ୍ଷକତା ପରି ଏକ ମହାନ ବୃତ୍ତିକୁ ଆପଣେଇ ଥିବାରୁ ମୁଖ୍ୟମନ୍ତ୍ରୀ ନବନିଯୁକ୍ତ ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇଥିଲେ । ତେବେ ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ଚାଲିଥିବା ରୂପାନ୍ତର ସମ୍ପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ୫-ଟି ହାଇସ୍କୁଲ ଟ୍ରାନ୍ସଫରମେସନ୍‌ କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ସ୍କୁଲର ଭିତ୍ତିଭୂମିର ରୂପାନ୍ତର କରାଯାଇ ସ୍ମାର୍ଟ କ୍ଲାସ ରୁମ୍‌, ଇ-ଲାଇବ୍ରେରୀ, ଆଧୁନିକ ପରୀକ୍ଷାଗାର, ଉନ୍ନତ ପରିମଳ ବ୍ୟବସ୍ଥା, ଖେଳପଡିଆ ତଥା ସ୍କୁଲର ପରିବେଶକୁ ଶିକ୍ଷା ଅନୁକୂଳ କରିବା ପାଇଁ ସବୁ ପ୍ରକାର ପଦକ୍ଷେପ ନିଆଯାଇଛି । ଏ ପର୍ଯ୍ୟନ୍ତ ୧୦୭୫ଟି ସ୍କୁଲର ରୂପାନ୍ତରଣ ପ୍ରଥମ ପର୍ଯ୍ୟାୟରେ ଶେଷ ହୋଇଛି ପର୍ଯ୍ୟାୟ କ୍ରମେ ରାଜ୍ୟର ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ ହାଇସ୍କୁଲର ରୂପାନ୍ତର କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ । କାର୍ଯ୍ୟକ୍ରମରେ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଟୁକୁନି ସାହୁ, ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପ୍ରମୁଖ ଯୋଗ ଦେଇ ଶିକ୍ଷା ବ୍ୟବସ୍ଥାରେ ରୂପାନ୍ତର ହିଁ ନୂଆ ଓଡ଼ିଶାର ସ୍ୱପ୍ନ ସାକାର କରିବ ବୋଲି ମତ ଦେଇଥିଲେ । ସୂଚନାଯାଗ୍ୟ, ମାତ୍ର ୪୭ ଦିନ ମଧ୍ୟରେ ୬୧୩୧ ଶିକ୍ଷକ ନିଯୁକ୍ତି ଦିଆଯାଇଛି । ସେମାନଙ୍କ ମଧ୍ୟରେ ୨୨୩୬ ଜଣ କଳା ଶିକ୍ଷକ, ୧୭୭୯ ଜଣ ବିଜ୍ଞାନ, ୮୨୯ ଜଣ ହିନ୍ଦୀ, ୭୯୬ ଜଣ ସଂସ୍କୃତ ପିଇଟି ଓ ୩ଜଣ ତେଲୁଗୁ ଶିକ୍ଷକ ନିଯୁକ୍ତି ପାଇଛନ୍ତି ।

Show More

Related Articles

Back to top button