ବାଣିଜ୍ୟ

GST Council: ବୈଠକର ଦ୍ଵିତୀୟ ଦିନରେ ରାଜ୍ୟକୁ ଝଟକା

ଏହି ପ୍ରସଙ୍ଗରେ ହୋଇ ପାରିଲାନି ନିଷ୍ପତ୍ତି

ଚଣ୍ଡିଗଡରେ ଆୟୋଜିତ ଜିଏସଟି ପରିଷଦର ଦୁଇ ଦିନିଆ ବୈଠକ ବୁଧବାର ସଂପନ୍ନ ହୋଇଛି। ବୈଠକର ଦ୍ଵିତୀୟ ଦିନରେ ରାଜ୍ୟଗୁଡିକୁ ଲାଗିଛି ଝଟକା। କ୍ଷତିପୂର୍ତ୍ତି ଅବଧି ବଢାଇବା ପାଇଁ ରାଜ୍ୟଗୁଡିକର ଦାବି ଉପରେ କୌଣସି ନିଷ୍ପତ୍ତି ନିଆଯାଇ ପାରିନାହିଁ। ବୈଠକରେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସହିତ ରାଜ୍ୟର ଅର୍ଥମନ୍ତ୍ରୀମାନେ ଯୋଗ ଦେଇଥିଲେ। ବୈଠକର ଦ୍ଵିତୀୟ ଦିନରେ ସମସ୍ତ ରାଜ୍ୟ ପାଇଁ ଜିଏସଟି କ୍ଷତିପୂର୍ତ୍ତି ବ୍ୟବସ୍ଥା ଜାରି ରଖାଯିବା ଉପରେ ଅଲୋଚନା ହୋଇଛି। ଏହା ବାଦ୍ ଅନଲାଇନ ଗେମିଂ, କସିନୋ ଏବଂ ଘୋଡାଦୌଡ ଉପରେ ସର୍ବାଧିକ ୨୮ ପ୍ରତିଶତ ଟ୍ୟାକ୍ସ ଲଗାଇବା ପ୍ରସଙ୍ଗ ଉପରେ ଅଲୋଚନା ହୋଇଛି। ଜିଏସଟି ପରିଷଦ ସଂପ୍ରତି ରାଜ୍ୟଗୁଡିକର ଜିଏସଟି କ୍ଷତିପୂର୍ତ୍ତି ବ୍ୟବସ୍ଥାକୁ ଜାରି ରଖାଯିବା ଉପରେ କୌଣସି ନିଷ୍ପତ୍ତି ହୋଇ ନାହିଁ।

ପୁଡୁଚେରୀ ଅର୍ଥମନ୍ତ୍ରୀ କେ ଲକ୍ଷ୍ମୀ ନାରାୟଣ କହିଛନ୍ତି, ସମସ୍ତ ରାଜ୍ୟ କ୍ଷତିପୂରଣ ବ୍ୟବସ୍ଥା ବଢାଇବାକୁ ଦାବି କରିଛନ୍ତି। ମାତ୍ର ଏହା ଉପରେ କୌଣସି ନିଷ୍ପତ୍ତି ହୋଇ ପାରି ନାହିଁ। ଏହି ବିଷୟରେ ଚୂଡାନ୍ତ ନିଷ୍ପତ୍ତି ଅଗଷ୍ଟରେ ବସୁଥିବା ଜିଏସଟି ପରିଷଦ ବୈଠକରେ ନିଆଯାଇପାରେ। ରାଜ୍ୟ ପାଇଁ ନିଶ୍ଚିତ ଭାବେ ନିରାଶଜନକ ଖବର। ୨୦୧୭ ଜୁଲାଇ ୧ରେ ଜିଏସଟି ଲାଗୁ ହେବା ସହିତ ଏହି ନିର୍ଣ୍ଣୟ ନିଆଯାଇଥିଲା ଯେ, ରାଜ୍ୟଗୁଡିକୁ ଏହି ନୂତନ ଟ୍ୟାକ୍ସ ବ୍ୟବସ୍ଥାରେ ରାଜସ୍ଵରେ କ୍ଷତି ଘଟିଲେ ଏହାର କ୍ଷତିପୂର୍ତ୍ତି ଦିଆଯିବ। ଏହାର ଅବଧି ୨୦୨୨ ଜୁନରେ ସରୁଛି। ମହାମାରୀ କାରଣରୁ ଦୁଇ ବର୍ଷ ପ୍ରଭାବିତ ହୋଇଥିବାରୁ ଏହି କ୍ଷତିପୂର୍ତ୍ତି ବ୍ୟବସ୍ଥା ଆଗକୁ ଜାରି ରଖିବାକୁ ରାଜ୍ୟଗୁଡିକ ଦାବି କରିଛନ୍ତି।

Show More

Related Articles

Back to top button