Breaking PLUSଓଡ଼ିଶାମୁଖ୍ୟ ଖବର

ଓଡ଼ିଶାରେ ବଢୁଛି ମହିଳା ବିରୋଧୀ ଅପରାଧ

୨୦୨୦ ତୁଳନାରେ ୨୧ରେ ବୃଦ୍ଧି ପାଇଁ ସବୁପ୍ରକାର ହିଂସା

ଓଡ଼ିଶାରେ ବଢୁଛି ମହିଳା ବିରୋଧୀ ଅପରାଧ। ଦିନକୁ ୨୯ରୁ ଅଧିକ ମହିଳାଙ୍କ ସମ୍ମାନହାନି ହେଉଥିବା ବେଳେ ୧୬ରୁ ଅଧିକ ମହିଳାଙ୍କୁ ଅପହରଣ ଓ ୭ରୁ ଅଧିକ ମହିଳା ହେଉଛନ୍ତି ଦୁଷ୍କର୍ମର ଶିକାର । ୨୦୨୦ ମସିହା ତୁଳନାରେ ୨୦୨୧ ମସିହାରେ ରାଜ୍ୟରେ ମହିଳାଙ୍କ ବିରୁଦ୍ଧରେ ସବୁପ୍ରକାରର ହିଂସା ବୃଦ୍ଧି ପାଇଛି ବୋଲି ବିଧାନସଭାରେ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ଲିଖିତ ଭାବେ ଉତ୍ତର ଦେଇଛନ୍ତି । ସେହି ଲିଖିତ ଉତ୍ତରରେ ଆହୁରୀ ମଧ୍ୟ କୁହାଯାଇଛି ଯେ, ୨୦୨୨ ଜାନୁୟାରୀରୁ ଏପ୍ରିଲ ୩୦ତାରିଖ ମଧ୍ୟରେ ରାଜ୍ୟରେ ୧୯୮୩ଟି ଅପହରଣ ଓ ୮୬୮ଟି ଦୁଷ୍କର୍ମ ମାମଲା ପଞ୍ଜିକୃତ ହୋଇଛି। ଏହାବାଦ୍‌୨୦୨୦ ମସିହାରେ ୨୯୮୪ଟି , ୨୦୨୧ରେ ୩୩୨୭ଟି ଓ ୨୦୨୨ ଏପ୍ରିଲ ୩୦ ତାରିଖ ମଧ୍ୟରେ ୮୬୮ଟି ଦୁଷ୍କର୍ମ ମାମଲା ପଞ୍ଜିକୃତ ହୋଇଛି । ସେହିପରି୨୦୨୦ ମସିହାରେ ୭୯୩୭ଟି, ୨୦୨୧ରେ ୧୦୦୧୮ଟି ଓ ୨୦୨୨ ଏପ୍ରିଲ ୩୦ ମଧ୍ୟରେ ୩୫୩୪ଟି ମହିଳା ଅସଦାଚରଣ ମାମଲା ଥାନାରେ ପଞ୍ଜିକୃତ ହୋଇଛି ।

ମହିଳା ଅପହରଣ ମାମଲା ୨୦୨୦ ମସିହାରେ ୩୭୨୦ଟି, ୨୦୨୧ରେ ୫୧୭୫ଟି ଓ ୨୦୨୨ ଏପ୍ରିଲ ୩୦ ସୁଦ୍ଧା ୧୯୮୩ଟି ମାମଲା ପଞ୍ଜିକୃତ ହୋଇଛି । ସେପଟେ ଘରୋଇ ହିଂସା ମାମଲା ୨୦୨୦ରେ ୩୧୫୩ଟି, ୨୦୨୧ରେ ୪୮୮୯ଟି, ୨୦୨୨ ଏପ୍ରିଲ ସୁଦ୍ଧା ୧୪୩୦ଟି ମାମଲା ପଞ୍ଜିକୃତ ହୋଇଛି । ଏହାସହିତ ଯୌତୁକ ନିର୍ଯାତନାରେ ୨୦୨୦ ମସିହାରେ ୩୭୫୯ଟି, ୨୦୨୧ରେ ୪୯୫୩ଟି ଓ ୨୦୨୨ ଏପ୍ରିଲ ୩୦ ତାରିଖ ସୁଦ୍ଧା ୧୪୪୨ଟି ମାମଲା ପଞ୍ଜିକୃତ ହୋଇଛି । ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପ୍ରଶ୍ନର ଉତ୍ତରରେ ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କ ପକ୍ଷରୁ ଉତ୍ତର ଦିଆଯାଇଛି ।

Show More

Related Articles

Back to top button