Breaking PLUSଓଡ଼ିଶାପାଣିପାଗମୁଖ୍ୟ ଖବର

ରବିବାରଠୁ କମିବ ବର୍ଷା

ଜୁଲାଇ ୨୧ରୁ ପୁଣି ଭିଜାଇବ

ଉପକୂଳ ଓଡିଶା ଅଞ୍ଚଳରେ ଥିବା ଲଘୁଚାପ ଏବେ ଉତ୍ତର ପଶ୍ଚିମ ବଙ୍ଗୋପସାଗର ପାଶ୍ୱର୍ବର୍ତ୍ତୀ ସମୁଦ୍ର ମଧ୍ୟରେ ଉତ୍ତର ଓଡିଶା ଓ ପଶ୍ଚିମବଙ୍ଗ ଉପକୂଳରେ ସକ୍ରିୟ ଅଛି । ରବିବାରଠାରୁ ଲଘୁଚାପର ପ୍ରଭାବ କ୍ରମଶଃ କମିଯିବ । ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରି ଉତ୍ତର ଭାରତକୁ ମୁହାଁଇପାରେ । ୧୭ରୁ ରାଜ୍ୟରେ ବର୍ଷା କମିଯିବ । ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଏଭଳି ପୂର୍ବାନୁମାନ କରିଛନ୍ତି । ରବିବାର ରାଜ୍ୟରେ ସ୍ୱଳ୍ପ ବର୍ଷା ହୋଇପାରେ । ମାତ୍ର ୧୫ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହେବ । ଦକ୍ଷିଣ ଓଡ଼ିଶାର ସ୍ଥାନେ ସ୍ଥାନେ ମଧ୍ୟମ ପରିମାଣର ବର୍ଷା ହୋଇପାରେ । ୧୮ରୁ ୨୦ ଯାଏ ରାଜ୍ୟରେ ହାଲୁକାରୁ ସ୍ୱଳ୍ପ ପରିମାଣର ବର୍ଷା ହେବ । ୨୧ରୁ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ବଢ଼ିବ । ୨୩ରୁ ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶାରେ ବର୍ଷା ବଢ଼ିବ । ଜୁଲାଇ ୨୦ରେ ଝାଡ଼ଖଣ୍ଡ ଓ ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ ସୃଷ୍ଟି ହେବ । ଏହାର ପ୍ରଭାବରେ ମୌସୁମୀ ଟ୍ରଫ୍‌ ଉତ୍ତର ଅଭିମୁଖ ହେବନି । ଏହାର ପୂର୍ବ ଭାଗ ଓଡ଼ିଶା ଓ ସଂଲଗ୍ନ ବଙ୍ଗୋପସାଗର ଯାଏ ଲମ୍ବିବ । ଏହାଦ୍ୱାରା ଓଡ଼ିଶା ସମେତ ଉତ୍ତର ଭାରତରେ ବର୍ଷା ହେବ ।

ଜୁଲାଇ ୧ରୁ ୧୬ ଯାଏ ରାଜ୍ୟରେ ୨୩୪ ମିଲିମିଟର ବର୍ଷା ହୋଇଛି । ଏହି ବର୍ଷାର ପରିମାଣ ସ୍ୱାଭାବିକଠାରୁ ଅଧିକ । ୧୭ରୁ ୩୧ ଯାଏ ଉତ୍ତର ଉପକୂଳ ଓ ଏହାର ସଂଲଗ୍ନ ଜିଲ୍ଲା (କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର, କେନ୍ଦୁଝର ଓ ମୟୂରଭଞ୍ଜ) ଜିଲ୍ଲାରେ ସମୁଦାୟ ବର୍ଷା ପରିମାଣ ସ୍ୱାଭାବିକଠାରୁ କମ୍‌ ରହିବ । ବାକି ଜିଲ୍ଲାରେ ସ୍ୱାଭାବିକ ଓ ଏହାର ପାଖାପାଖି ରହିବ । ଜୁଲାଇ ମାସରେ ମୋଟାମୋଟି ବର୍ଷା ପରିମାଣ ସ୍ୱାଭାବିକ ରହିବ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି । ଜୁଲାଇ ୧ରୁ ଏଯାଏ ମାଲକାନଗିରିରେ ସର୍ବାଧିକ ୪୦୧ ମିଲିମିଟର ବର୍ଷା ହୋଇଛି । ଗଜପତିରେ ସବୁଠୁ କମ୍‌ ୧୫୫ମିମି ବର୍ଷା ହୋଇଛି । ସବୁ ଜିଲ୍ଲାରେ ଚାଷ କାମ ପାଇଁ ପର୍ଯ୍ୟାପ୍ତ ବର୍ଷା ହୋଇଛି । ଏବେ ଚାଷୀମାନେ ବୁଣାବୁଣି କାମ ଶୀଘ୍ର ସାରନ୍ତୁ । ସହଳ ଧାନ ତଳି କରିଥିଲେ ଏହାକୁ ରୁଅନ୍ତୁ । କପା, ହରଡ଼, ଚିନାବାଦାମ ଶୀଘ୍ର ଲଗାଇବାକୁ ପ୍ରଫେସର ପଶୁପାଳକ ପରାମର୍ଶ ଦେଇଛନ୍ତି । ଆଞ୍ଚଳିକ ପାଣିପାଗ ବିଜ୍ଞାନ ବିଭାଗର ପୂର୍ବାନୁମାନ କହୁଛି, ୧୭ରେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହୋଇପାରେ। ୧୮ରେ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ଶନିବାର ଭୁବନେଶ୍ୱର ଓ କଟକରେ ଲଗାଣ ବର୍ଷା ହୋଇଛି। କଟକରେ ୨୬ମିଲିମିଟର, ପାରାଦୀପରେ ୧୭, ବାଲେଶ୍ୱରରେ ୧୭, ଖୋର୍ଦ୍ଧାରେ ୧୫, ଢେଙ୍କାନାଳରେ ୧୪.୨, ଓ ଭୁବନେଶ୍ୱରରେ ୯.୬ ମିଲିମିଟର ବର୍ଷା ହୋଇଛି ।

Show More

Related Articles

Back to top button