ଓଡ଼ିଶାପାଣିପାଗମୁଖ୍ୟ ଖବର

ରାଜ୍ୟରେ ଆହୁରି ଦୁଇଦିନ ଜାରି ରହିବ ପ୍ରବଳ ବର୍ଷା, ୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି ପ୍ରବଳ ବର୍ଷା। ଆହୁରି ଦୁଇ ଦିନ ପର୍ଯ୍ୟନ୍ତ ଏମିତି ଲଗାଣ ବର୍ଷା ଜାରି ରହିବ। ଉତ୍ତର-ପଶ୍ଚିମ ପାର୍ଶ୍ୱବର୍ତ୍ତୀ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ଫଳରେ ବିଭିନ୍ନ ଜିଲ୍ଲାରେ ବର୍ଷା ଜାରି ରହିଛି । କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଲଘୁଚାପ ଘନୀଭୂତ ହେଉଥିବାରୁ ବର୍ଷାର ପ୍ରକୋପ ବୃଦ୍ଧି ପାଇବ। ପ୍ରବଳ ବର୍ଷା ଯୋଗୁଁ ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ସାଙ୍ଗକୁ ମାଟି କାନ୍ଥ ପଡ଼ିବା ଓ କଚ୍ଚା ଘର ନଷ୍ଟ ହେବାର ଆଶଙ୍କା ମଧ୍ୟ ରହିଛି। ତଳୁଆ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହେବା ସହ ପ୍ରବଳ ବର୍ଷା ଯୋଗୁଁ ଦୃଶ୍ୟମାନ କ୍ଷମତା ହ୍ରାସ ପାଇବାର ମଧ୍ୟ ଆଶଙ୍କା କରାଯାଇଛି। ଅନ୍ୟପଟେ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ହୀରାକୁଦ ଡ୍ୟାମର ୪ଟି ଗେଟ୍‍ ଖୋଲାଯାଇଛି। ଓଡ଼ିଶା ପରେ ହୀରାକୁଦର ଉପରମୁଣ୍ଡ ଛତିଶଗଡ଼ରେ ବର୍ଷା ହେବାର ସମ୍ଭାବନା ଅଛି। ଏହାକୁ ଦୃଷ୍ଟିରେ ରଖି ଡ୍ୟାମ କର୍ତ୍ତୃପକ୍ଷ ୬ ଟି ଗେଟ୍‍ ସାହାଯ୍ୟରେ ଜଳ ନିଷ୍କାସନ କରୁଛନ୍ତି। ଡ୍ୟାମର ଜଳଧାରଣ କ୍ଷମତା ୬୩୦ ଫୁଟ୍‍ ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଜଳସ୍ତର ୬୨୯.୩ ଫୁଟରେ ପହଞ୍ଚିଛି।

ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସୋମବାର ସକାଳ ସୁଦ୍ଧା ଏକ ଲଘୁଚାପ ସୃଷ୍ଟି ହୋଇଛି। ଆସନ୍ତା ୨୪ଘଣ୍ଟା ମଧ୍ୟରେ ଏହା ଆହୁରି ଘନୀଭୂତ ହେବ। ମଙ୍ଗଳବାର ସମ୍ବଲପୁର, ସୋନପୁର, ବୌଦ୍ଧ, ବଲାଙ୍ଗିର, ଅନୁଗୁଳ, ଦେବଗଡ଼, ବରଗଡ଼, ସୁନ୍ଦରଗଡ଼ ଓ ଝାରସୁଗୁଡ଼ାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ଏହି ଜିଲ୍ଲାଗୁଡ଼ିକ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି।

Show More

Related Articles

Back to top button