ଦେଶ ବିଦେଶ

୧୫ ଦିନରେ ଅଢେଇଲକ୍ଷ ଭକ୍ତ କଲେ ବାବା କେଦାରନାଥଙ୍କ ଦର୍ଶନ

ଲାଗୁଛି ଲମ୍ବା ଧାଡ଼ି

କରୋନା ଭାଇରସ ମହାମାରୀ ପରେ ପ୍ରଥମ ଥର ହୋଇଥିବା ଚାରଧାମ ଯାତ୍ରାରେ ଯାତ୍ରୀଙ୍କ ଭିଡ ଦୈନିକ ନୂଆ ନୂଆ ରେକର୍ଡ କରୁଛି। ମାତ୍ର ୧୫ ଦିନର ଯାତ୍ରାରେ ଏପର୍ଯ୍ୟନ୍ତ ଅଢେଇ ଲକ୍ଷରୁ ଅଧିକ ଭକ୍ତ ବାବା କେଦାରନାଥଙ୍କ ଦର୍ଶନ କରିଥିବା ଶୁକ୍ରବାର ଜଣାପଡିଛି। ଯାହା ନିଜକୁ ନିଜେ ଏକ ରେକର୍ଡ ବୋଲି ଏବେ କୁହାଯାଉଛି। କେଦାରନାଥ ଯାତ୍ରା ଇତିହାସରେ ଏହା ପ୍ରଥମ ଥର ହୋଇଛି। ସ୍ୱଳ୍ପ ଦିନରେ ଏତେ ସଂଖ୍ୟକ ଦର୍ଶନାର୍ଥୀ ବାବାଙ୍କ ଦର୍ଶନ କରିଛନ୍ତି। ଚାରଧାମ ଯାତ୍ରା ସରିବାକୁ ଆହୁରି ଢେର ସମୟ ଅଛି। ତେବେବି ଦର୍ଶନ ଲାଗି ଦୈନିକ ମନ୍ଦିରରେ ଭକ୍ତଙ୍କ ଧାଡି ରହୁଛି। ଏଥିରେ ଚଳିତବର୍ଷ ଆଦିଗୁରୁ ଶଙ୍କରାଚାର୍ଯ୍ୟଙ୍କ ସମାଧି ସ୍ଥଳ ମଧ୍ୟ ଦର୍ଶନ ହେଉଛି। ଏଥିରୁ ଭକ୍ତଙ୍କ ସନ୍ତୁଷ୍ଟି ଦେଖିବାକୁ ମିଳୁଛି। ଗତ ଦୁଇ ବର୍ଷ ହେଲା କେଦାରନାଥ ଧାମ ଯାତ୍ରା ବନ୍ଦ ଥିଲା ତାହା ଏବେକା ପରିସ୍ଥିତି ଦେଖିଲେ କେହି ହୁଏତ ସହଜରେ ବିଶ୍ୱାସ ବି କରିନପାରେ। କେଦାରନାଥ ଧାମ ସାରା ଭକ୍ତ ଖେଳାଇ ହୋଇ ଯାଇଛନ୍ତି। ତେବେ ଏଥର ଯାତ୍ରାରେ ନୂଆ କଥା ଦେଖିବାକୁ ମିଳୁଛି। ବାବା କେଦାରଙ୍କ ଦର୍ଶନ ଲାଗି ସବୁ ବର୍ଷ ଭଳି ଏଥର ଏତେ ଲୋକେ ହେଲିକପ୍ଟର ସେବା ଉପଲବ୍ଧ କରୁ ନାହାନ୍ତି।

ଲୋକେ ସହଜ ଦର୍ଶନ ବଦଳେ ଉପତ୍ୟାକାର ଚଲାବାଟରେ ବାବାଙ୍କ ଦର୍ଶନ ଲାଗି ଛୁଟୁଥିବା ଦେଖାଯାଉଛି। ଧାମରେ ଏବେ ଦିନକୁ ଦିନ ଦର୍ଶନାର୍ଥୀଙ୍କ ସଂଖ୍ୟା ବଢ଼ିବଢ଼ି ଚାଲିଛି। ଲୋକେ କଠିନ ରାସ୍ତାରେ ଯାତ୍ରା କରି ବାବାଙ୍କ ଧାମରେ ପହଞ୍ଚୁଛନ୍ତି। ଦର୍ଶନ ଲାଗି ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ମନ୍ଦିର ସାମ୍ନାରେ ଦୀର୍ଘ ୧ କିଲୋମିଟରର ଧାଡି ଲାଗୁଛି। ଏଥିରେ ଦୈନିକ ୧୫ ହଜାରରୁ ଅଧିକ ଭକ୍ତ ବାବାଙ୍କ ଦର୍ଶନ କରୁଛନ୍ତି। କେଦାରନାଥ ଧାମ ପହଞ୍ଚୁଥିବା ଭକ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡ୍ରିମ ପ୍ରୋଜେକ୍ଟରେ ହୋଇଥିବା କାର୍ଯ୍ୟକୁ ଦେଖି ଉଚ୍ଚ ପ୍ରଶଂସା କରୁଛନ୍ତି। ଏହା ଯୋଗୁ ଆଦିଗୁରୁ ଶଙ୍କରାଚାର୍ଯ୍ୟଙ୍କ ସମାଧି ସ୍ଥଳ ପର୍ଯ୍ୟନ୍ତ ଏଥର ଲୋକେ ପହଞ୍ଚି ପାରୁଥିବାରୁ କାର୍ଯ୍ୟକ୍ରମର ପ୍ରଶଂସାରେ ଲୋକେ ଶତମୁଖ ହେଉଛନ୍ତି। ଏହା ଛଡା ଧାମରେ ଧ୍ୟାନ ଗୁମ୍ଫା ସବୁ ମଧ୍ୟ ନିର୍ମିତ ହୋଇଛି।

Show More

Related Articles

Back to top button