ଓଡ଼ିଶାରାଜନୀତି

ପୂର୍ବତନ ବିଧାୟକ ରାଜେନ୍ଦ୍ର ପ୍ରସାଦ ସିଂଙ୍କ ବିୟୋଗରେ ଗୃହରେ ଶୋକ ପ୍ରସ୍ତାବ ଆଗତ

ପୂର୍ବତନ ବିଧାୟକ ରାଜେନ୍ଦ୍ର ପ୍ରସାଦ ସିଂଙ୍କ ବିୟୋଗରେ ବିଧାନସଭାରେ ଶୋକ ପ୍ରସ୍ତାବ ଆଗତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ ଆଗତ କରିଛନ୍ତି । ବିଜେପି ପକ୍ଷରୁ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ଏହାକୁ ସମର୍ଥନ ଜଣାଇଛନ୍ତି ।

କଂଗ୍ରେସ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି ମଧ୍ୟ ଏହି ଶୋକ ପ୍ରସ୍ତାବକୁ ସମର୍ଥନ ଜଣାଇଛନ୍ତି । ଦିବଂଗତ ପୂର୍ବତନ ବିଧାୟକ ରାଜେନ୍ଦ୍ର ପ୍ରସାଦ ସିଂଙ୍କ ପାଇଁ ବିଧାନସଭାରେ ୧ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ବିଶିଷ୍ଟ ଶ୍ରମିକ ନେତା ତଥା କଟକ ସଦରର ପୂର୍ବତନ ବିଧାୟକ ରାଜେନ୍ଦ୍ର ପ୍ରସାଦ ସିଂହଙ୍କର ମଙ୍ଗଳବାର ସନ୍ଧ୍ୟାରେ ପରଲୋକ ଘଟିଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା। ମଙ୍ଗଳବାର ଅପରାହ୍ନରେ ସେ ସିଏମସି କାର୍ଯ୍ୟାଳୟକୁ ଆସି ମେୟର ସୁବାସ ସିଂହଙ୍କ ସହିତ ଶ୍ରମିକଙ୍କ ସମସ୍ୟା ସଂପର୍କରେ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ। ସେଠାରୁ ଫେରି ଘରେ ଚା’ ପିଇଥିଲେ। ପରେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଥିଲା।

ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ପରଲୋକ ଘଟିଛି। ତେବେ ୧୯୯୦ରୁ ୧୯୯୫ ପର୍ଯ୍ୟନ୍ତ ସେ ଜନତା ଦଳର ପ୍ରାର୍ଥୀ ଭାବେ ପୂର୍ବର କଟକ ସଦର ନିର୍ବାଚନମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ସ୍ବର୍ଗତ ରାଜେନ୍ଦ୍ର ପ୍ରସାଦ ସିଂହ ବିଜୁ ଜନତା ଦଳ ରାଜ୍ୟ ଶ୍ରମିକ ସାମ୍ମୁଖ୍ୟର ସଭାପତି ତଥା ଅଖିଳ ଭାରତୀୟ ହିନ୍ଦ୍ ମଜଦୁର ସଭାର ଉପସଭାପତି ଭାବେ କାର୍ଯ୍ୟ କରୁଥିଲେ। ବୁଧବାର ତାଙ୍କ ମରଶରୀରକୁ ଶୋଭାଯାତ୍ରାରେ ରାଉସାପାଟଣା ଘର, ସିଏମସି ଅଫିସ୍ ଓ ଭୁବନେଶ୍ବର ନିଆଯିବା ପରେ ପୁରୀ ସ୍ବର୍ଗଦ୍ବାର ନିଆଯାଇ ଶେଷକୃତ୍ୟ କରାଯିବାର କାର୍ଯ୍ୟକ୍ରମ ରହିଛି ।

Show More

Related Articles

Back to top button