Breaking PLUSଓଡ଼ିଶାପାଣିପାଗମୁଖ୍ୟ ଖବର

ରାଜ୍ୟରେ ଫେବ୍ରୁଆରୀ ୩ରୁ ବର୍ଷା

୫ ପରେ ବଢିବ ଶୀତ

ପଶ୍ଚିମା ଝଡ଼ ପ୍ରଭାବରେ ଆସନ୍ତା ଫେବ୍ରୁଆରି ୩ ତାରିଖରୁ ରାଜ୍ୟରେ ବର୍ଷା ହେବ । ସୋନପୁର ସମେତ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ବିକ୍ଷିପ୍ତ ବର୍ଷା ହୋଇପାରେ । ୪ ଓ ୫ ତାରିଖରେ ବର୍ଷା ପରିମାଣ ବଢ଼ିବ । ପାଣିପାଗ ବିଭାଗ ରବିବାର ଏଭଳି ପୂର୍ବାନୁମାନ କରିଛି । ଏଭଳି ଅଦିନିଆ ବର୍ଷା ପ୍ରଭାବରେ ପନିପରିବା ଚାଷ ବ୍ୟାପକ କ୍ଷତିଗ୍ରସ୍ତ ହେବାର ଆଶଙ୍କା ସୃଷ୍ଟି ହୋଇଛି । ଆସନ୍ତା ୫ ତାରିଖ ଦିନ ଯାଏ ରାଜ୍ୟରୁ ଶୀତ କମିଯିବ । ୫ ତାରିଖ ପରେ ଶୀତ ପୁଣି ଫେରିବ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି । ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି)ର ପାଣିପାଗ ବିଜ୍ଞାନୀ ଉମାକାନ୍ତ ଦାସ କହିଛନ୍ତି, ପଶ୍ଚିମା ଝଡ଼ ପ୍ରଭାବରେ ଆସନ୍ତା ୩ ତାରିଖରେ ବର୍ଷା ହେବ । ସୋନପୁର, ବରଗଡ଼, ସମ୍ବଲପୁର, ଦେବଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ, ଢେଙ୍କାନାଳ ଓ ଅନୁଗୁଳର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ୪ ଓ ୫ ତାରିଖରେ ରାଜ୍ୟରେ ବର୍ଷା ପରିମାଣ ବଢ଼ିବ । ସୋମବାର ସକାଳୁ କିଛି ସ୍ଥାନରେ ଶୀତ ଲହରୀ ଜାରି ରହିବ । ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ବରଗଡ଼, ନୂଆପଡା, ବଲାଙ୍ଗିର, ସୋନପୁର ଓ କଳାହାଣ୍ଡିରେ ଶୀତ ଲହରୀ ବହିବ । ସୋମବାର ରାତିରୁ ତାପମାତ୍ରା କ୍ରମଶଃ ବଢିବ । ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ୩ରୁ ୫ ଡିଗ୍ରୀ ଯାଏ ବଢିଯିବ ।ଫଳରେ ଶୀତ କମିବ । ୩ ତାରିଖରୁ ବର୍ଷା ଆଶଙ୍କା ଥିବାରୁ ପାଗ କୋହଲା ରହିବ । ଦିନବେଳା ଥଣ୍ଡା ପାଗ ରହିବ । କିନ୍ତୁ ରାତିରେ ଶୀତ ଅଧିକ ରହିବନି । ୫ ତାରିଖ ପରଠାରୁ ରାଜ୍ୟକୁ ପୁଣି ଶୀତ ଫେରିବ । ୧ ଓ ୨ ତାରିଖରେ ରାଜ୍ୟର ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ କୁହୁଡି ଅନୁଭୂତ ହେବ ।

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରି କହିଛନ୍ତି, ଉତ୍ତର ପଶ୍ଚିମ ଭାରତରେ ସୋମବାର ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଏହା ଧୀରେଧୀରେ କ୍ରମଶଃ ପୂର୍ବ ଆଡ଼କୁ ମୁହାଁଇବ । ୩ ତାରିଖ ବେଳକୁ ଓଡ଼ିଶା ଦେଇ ବଙ୍ଗୋପସାଗରୀୟ ପବନ ଲଘୁଚାପ କ୍ଷେତ୍ର ଆଡକୁ ଆସିବ । ଏହା ଉତ୍ତରା ଥଣ୍ଡା ପବନ ସହିତ ମିଶିଯିବ । ଏହାର ପ୍ରଭାବରେ ରାଜ୍ୟରେ ପାଗ ମେଘୁଆ ରହିବା ସହ ବର୍ଷା ହେବ । ୪ ଓ ୫ ତାରିଖ ସକାଳ ବେଳା ଉତ୍ତର ଓଡ଼ିଶାରେ ପାଗ ମେଘୁଆ ରହିବା ସହ ବର୍ଷିବ । କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଦେବଗଡ, ଝାରସୁଗୁଡ଼ା ଓ ସୁନ୍ଦରଗଡରେ ହାଲୁକାରୁ ସ୍ୱଳ୍ପ ବର୍ଷା ହୋଇପାରେ । ଏହି ଦୁଇ ଦିନ ପ୍ରାୟ ୧୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ । କିଛି ସ୍ଥାନରେ ଅଧିକ ବର୍ଷା ହେବ । ଗୋଟିଏ ଦୁଇଟି ସ୍ଥାନରେ କୁଆପଥର ମାଡ଼ ସହ ବର୍ଷା ହୋଇପାରେ ବୋଲି ଡ. ପଶୁପାଳକ କହିଛନ୍ତି । ଏହି ବର୍ଷା ଯୋଗୁ ପନିପରିବା ଚାଷ ନଷ୍ଟ ହେବାର ଭୟ ସୃଷ୍ଟି ହୋଇଛି । ମେଘୁଆ ପାଗ ଓ ବର୍ଷା ଯୋଗୁ ପନିପରିବା ଚାଷ ସମେତ ଚିନିବାଦାମ ଓ ସୋରିଷରେ ରୋଗ ପୋକ ବଢିପାରେ । ଆମ୍ବ ଗଛର ବଉଳ ମଧ୍ୟ ନଷ୍ଟ ହୋଇଯିବାର ଆଶଙ୍କା ରହୁଛି । ତେବେ ମୁଗ, ବିରି ଭଳି ଅଣଜଳସେଚିତ ଫସଲ ପାଇଁ ବର୍ଷା ଭଲ ରହିବ । ଯେଉଁମାନେ ଧାନ ତଳି ପକାଇଥିବେ ତାହା ଭଲ ହେବ ।ଶୀତକୁ ନେଇ ପୂର୍ବାନୁମାନ କରି ଡ.ପଶୁପାଳକ କହିଛନ୍ତି, ରାଜ୍ୟର ବିଭିନ୍ନ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ବଢ଼ିବା ଆରମ୍ଭ କରିଛି । ଦକ୍ଷିଣ ଓଡ଼ିଶାରେ ଏହା ଧୀରେ ଧୀରେ ଉପରମୁହାଁ ହେଉଛି । ଆସନ୍ତା ୫ ଦିନ ଯାଏ ଏହା ଜାରି ରହିବ । ୪ ତାରିଖ ସକାଳ ସୁଦ୍ଧା ଅନେକ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୪ରୁ ୬ ଡିଗ୍ରୀ ସେଲସିୟସ୍‌ ବଢିବ । ସର୍ବାଧିକ ତାପମାତ୍ରା ୬ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିପାରେ ବୋଲି ସେ କହିଛନ୍ତି ।

Show More

Related Articles

Back to top button