ଆଜିଠୁ ନବମ-ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀ ଯିବେ ସ୍କୁଲ
ସକାଳ ସାଢେ ୮ଟାରୁ ୧୦ଟା ୩୦ ଯାଏଁ ଚାଲିବ ପାଠପଢା

ସୋମବାରଠୁ ରାଜ୍ୟରେ ଆରମ୍ଭ ହେବ ନବମ ଓ ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା । କୋଭିଡ୍ କଟକଣା ମାନି ସକାଳ ୮.୩୦ରୁ ୧୦.୩୦ ପର୍ଯ୍ୟନ୍ତ ପାଠପଢ଼ା ହେବ। ଏଥିପାଇଁ ରାଜ୍ୟରେ ସବୁ ହାଇସ୍କୁଲ ଓ ହାୟର ସେକେଣ୍ଡାରୀ ସ୍କୁଲରେ ପ୍ରସ୍ତୁତ ଶେଷ ହୋଇଯାଇଛି । ସମସ୍ତ ସ୍କୁଲ କ୍ୟାମ୍ପସ୍କୁ ସାନିଟାଇଜ୍ କରାଯାଇଥିବା ସୂଚନା ମିଳିଛି ।ସୂଚନାନୁସାରେ, କରୋନା ପାଇଁ ମାର୍ଚ୍ଚରୁ ସ୍କୁଲ, କଲେଜ ବନ୍ଦ ରହିଥିଲା। ଗତ ମାସ ୮ ତାରିଖରେ ଦଶମ ଓ ଦ୍ୱାଦଶ ଶ୍ରେଣୀର କ୍ଲାସ୍ ଆରମ୍ଭ ହୋଇଥିବାବେଳେ ସୋମବାର ନବମ ଓ ଏକାଦଶ ପିଲାଙ୍କ ପାଠପଢ଼ା ଚାଲିବ । ପ୍ରତ୍ୟେକ ସପ୍ତାହରେ ସୋମବାରରୁ ଶନିବାର ଯାଏ କ୍ଲାସ୍ ହେବ । ଫେବ୍ରୁଆରୀ ୮ରୁ ଏପ୍ରିଲ୍ ୩୦ ଯାଏ ପାଠପଢ଼ା ଚାଲିବ। ଦଶମ ଓ ଦ୍ୱାଦଶ ଭଳି ରବିବାର କ୍ଲାସ୍ ହେବନାହିଁ । ମାର୍ଚ୍ଚ ମାସ ଦ୍ୱିତୀୟ ସପ୍ତାହରେ ପିଲାଙ୍କ ଗୋଟିଏ ୟୁନିଟ୍ ଟେଷ୍ଟ ହେବ । ଏପ୍ରିଲ୍ ମାସ ଶେଷ ସପ୍ତାହରେ ବାର୍ଷିକ ପରୀକ୍ଷା କରାଯିବ ବୋଲି ସୂଚନା ଦେଇଛି ଗଣଶିକ୍ଷା ବିଭାଗ ।
ଏହାସହ ଦଶମ ଓ ଦ୍ୱାଦଶରେ ଯାହା ଏସ୍ଓପି ଜାରି ହୋଇଥିଲା ମବାମ ଓ ଏକାଦଶ ଶ୍ରେଣୀ ପାଇଁ ମଧ୍ୟ ସମାନ ଏସଓପି ଲାଗୁ ହେବ ।ତେବେ ସ୍କୁଲ ଖୋଲିବା ପରେ ପ୍ରବେଶ ପଥରେ ପିଲାଙ୍କ ଥର୍ମାଲ୍ ସ୍କ୍ରିନିଂ ହେବା ସହ ସାମାଜିକ ଦୂରତା ରକ୍ଷା କରି ଭିତରକୁ ଛଡ଼ାଯିବ । ଥରେ ଭିତରକୁ ଗଲା ପରେ ଆଉ ସେମାନଙ୍କୁ ବାହାରକୁ ଛଡ଼ାଯିବ ନାହିଁ । ସେହିପରି ସମସ୍ତେ ଶ୍ରେଣୀଗୃହରେ ସାମାଜିକ ଦୂରତା ରକ୍ଷା କରି ବସିବେ । ଶିକ୍ଷକମାନେ କ୍ଲାସ୍ ଆରମ୍ଭ ହେବାର ୩୦ ମିନିଟ୍ ପୂର୍ବରୁ ସ୍କୁଲକୁ ଆସିବେ । ଦୁଇଟି ସିଫ୍ଟରେ ଶିକ୍ଷାଦାନ ହେବ । ସକାଳୁ ପଢ଼ାଉଥିବା ଶିକ୍ଷକ ସାଢ଼େ ୧ଟା ପର୍ଯ୍ୟନ୍ତ ସ୍କୁଲରେ ରହିବେ । ଦ୍ୱିତୀୟ ସିଫ୍ଟରେ ଆସିଥିବା ଶିକ୍ଷକ ୪ଟାରେ ସ୍କୁଲରୁ ଯିବେ । ପରିବର୍ତ୍ତିତ ସିଲାବସ୍ ହିସାବରେ ପିଲାଙ୍କ ରୁଟିନ୍ ଓ ଲେସନ୍ ସ୍କିମ୍ ତିଆରି ହେବ ବୋଲି ସୂଚନା ମିଳିଛି ।