Breaking PLUSଓଡ଼ିଶାଦେଶ ବିଦେଶବ୍ୟକ୍ତିତ୍ୱମୁଖ୍ୟ ଖବରସ୍ୱତନ୍ତ୍ର

ଗାନ୍ଧୀ ଜୟନ୍ତୀ

ଅକ୍ଟୋବର ୨,ଜାତିର ପିତା ମହାତ୍ମାଗାନ୍ଧୀଙ୍କ ଜୟନ୍ତୀ

ପୃଥିବୀ ଇତିହାସ ପୃଷ୍ଠାରେ ଯେଇଁ କେତେଜଣ ବିଶିଷ୍ଟ ବ୍ୟକ୍ତିଙ୍କର ନାମ ସ୍ୱର୍ଣ୍ଣାକ୍ଷରରେ ଉଲ୍ଲେଖ ଅଛି ସେମାନଙ୍କ ମଧ୍ୟରେ ମହାତ୍ମାଗାନ୍ଧୀ ଅନ୍ୟତମ । ଜାତିର ପିତା ମହାତ୍ମାଗାନ୍ଧୀ କେବଳ ଭାରତ ଇତିହାସରେ ନୁହେଁ ସମଗ୍ର ବିଶ୍ୱରେ ଜଣେ ମହାମାନବ ଭାବରେ ସୁପରିଚିତ । ଭାରତୀୟ ରାଜନୀତିରେ ମହାତ୍ମାଗାନ୍ଧୀଙ୍କ ପ୍ରବେଶ ଭାରତର ମୁକ୍ତି ସଂଗ୍ରାମକୁ ଏକ ନୁଆ ମୋଡ ଦେଇଥିଲା ।ଏହି ସଂଗ୍ରାମ ସମୟରେ ସେ ସତ୍ୟ ଓ ଅହିଂସା ଉପରେ ଆଧାରିତ ନୂତନ ଅସ୍ତ୍ର ସତ୍ୟାଗ୍ରହର ପ୍ରବର୍ତ୍ତନ କରିଥିଲେ ।

ଏହା ଏକ ଅଭିନବ ଅସ୍ତ୍ର ଯାହାର ପ୍ରୟୋଗରେ ରକ୍ତପାତ ନଥିଲା, କାହା ପାଖରେ ଲୁହ ନଥିଲା, ଅଥଚ ଯୁଦ୍ଧ ଜୟ ଥିଲା । ସେ ଦୃଷ୍ଟିରୁ ବିଚାର କଲେ ସେ ଥିଲେ ଶ୍ରେଷ୍ଠମାନଙ୍କ ମଧ୍ୟରେ ଶ୍ରେଷ୍ଠତ୍ତମ । ବୋଧହୁଏ ବୁଦ୍ଧ ଓ ଯୀଶୁଙ୍କ ପରେ ମହାତ୍ମାଗାନ୍ଧୀ ହେଉଛନ୍ତି ଏକମାତ୍ର ବ୍ୟକ୍ତି ଯିଏ ସମଗ୍ର ବିଶ୍ୱର ଜନଜୀବନରେ ଗଭୀର ପ୍ରଭାବ ସୃଷ୍ଟି କରିପାରିଥିଲେ । ବିଶିଷ୍ଟ ବୈଜ୍ଞାନିକ ଆଇନଷ୍ଟାଇନ୍ଙ୍କ ମତରେ – “ଆଗାମୀ ବଂଶଧର କ୍ୱଚିତ୍ ବିଶ୍ୱାସ କରତ୍ପାରନ୍ତିିଁ ଯେ ଏମିତିି ଜଣେ ରକ୍ତ-ମାଂସ ଧାରି ବ୍ୟକ୍ତି ଏ ପୃଥିବୀପୃଷ୍ଠରେ ପଦାର୍ପଣ କରିଥିଲେ ।”

