Breaking PLUSଓଡ଼ିଶାପାଣିପାଗମୁଖ୍ୟ ଖବର

ଅଧାରୁ ଉଭେଇଯିବ ମୌସୁମୀ

ଉଜୁଡ଼ିଯିବ ଫସଲ

ଓଡ଼ିଶାକୁ ଏଥର ଦଗା ଦେବ ମୌସୁମୀ । ଆରମ୍ଭରୁ ଭଲ ବର୍ଷା ହେବ । ମଝିରେ କିନ୍ତୁ ଉଭାନ ହୋଇଯିବ । ଜୁଲାଇ ୧୫ରୁ ସେପ୍ଟେମ୍ବର ୧୫ ପର୍ଯ୍ୟନ୍ତ ମୌସୁମୀ ବର୍ଷା ଗାଏବ ହୋଇଯିବ । କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ ଏମିତି ଆକଳନ କରିଛନ୍ତି । ଏକଥା ସତ ହେଲେ ମରୁଡ଼ି ଆଶଙ୍କା ଜଳଜଳ । ଧାନ ଚାଷ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ ଗଣାଯାଉଥିବା ଏ ଦୁଇ ମାସରେ ବର୍ଷା ନ ହେଲେ ରୁଆ କାର୍ଯ୍ୟ ହୋଇପାରିବନି । ଉଜୁଡ଼ିଯିବ ଫସଲ । ୨୦୨୧ ମରୁଡ଼ି ପରେ ମହଙ୍ଗା ମାଡ଼ ଚାଷୀକୁଳର ମେରୁଦଣ୍ଡ ଭାଙ୍ଗିଥିବାବେଳେ ଏ ବର୍ଷ ମରୁଡ଼ି ଆସିଲେ ଚାଷୀ ସର୍ବସ୍ୱାନ୍ତ ହୋଇଯିବ । କଲମ୍ବିଆ ବିଶ୍ୱବିଦ୍ୟାଳୟସ୍ଥିତ ପାଣିପାଗ ସଂସ୍ଥାର ବିଭିନ୍ନ ପୂର୍ବାନୁମାନ ମଡେଲକୁ ଆଧାର କରି କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ରାଜ୍ୟରେ ମୌସୁମୀ ବର୍ଷାର ପ୍ରାରମ୍ଭ ସ୍ୱାଭାବିକ ରହିବ । ଜୁନରେ ସ୍ୱାଭାବିକ ବର୍ଷା ହେବ । ଅକ୍ଟୋବରରେ ବି ବର୍ଷା ସ୍ୱାଭାବିକ ରହିବ କିମ୍ବା ତା’ଠାରୁ ଅଧିକ ବର୍ଷା ହୋଇପାରେ । ମାତ୍ର ମଝିରେ ଗାଏବ ହୋଇଯିବ ମୌସୁମୀ । ଅଗଷ୍ଟ ମାସରେ ବର୍ଷା କମିଯାଇପାରେ । ଏପରିକି ଜୁଲାଇ ୧୫ରୁ ସେପ୍ଟେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ବର୍ଷା କମିଯିବ କିମ୍ବା ସମ୍ପୂର୍ଣ୍ଣ ଶୁଖିଲା ଦିନ (ମୌସୁମୀ ବ୍ରେକ୍‌) ହେବା ଆଶଙ୍କା ରହିଛି । ନେଗେଟିଭ୍‌ ଇଣ୍ଡିଆନ୍‌ ଓସନ୍‌ ଡାଇପୋଲ୍‌ ପ୍ରଭାବରେ ଏ ସ୍ଥିତିି ଉପୁଜିପାରେ ବୋଲି ଡକ୍ଟର ପଶୁପାଳକ ଆକଳନ କରିଛନ୍ତି । ବିଷୁବ ମଣ୍ଡଳୀୟ ଆଫ୍ରିକା ନିକଟ ଭାରତ ମହାସାଗରରେ ତାପମାତ୍ରା ସ୍ୱାଭାବିକଠାରୁ କମ୍‌ ଏବଂ ପଶ୍ଚିମ ଇଣ୍ଡୋନେସିଆ ନିକଟରେ ଜଳପତ୍ତନର ତାପମାତ୍ରା ଅଧିକରହିଲେ ଆଇଓଡି ନେଗେଟିଭ୍‌ କୁହାଯାଏ । ଫଳରେ ଭାରତକୁ ପଶ୍ଚିମା ପବନ ଶକ୍ତିଶାଳୀ ହୋଇଥାଏ ।

