ସିଡନୀ ଟେଷ୍ଟ ପୂର୍ବରୁ ଟିମ୍ ଇଣ୍ଡିଆ ପାଇଁ ଖୁସି ଖବର, ସମସ୍ତ ଖେଳାଳିଙ୍କ କରୋନା ରିପୋର୍ଟ ନେଗେଟିଭ
ସିଡନୀ ଟେଷ୍ଟ ପୂର୍ବରୁ ଟିମ୍ ଇଣ୍ଡିଆ ପାଇଁ ଖୁସି ଖବର । ଟିମର ସମସ୍ତ ଖେଳାଳିଙ୍କ କରୋନା ରିପୋର୍ଟ ନେଗେଟିଭ ଆସିଛି। ଆଜି ଟିମ୍ ଇଣ୍ଡିଆ ସିଡନୀ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି । କୋଭିଡ୍-୧୯ ନିୟମ ଉଲ୍ଲଂଘନ ପାଇଁ ସଙ୍ଗରୋଧରେ ରହିଥିବା ୫ଜଣ ଯାକ ଖେଳାଳି ମଧ୍ୟ ଦଳ ସହ ଏକାଠି ଯାତ୍ରା କରିବେ
ସିଡନୀ ଟେଷ୍ଟ ପୂର୍ବରୁ ଟିମ୍ ଇଣ୍ଡିଆ ପାଇଁ ଖୁସି ଖବର । ଟିମର ସମସ୍ତ ଖେଳାଳିଙ୍କ କରୋନା ରିପୋର୍ଟ ନେଗେଟିଭ ଆସିଛି। ଆଜି ଟିମ୍ ଇଣ୍ଡିଆ ସିଡନୀ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି । କୋଭିଡ୍-୧୯ ନିୟମ ଉଲ୍ଲଂଘନ ପାଇଁ ସଙ୍ଗରୋଧରେ ରହିଥିବା ୫ଜଣ ଯାକ ଖେଳାଳି ମଧ୍ୟ ଦଳ ସହ ଏକାଠି ଯାତ୍ରା କରିବେ। ମେଲବୋର୍ଣ୍ଣରୁ ଏକ ସ୍ୱତନ୍ତ୍ର ଚାର୍ଟର ବିମାନ ଯୋଗେ ଖେଳାଳିମାନଙ୍କୁ ସିଡନୀ ନିଆଯିବ। ଅଷ୍ଟ୍ରେଲିଆ ଦଳ ମଧ୍ୟ ସିଡନୀ ଯାତ୍ରା କରିବ । ଆସନ୍ତା ୭ ତାରିଖରୁ ତୃତୀୟ ଟେଷ୍ଟ ଆରମ୍ଭ ହେବ। ଏହାପୂର୍ବରୁ ଉଭୟ ଦଳ ସିଡନୀରେ ପ୍ରସ୍ତୁତି କରିବେ।
ସୂଚନାଯୋଗ୍ଯ, ନଭଲଦୀପ ସିଂହ ନାମକ ଜଣେ ବ୍ୟକ୍ତି ସୋସିଆଲ୍ ମିଡିଆରେ ଭାରତର ୫ଜଣ ଖେଳାଳି ମେଲବୋର୍ଣ୍ଣର ଏକ ରେଷ୍ଟୁରାଣ୍ଟରେ ଖାଦ୍ୟ ଖାଉଥିବାର ଭିଡିଓ ପୋଷ୍ଟ କରିଥିଲେ। ଭିଡିଓରେ ରୋହିତ ଶର୍ମା, ଶୁବମନ ଗିଲ୍, ରିଷଭ ପନ୍ତ, ନବଦୀପ ସାଇନି ଓ ପୃଥ୍ୱୀ ଶ’ ଖାଦ୍ୟ ଖାଉଥିବାର ଦେଖିବାକୁ ମିଳିଥିଲା। ଏହା ଭାଇରାଲ୍ ହେବା ପରେ ଅଷ୍ଟ୍ରେଲିଆ ଗଣମାଧ୍ୟମରେ ଭାରତୀୟ ଖେଳାଳିମାନେ କୋଭିଡ୍ ନିୟମ ଉଲ୍ଲଂଘନ କରିଥିବା ଚର୍ଚ୍ଚା ଜୋର ଧରିଥିଲା। ଏହାପରେ କ୍ରିକେଟ୍ ଅଷ୍ଟ୍ରେଲିଆ (ସିଏ) ଏକ ବିଜ୍ଞପ୍ତି ଜାରି କରିଥିଲା। ଏଥିରେ କୁହାଯାଇଥିଲା, ବିସିସିଆଇ ଓ ଡାକ୍ତରୀ ଦଳଙ୍କ ପରାମର୍ଶକ୍ରମେ ଉକ୍ତ ୫ ଖେଳାଳିଙ୍କୁ ସଙ୍ଗରୋଧରେ ରଖାଯାଇଛି। ସେମାନେ କୋଭିଡ୍ ନିୟମ ଉଲ୍ଲଂଘନ କରିଛନ୍ତି କି ନାହିଁ ତଦନ୍ତ ଚାଲିଛି । କିନ୍ତୁ ବିସିସିଆଇ ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇନଥିଲା ।