ୟୁକ୍ରେନର ମାରିଉପୋଲରେ ଅହରହ ଗୁଳି ବର୍ଷା, ୧୫୦୦ ମୃତ
ଦିନକୁ ଦିନ ତୀବ୍ର ହେଉଛି ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ

କିଭ୍: ୧୮ ଦିନରେ ପହଞ୍ଚିଲାଣି ରୁଷିଆ-ୟୁକ୍ରେନର ଘମାଘୋଟ ଯୁଦ୍ଧ । ଥମିବା ପରିବର୍ତ୍ତେ ଦିନକୁ ଦିନ ତୀବ୍ର ହେଉଛି ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ । ଏହି ଯୁଦ୍ଧ ମଧ୍ୟରେ ୟୁକ୍ରେନର ମାରିଉପୋଲରେ ହୋଇଥିଲା ଆଖିବୁଜା ଗୁଳିଚାଳନା , ଫଳରେ ୧୫୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି । ଯାହାକୁ ନେଇ ଭୟଭୀତ ହୋଇଯାଇଛନ୍ତି ୟୁକ୍ରେନବାସୀ ।
ୟୁକ୍ରେନ କର୍ତ୍ତୃପକ୍ଷଙ୍କ ସୂଚନାନୁସାରେ , ଋଷ ସୈନ୍ୟମାନେ ଅବରୋଧିତ ବନ୍ଦର ସହର ଉପରେ ଆକ୍ରମଣ କରିଥିଲେ । ଏହି ଗୁଳି ଚାଳନାରେ ୟୁକ୍ରେନର ମାରିଉପୋଲରେ ୧୫୦୦ରୁ ଅଧିକ ସାଧାରଣ ନାଗରିକଙ୍କ ଜୀବନ ଯାଇଛି । ସେପଟେ ଋଷର ସୈନ୍ୟମାନେ ୟୁକ୍ରେନର ପଶ୍ଚିମରେ ଥିବା ଲୁଟସ୍କ ବିମାନ ବନ୍ଦର ଉପରେ ମଧ୍ୟ ଏୟାର ଷ୍ଟ୍ରାଇକ୍ କରିଛନ୍ତି । ଫଳରେ ଏୟାର ଷ୍ଟ୍ରାଇକରେ ବିମାନ ବନ୍ଦର ସମ୍ପୂର୍ଣ୍ଣ ଧ୍ବଂସ ହୋଇଯାଇଛି । ଉକ୍ତ ଘଟଣାରେ ବିମାନ ବନ୍ଦରର ୨ ଜଣ କର୍ମଚାରୀଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଆହତ ହୋଇଛନ୍ତି । ଅନ୍ୟପଟେ ଋଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଅଣନିଶ୍ବାସୀ ହୋଇ ପଡ଼ିଲେଣି ଉଭୟ ଋଷ ଏବଂ ୟୁକ୍ରେନବାସୀ ।
ଦୁଇ ଦେଶର ଯୁଦ୍ଧକୁ ନେଇ ୟୁକ୍ରେନର ଉପପ୍ରଧାନମନ୍ତ୍ରୀ ଇରିନା ଭେରସ୍କୁ କହିଛନ୍ତି ଯେ, ୟୁକ୍ରେନ କର୍ତ୍ତୃପକ୍ଷ ପୁନର୍ବାର ମାରିଉପୋଲରୁ ବଞ୍ଚିତ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ଚେଷ୍ଟା କରୁଛନ୍ତି । ସେହିପରି ମନ୍ତ୍ରୀ ଇରିନା ଭେରେସ୍କୁକ୍ ମାରିଅପୋଲରେ ଏହି ପରିସ୍ଥିତିକୁ ଏକ ମାନବିକ ବିପର୍ଯ୍ୟୟ ବୋଲି କହିବା ସହ ମାନବିକ ସହାୟତା ନଥିବାରୁ ପ୍ରାୟ 30 ହଜାର ଲୋକ ଜଳ ଅଭାବ, ଥଣ୍ଡା ଏବଂ ଭୋକରେ ପୀଡ଼ିତ ଅଛନ୍ତି ବୋଲି କହିଛନ୍ତି ।