ଦେଶ ବିଦେଶ

ବର୍ଷାରେ ବିଗିଡ଼ିଲା ଚେନ୍ନାଇ ହାଲ,ଯାତାୟାତ ପ୍ରଭାବିତ

ବନ୍ୟା ସତର୍କତା ଜାରି

ତାମିଲନାଡୁ ରାଜଧାନୀ ଚେନ୍ନାଇରେ ଶନିବାର ଠାରୁ ବର୍ଷା ଜାରି ରହିଛି। ଭୀଷଣ ବର୍ଷାରେ ରାଜଧାନୀ ବେହାଲ ହୋଇପଡିଥିବା ବେଳେ ତଳୁଆ ଅଞ୍ଚଳରେ ପାଣି ଭରି ଯାଇଛି। ଏଣୁ ଯାତାୟାତ ପ୍ରଭାବିତ ହୋଇଥିବା ବେଳେ ଅଧିକାରୀ ବନ୍ୟା ସତର୍କତା ଜାରି କରିଛନ୍ତି। ଗତ କିଛି ଦିନ ହେଲା ତାମିଲନାଡୁରେ ବର୍ଷା ଲାଗି ରହିଛି। ଏଣୁ ଜନଜୀବନ ପ୍ରଭାବିତ ହୋଇଥିବା ବେଳେ ପୁଣି ଥରେ ଆରମ୍ଭ ହୋଇଥିବା ବର୍ଷା ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ରାଜ୍ୟରେ ଅନେକ ଅଞ୍ଚଳରେ ବର୍ଷା ଚେତାବନୀ ଜାରି କରିଛନ୍ତି। ଏଣୁ ଅଧିକ ବର୍ଷା ଆଶଙ୍କାରେ ଏନଡିଆରଏଫ ବ୍ୟାକଅପ୍ ରଖା ଯାଇଛି। ଭୀଷଣ ବର୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ଶିକ୍ଷା ବିଭାଗ ବିଦ୍ୟାଳୟ ଛୁଟି ଘୋଷଣା କରିଛନ୍ତି। ଉତ୍ତର-ପୂର୍ବ ମୌସୁମୀ ସକ୍ରିୟ ଥିବା ବେଳେ ଘୂର୍ଣ୍ଣିବଳୟ ଯୋଗୁ ପୁଣି ବର୍ଷା ଆରମ୍ଭ ହୋଇଥିବା ଆଇଏମଡି ଟ୍ୱିଟରରେ ସୂଚିତ କରିଛନ୍ତି। ଘୂର୍ଣ୍ଣିବଳୟ ପ୍ରଭାବରେ ଉପକୂଳ ତାମିଲନାଡୁ ସମେତ ଆନ୍ଧ୍ରପ୍ରଦେଶରେ ୯ରୁ ୧୧ ନଭେମ୍ବର ପର୍ଯ୍ୟନ୍ତ ବର୍ଷା ଜାରି ରହିବ ବୋଲି କୁହାଯାଇଛି।

ଭୀଷଣ ବର୍ଷା ଯୋଗୁ ଚେନ୍ନାଇର ଚେମ୍ବରମବକ୍କମ ଓ ପୂଝୋଲ ଜଳାଶୟ ଏବେ ଜଳଧାରଣ କ୍ଷମତାର ପାଖାପାଖି ପହଞ୍ଚିଗଲାଣି। ଏଣୁ କୌଣସି ମୂହୁର୍ତ୍ତରେ ଏହି ଜଳାଶୟମାନଙ୍କରୁ ଜଳ ନିଷ୍କାସନ କରାଯାଇପାରେ। ଜଳ ସଂସାଧନ ଅଧିକାରୀ କାଞ୍ଚିପୁରମ ଓ ତିରଭେଲୁର ଜିଲ୍ଲାଧିକାରୀଙ୍କୁ ତଳିଆ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି। ରାଜଧାନୀ ଚେନ୍ନାଇ ସମେତ କାଞ୍ଚିପୁରମ ଓ ତିରୁବଲ୍ଲୁର ଜିଲ୍ଲାରେ ଶନିବାର ସକାଳୁ ରହି ରହି ବର୍ଷା ହେଉଛି। ଫଳରେ ଚେନ୍ନାଇର କୋରାତପୁର, ପେରମ୍ବୁର, ଅନ୍ନାସଲାଇ, ଟି ନଗର, ଗିଣ୍ଡି, ଅଡୟାର, ପେରୁଙ୍ଗୁଡି ଏବଂ ଓଏମଆର ଆଦି ଅଞ୍ଚଳରେ ବର୍ଷାପାଣି ନିଷ୍କାସିତ ହୋଇ ନପାରି ଜମି ରହିଛି। ପୂର୍ବ ଆରବ ସାଗରରେ ସୃଷ୍ଟି ହୋଇଥିବା ଏକ ଲଘୁଚାପ କ୍ଷେତ୍ର ଯୋଗୁ ଅଦିନିଆ ବର୍ଷା ହେଉଥିବାର ଆଇଏମଡି କହିଛନ୍ତି। ଏହା ବାଦେ ସୁମାତ୍ରା ଉପକୂଳ ସଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିବା ବର୍ଷା ଲାଗି ପାଗ ଅନୁକୂଳ କରିଛି। ଏଣୁ ଉପକୂଳ ଅଞ୍ଚଳରେ ବର୍ଷା ଲାଗି ରହିଥିବା ଆଇଏମଡି କହିଛନ୍ତି।

Show More

Related Articles

Back to top button