ଓଡ଼ିଶା

ତିନି ଦିନ ଯାଏଁ ମେଘୁଆ ପାଗ

୧୩ରେ ଆଉ ଏକ ଲଘୁଚାପ

ଦକ୍ଷିଣ ପଶ୍ଚିମ ଓ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଗୁରୁବାର ରାତି ସୁଦ୍ଧା ଦକ୍ଷିଣ ଆନ୍ଧ୍ର ଉପକୂଳ ଅତିକ୍ରମ କରିବ । ଏହାର ପ୍ରଭାବରେ ତାମିଲନାଡୁରେ ଭାରୀ ବର୍ଷା ହୋଇଛି । ସୋମବାର ଯାଏ ଦକ୍ଷିଣ ଓଡ଼ିଶାରେ ପାଗ ମେଘୁଆ ରହିବ । ୧୨ ଓ ୧୪ ତାରିଖରେ ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରେ ମେଘୁଆ ପାଗ ସହ ବୁନ୍ଦା ବର୍ଷା ହୋଇପାରେ । ପାଣିପାଗ ବିଶେଷଜ୍ଞ ପ୍ରଫେସର ଡ. ସୁରେନ୍ଦ୍ରନାଥ ପଶୁପାଳକ ଏହି ପୂର୍ବାନୁମାନ କରିଛନ୍ତି । ଲଘୁଚାପ ପ୍ରଭାବ ଯୋଗୁ ରବିବାର ଯାଏ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ୩ରୁ ୪ଡିଗ୍ରୀ ସେଲସିୟସ୍‌ ବଢ଼ିବ । ତେବେ ସୋମବାର ଓ ମଙ୍ଗଳବାର ସର୍ବନିମ୍ନ ତାପମାତ୍ରା ୨ ଡିଗ୍ରୀ କମିବ । ତେବେ ସମ୍ଭାବ୍ୟ ଲଘୁଚାପ ଯୋଗୁ ରାଜ୍ୟରେ ପାଗ ପୁଣି ବଦଳିବ । ନଭେମ୍ବର ମାସରେ ଏହା ହେଉଛି ତୃତୀୟ ଲଘୁଚାପ ।

ସେପଟେ ପୂର୍ବ ଆକଳନ ମୁତାବକ ଆଜି ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ୧୩ ତାରିଖରେ ଲଘୁଚାପ ରୂପ ନେବ । ୧୪ରେ ଅବପାତ ଓ ୧୬ ସୁଦ୍ଧା ଗଭୀର ଅବପାତ ହୋଇପାରେ । ଏହା ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ଗତି କରି ୧୯ରେ ଦକ୍ଷିଣ ଆନ୍ଧ୍ର ଉପକୂଳରେ ସ୍ଥଳ ଭାଗ ଛୁଇଁବ। ପରେ ଏହା ସଂଲଗ୍ନ ତାମିଲନାଡୁରେ ୧୭ରୁ ୧୯ ଯାଏ ଭାରୀ ବର୍ଷା ହେବ ।

ଏହି ଲଘୁଚାପ ପ୍ରଭାବରେ ୧୭ରୁ ପାଗ ବଦଳିବ । ୨୦ତାରିଖ ଯାଏ ପାଗ ମେଘୁଆ ରହିବ । ସର୍ବନିମ୍ନ ତାପମାତ୍ରା ପୁଣି ୩ରୁ ୪ ଡିଗ୍ରୀ ବଢିବ ।

୧୮ ଓ ୧୯ ତାରିଖରେ ଭୁବନେଶ୍ୱର ସମେତ ଦକ୍ଷିଣ ଉପକୂଳ ଓ ଆଭ୍ୟନ୍ତରୀଣ ଦକ୍ଷିଣରେ ହାଲୁକାରୁ ସ୍ୱଳ୍ପ ବର୍ଷା ହେବ । ୧୯ ଓ ୨୦ରେ ପାଗ କୋହଲା ରହିବା ସହ ହାଲୁକା ବର୍ଷା ହେବ ବୋଲି ଡ. ପଶୁପାଳକ ପୂର୍ବାନୁମାନ କରିଛନ୍ତି ।

୧୩ ତାରିଖରେ ଆଉ ଏକ ଲଘୁଚାପ ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ମଧ୍ୟ ପୂର୍ବାନୁମାନ କରିଛି । ତେବେ ବର୍ତ୍ତମାନ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ହୋଇଥିବା ଲଘୁଚାପ ପ୍ରଭାବରେ ୧୬ ତାରିଖ ଯାଏ ବର୍ଷା ହେବ । ଶୁକ୍ରବାର ମାଲକାନଗିରି, କୋରାପୁଟ, ରାୟଗଡା, ନବରଙ୍ଗପୁର, ଗଜପତି, ଗଞ୍ଜାମ ଓ କନ୍ଧମାଳର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ନୂଆପଡ଼ା, ବଲାଙ୍ଗୀର, ସୋନପୁର, ବୌଦ୍ଧ, ନୟାଗଡ଼, କଳାହାଣ୍ଡି, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ ଓ ଖୋର୍ଦ୍ଧାର ଗୋଟିଏ ଦୁଇଟି ସ୍ଥାନରେ କାଁ ଭାଁ ବର୍ଷା ହେବ । ଦାରିଙ୍ଗିବାଡିରେ ପାରଦ ରାଜ୍ୟରେ ସବୁଠୁ ତଳେ ରହିଛି । ଏଠାର ସର୍ବନିମ୍ନ ତାପମାତ୍ରା ୧୩ଡିଗ୍ରୀ ରହିଛି । ଫୁଲବାଣୀରେ ୧୫, କୋରାପୁଟରେ ୧୫.୨ ଓ ଝାରସୁଗୁଡାରେ ରାତି ତାପମାତ୍ରା ୧୬.୨ ଡିଗ୍ରୀ ରେକର୍ଡ ହୋଇଛି । ଅଧିକାଂଶ ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା ୧୮ଡିଗ୍ରୀରୁ ଅଧିକ ରହିଛି ।

Show More

Related Articles

Back to top button