ମହାତ୍ମାଗାନ୍ଧୀଙ୍କ ଆଦର୍ଶ ସମକାଳୀନ ବିଶ୍ୱରେ ଥିଲା ବିରଳ । ସତ୍ୟ ଓ ଅହିଂସା ଥିଲା ତାଙ୍କର ଅମୋଘ ଅସ୍ତ୍ର । ୧୮୯୩ ମସିହାରୁ ୧୯୧୪ ମସିହା ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକାରେ ରହଣି ମଧ୍ୟରେ ଗାନ୍ଧିଜୀ ସେଠାକାର ଗୋରା ସରକାରଙ୍କ ବିରୋଧରେ ଯେଉଁ ଅମୋଘ ଅସ୍ତ୍ର ପ୍ରୟୋଗ କରିଥିଲେ ତାହା ସତ୍ୟାଗ୍ରହ ନାମରେ ପରିଚିତ । ଅହିଂସା ଆନେ୍ଦାଳନକୁ ଜାରି ରଖି ଦକ୍ଷିଣ ଆଫ୍ରିକାର ଜନସାଧାରଣମାନଙ୍କ ଅଧିକାର, ସମାନତା ଓ କଳାଗୋରା ଭେଦଭାବର ପରିସମାପ୍ତି ଘଟାଇଥିଲେ ।

୧୯୧୫ ମସିହାରେ ଗାନ୍ଧିଜୀ ଭାରତକୁ ଫେରିଆସିଲେ । ସେ ଶାନ୍ତିର ଦେବଦୂତ ହୋଇଆସିଥିଲେ । ଭାରତୀୟ ମୁକ୍ତି ସଂଗ୍ରାମକୁ ଏକ ନୂଆ ମୋଡ ଦେଇ ସେ ତାର ମଙ୍ଗୁଆଳ ସାଜିଥିଲେ । ୧୯୨୧ ମସିହାରେ ଅସହଯୋଗ ଆନେ୍ଦାଳନ, ୧୯୩୦ରେ ଲବଣ ସତ୍ୟାଗ୍ରହ ଓ ଶେଷରେ ୧୯୪୨ରେ ଭାରତଛାଡ ଆନେ୍ଦାଳନର ଫଳସ୍ୱରୂପ ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ଭାରତବର୍ଷ ପରାଧୀନତାର ଶୃଙ୍ଖଳରୁ ମୁକ୍ତହେଲା । ପରାକ୍ରମୀ ଇଂରେଜ ସରକାର ତାଙ୍କ ପାଖରେ ପରାଜୟ ସ୍ୱୀକାର କଲେ । ଏହାଥିଲା ସେହି ମହାମାନବଙ୍କ ଐକାନ୍ତିକ ନିଷ୍ଠା ଓ ନିରବଚ୍ଛିନ୍ନ ସାଧନାର ଫଳ । ସେଥିପାଇଁ ସେ ମାହାମାନବର ଆସନରେ ଆସୀନ । ଗାନ୍ଧିଜୀଙ୍କ ବିଷୟରେ କାନ୍ତକବି ଲେଖିଛନ୍ତି –

“ହେ ମୋହନ! କି ମୋହନ ମନ୍ତ୍ର ଦେଲ ଚାଳି
ଭାରତର ବକ୍ଷେ ଦେଲ ଅଗ୍ନିଶିଖା ଜାଳି
ଜଗାଇଲ କୋଟି କୋଟି ପ୍ରାଣେ ଉଦ୍ଦୀପନା
ଖେଳିଗଲା ସାରାଦେଶେ ତପ୍ତ ଉନ୍ମାଦନା ।”