ବଙ୍ଗୋପସାଗର ମୌସୁମୀ ବର୍ଷା ଦୁର୍ବଳ ହୋଇଥାଏ । ଆଇଓଡି ପଜିଟିଭ୍‌ (ଆଫ୍ରିକା ଉପକୂଳ ଜଳପତ୍ତନ ତାପମାତ୍ରା ଅଧିକ ଏବଂ ଇଣ୍ଡୋନେସିଆ ଉପକୂଳରେ କମ୍‌) ରହିଲେ ବଙ୍ଗୋପସାଗର ମୌସୁମୀ ବର୍ଷା ଶକ୍ତିଶାଳୀ ହୋଇଥାଏ । କଲମ୍ବିଆ ବିଶ୍ୱବିଦ୍ୟାଳୟ ମଡେଲ ଅନୁସାରେ ମେ’ ଓ ଜୁନ୍‌ ମାସରେ ଆଇଓଡି ନିଉଟ୍ରାଲ୍‌ ରହିବ । ଏଣୁ ଜୁନ୍‌ରେ ସ୍ୱାଭାବିକ ବର୍ଷା ହେବ । ଜୁଲାଇ ତୃତୀୟ ସପ୍ତାହ ବେଳକୁ ନେଗେଟିଭ୍‌ (- ୧.୦) ହୋଇଯିବ । ଅଗଷ୍ଟ ଏବଂ ସେପ୍ଟେମ୍ବର ମାସରେ ମଧ୍ୟ ବିଯୁକ୍ତ ୧.୪ ପାଖାପାଖି ଥିବ । ଫଳରେ ମୌସୁମୀ ପ୍ରବାହ ଓଲଟପାଲଟ ହୋଇଯିବା ଆଶଙ୍କା ରହିଛି ବୋଲି ଡକ୍ଟର ପଶୁପାଳକ କହିଛନ୍ତି । ନେଗେଟିଭ୍‌ ଆଇଓଡି ସାଙ୍ଗକୁ ଦୁର୍ବଳ ଲା-ନିନା ସ୍ଥିତି ରହିଲେ ଏ ପ୍ରକାର ସ୍ଥିତିର ସମ୍ଭାବନା ରହିଛି । ଓଡ଼ିଶା ଉପରେ ପ୍ରଭାବ ଅଧିକ ରହିବ । ପୂର୍ବ ଉପକୂଳରୁ ମୁହଁ ମୋଡ଼ି ଉତ୍ତର ଭାରତ ଏବଂ ହିମାଳୟ ପାଦଦେଶରେ ବର୍ଷା କରାଇବ ମୌସୁମୀ । ଜୁଲାଇ, ଅଗଷ୍ଟରେ ହିଁ ରାଜ୍ୟରେ ଅଧିକ ବର୍ଷା ହୋଇଥାଏ । ଜୁଲାଇରେ ୩୪୪ ମିଲିମିଟର, ଅଗଷ୍ଟରେ ୩୬୬ ମିଲିମିଟର ଏବଂ ସେପ୍ଟେମ୍ବରରେ ୨୨୬ ମିଲିମିଟର ବର୍ଷା ହେବା କଥା ସ୍ୱାଭାବିକ ଭାବେ । ଭାରତୀୟ ପାଣିପାଗ ବିଭାଗ କିନ୍ତୁ ରାଜ୍ୟରେ ସ୍ୱାଭାବିକ ମୌସୁମୀ ବର୍ଷା ହେବ ବୋଲି ପୂର୍ବାନୁମାନ ଦେଇଛି । କହିଛି, କେବଳ ଦୁଇଟି ଜିଲ୍ଲା ନୂଆପଡ଼ା ଓ ବଲାଙ୍ଗୀରକୁ ଛାଡ଼ିଦେଲେ ବାକି ୨୮ଟି ଜିଲ୍ଲାରେ ସ୍ୱାଭାବିକ କିମ୍ବା ଅଧିକ ବର୍ଷା ହେବ । ଗତବର୍ଷ ବି ସ୍ୱାଭାବିକ ବର୍ଷା ହେବ ବୋଲି ବିଭାଗ ପୂର୍ବାନୁମାନ ଦେଇଥିଲା । କିନ୍ତୁ ଜୁଲାଇରୁ ଅଗଷ୍ଟ ଯାଏ ବର୍ଷା ଗାଏବ ହୋଇଗଲା । ଜୁନ୍‌ରେ ୧୭%, ଜୁଲାଇରେ ୨୧% ଏବଂ ଅଗଷ୍ଟରେ ସ୍ୱାଭାବିକ୍‌ ପରିମାଣଠାରୁ ୪୫% କମ୍‌ ବର୍ଷା ହୋଇଥିଲା । ସେପ୍ଟେମ୍ବରରେ ଅଧିକ ବର୍ଷା ହେବା ସତ୍ତେ୍ୱ ହାରାହାରି ନିଅଣ୍ଟିଆ ବର୍ଷା ସ୍ଥିତି ଯୋଗୁ ରାଜ୍ୟରେ ମରୁଡି ପରିସ୍ଥିତି ସୃଷ୍ଟି ହୋଇଥିଲା ।

Show More

Related Articles

Back to top button