ପ୍ରତ୍ୟେକ କାର୍ଯ୍ୟରେ ପ୍ରତିମୁହୂର୍ତ୍ତରେ ଗାନ୍ଧୀ ହିଁ ଥିଲେ ମଣିଷଜାତିର ବିସ୍ମୟ । ଗାନ୍ଧୀଦର୍ଶନ ଆଜି ସାରା ପୃଥିବୀରେ ଆଦୃତ ହୋଇଛି । ତାଙ୍କ ମତରେ ସବୁ ସମସ୍ୟା ସମାଧାନର ଚାବିକାଠି ସତ୍ୟ ଓ ଅହିଂସା । ସତ୍ୟ ହିଁ ସବୁଠାରୁ ସ୍ୱଳ୍ପ ଓ ବିନା ମୂଲ୍ୟରେ ହାସଲ କରାଯାଇପାରେ । ସତ୍ୟ ହିଁ ଈଶ୍ୱର ଓ ଶ୍ରମ ହେଉଛି ତାହାର ଉପାସନା । ସତ୍ୟ ନିକଟରେ ପହଞ୍ଚିବା ଅର୍ଥ ଈଶ୍ୱରଙ୍କ ନିକଟରେ ପହଞ୍ଚିବା । ସତ୍ୟର ନିକଟତର ହେବାର ମାର୍ଗ ହେଉଛି ଅହିଂସା । ଗାନ୍ଧୀଙ୍କ ଆଦର୍ଶ ଓ ଦୃଷ୍ଟିକୋଣକୁ ନେଇ ଆମ ଦେଶ ସ୍ୱାଧୀନ ହେବାର ୨୦ ବର୍ଷ ପରେ ଏସିଆ ଓ ଆଫ୍ରିକାର ବହୁ ପରାଧୀନ ଦେଶ ଶାନ୍ତିପୂର୍ଣ୍ଣ ଉପାୟରେ ସ୍ୱାଧୀନତା ଲାଭ କରିବାରେ ସଫଳ ହେଲେ ।

ଅନ୍ୟ ଏକ ଦିଗରୁ ବିଚାରକଲେ ଆନ୍ନା ଅନଶନ ବେଶ୍ କିଛିଦିନ ପରେ ପ୍ରମାଣ କରିଛି ଯେ ‘ଗାନ୍ଧିବାଦ’ର ପ୍ରୟୋଗ ଯେକୌଣସି ସ୍ଥିତିରେ କରାଯାଇ ଆଖିଦୃଶିଆ ସଫଳତା ଆଶା କରାଯାଇପାରେ ।କେବଳ ସ୍ୱାଧୀନତା ସଂଗ୍ରାମ ନୁହେଁ, ଧର୍ମନିରପେକ୍ଷତାର ଏକ ନିଚ୍ଛକ ପ୍ରତିଛବି ଥିଲେ ମହାତ୍ମାଗାନ୍ଧି । କୌଣସି ଏକ ନିର୍ଦ୍ଦିଷ୍ଟ ଧର୍ମର ଗଣ୍ଡି ଭିତରେ ବାନ୍ଧି ହୋଇନଥିଲେ ସେ । ସର୍ବଧର୍ମ ସମନ୍ୱୟ ଥିଲା ତାଙ୍କ ଜୀବନର ମୂଳମନ୍ତ୍ର । ସେଥିପାଇଁ ତାଙ୍କ ପ୍ରାର୍ଥନା ସଭାରେ ସବୁଧର୍ମର ସାରକଥା ଆଲୋଚିତ ହେଉଥିଲା । ସେ କହୁଥିଲେ ଆମେ ସମସ୍ତେ ପରମପିତାଙ୍କ ସନ୍ତାନ – ମାତ୍ର ଭିନ୍ନଭିନ୍ନ ଭାବରେ ତାଙ୍କୁ ଉପାସନା କରୁଛୁ ।

ଦେଶକୁ ପ୍ରଗତିପଥରେ ନେବାକୁ ଗାନ୍ଧିଜୀ ଚାହୁଁଥିଲେ । ସେଥିଲେ ଦରିଦ୍ର, ନିଷ୍ପେଷିତ, ଅବହେଳିତ ଜନତାର ଆଶା ଓ ଆକାଂକ୍ଷାର ପ୍ରତୀକ । ଗାନ୍ଧୀ ଆଧୁନିକ ମଣିଷର ଉପଭୋଗ ପାଗଳାମୀରେ ବିବ୍ରତ ହୋଇପଡିଥିଲେ । ସେଥିପାଇଁ ସେ ମୌଳିକ ଶିକ୍ଷା ଉପରେ ଗୁରୁତ୍ୱ ଦେଇ ଚାଲିଥିଲେ – ଏଥିରେ ସବୁ ରଚନାତ୍ମକ କାର୍ଯ୍ୟକ୍ରମକୁ ବ୍ୟବହାରିକ ରୂପ ଦେବାର ଚାବିକାଠି ରହିଛି । ନିଶା ନିବାରଣ ଉପରେ ମଧ୍ୟ ଗାନ୍ଧି ସର୍ବଦା ଗୁରୁତ୍ୱ ଦେଉଥିଲେ । ତାଙ୍କମତରେ ନିଶା ସେବନ ମଣିଷକୁ ବିପଥଗାମୀ କରିବା ସଙ୍ଗେ ସଙ୍ଗେ ତାର ଆର୍ଥିକ ଉନ୍ନତିରେ ଅନ୍ତରାୟ ହୋଇଥାଏ । ସ୍ୱାଧୀନତାର ୭୪ ବର୍ଷପରେ ବି କୌଣସି ରାଜ୍ୟ ସମ୍ପୂର୍ଣ୍ଣ ନିଶାମୁକ୍ତ ହୋଇପାରିଲା ନାହିଁ ।

ନାରୀଶିକ୍ଷ ଓ ନାରୀ ଜାଗରଣ ଉପରେ ଗାନ୍ଧିଜୀ ସର୍ବଦା ଗୁରୁତ୍ ଦେଉଥିଲେ । ତାଙ୍କର ସ୍ୱପ୍ନର ଭାରତରେ ମହିଳାମାନଙ୍କୁ ପୁୁରୁଷମାନଙ୍କ ସହିତ ସମାନ ମର୍ଯ୍ୟାଦା ଦେବାପାଇଁ ସେ ମଧ୍ୟ କହିଥିଲେ । ଆଜି ଭାରତରେ ନାରୀମାନେ ସବୁଠାରୁ ଅସୁରକ୍ଷିତ ବୋଲି କୁହାଯାଉଛି । ଦିଲ୍ଲୀଠାରୁ ଆରମ୍ଭ କରି ପଲ୍ଲୀ ପର୍ଯ୍ୟନ୍ତ ସବୁଠି ଏକ କଥା – ସବୁଠି ନାରୀ ନିର୍ଯ୍ୟାତନା, ଅତ୍ୟାଚାର ଓ ଗଣଦୁଷ୍କର୍ମର କରୁଣସ୍ୱର । ଏଥିସହିତ ଦୁର୍ନୀତି, ଭ୍ରଷ୍ଟାଚାର, ସାମ୍ପ୍ରଦାୟିକତା, ଜାତିବାଦ ତଥା ଅପରାଧୀ କରଣ ଆମ ଗଣତନ୍ତ୍ର ପ୍ରତି ବିପଦ ସୃଷ୍ଟିକରିଛି । ବିଶ୍ୱର ବହୁ ଦେଶରେ ଗାନ୍ଧୀବାଦର ଅଭୁ୍ୟଦୟ ହୋଇଥିବା ବେଳେ ଆମ ଦେଶ ଗାନ୍ଧୀଦର୍ଶନ ଠାରୁ ଦୂରେଇଯାଉଥିବାର ଲକ୍ଷ୍ୟ କରାଯାଉଛି ।

ଭାରତରେ ରାମରାଜ୍ୟ ଗଢିବାର ଯେଉଁ ସ୍ୱପ୍ନ ଗାନ୍ଧିଜୀ ଦେଖିଥିଲେ, ତାହା ଅଧୁରା ରହିଗଲା । ତାଙ୍କର ଘଟଣାବହୁଳ ଜୀବନର ଅନ୍ତହେଲା ଆତତାୟୀର ଗୁଳିଚୋଟରେ । ଆଜି ମହାତ୍ମାଗାନ୍ଧୀଙ୍କ ୧୫୧ତମ ଜୟନ୍ତୀ ପାଳନ ଅବସରରେ ଅନେକ କଥା ମନେ ପଡୁଛି । ତାଙ୍କ ରାମରାଜ୍ୟ ସ୍ୱପ୍ନ ଏବେବି ଅଧୁରା । ଦରିଦ୍ର-ନିଷ୍ପେଷିତ ଜନତା ଆଖିରୁ ଏବେବି ଲୁହ ଶୁଖିନି । ନାରୀମାନଙ୍କ କଥା କହିଲେ ନସରେ । ଦୁର୍ନୀତି ଓ ଭ୍ରଷ୍ଟାଚାର କଥାଆହୁରି ତଦ୍ରୁପ । ଏସବୁର ଅନ୍ତ ହେବାପାଇଁ ହେ ମୋହନ, ତୁମେ ଆଉ ଥରେ ଆସ !

Tags
Show More

Related Articles

Back to top button
Close